ରାଜନୀତି

ଧର୍ମେନ୍ଦ୍ର ଏକାଦିକ୍ରମେ ତୃତୀୟଥର କେନ୍ଦ୍ରମନ୍ତ୍ରୀ – Kalinga News

[ad_1]

ଭୁବନେଶ୍ବର: ନରେନ୍ଦ୍ର ମୋଦୀ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଧର୍ମେନ୍ଦ୍ର ପ୍ରଧାନ ବି ତୃତୀୟ ଥର ପାଇଁ ଲଗାତର କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସମ୍ବଲପୁର ଲୋକସଭାରୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ଜାତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ପାଲଟିଥିବାବେଳେ ଦୀର୍ଘ ୧୦ବର୍ଷ ଧରି ସେ କେନ୍ଦ୍ରମନ୍ତ୍ରୀ ରହି ଆସିଛନ୍ତି। ଦେଶର ସବୁଠୁ ଦୀର୍ଘ କାଳ କାର୍ଯ୍ୟ କରିଥିବା ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ହେବାର ରେକର୍ଡ ମଧ୍ୟ ଧର୍ମେନ୍ଦ୍ରଙ୍କ ନାଁରେ ଅଛି। ଏହାବାଦ୍ ସେ ଇସ୍ପାତ, ଶିକ୍ଷା, ଦକ୍ଷତାବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ଦେଖାଇଛନ୍ତି। ସେ ଓଡ଼ିଶାର ଏକମାତ୍ର ନେତା ଭାବେ ଏକାଦିକ୍ରମେ ତୃତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଛନ୍ତି।

ଯୁବାବସ୍ଥାରୁ ଏବିଭିପିରେ ୧୯୮୬ରେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ପ୍ରଧାନ ଯୁକ୍ତ ତିନି ପ୍ରଥମ ବର୍ଷରେ ତାଳଚେରର କଲେଜ ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ରାଜନୈତିକ ଜୀବନରେ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି। ୧୯୯୧ରୁ ୧୯୯୭ ମସିହା ପର୍ଯ୍ୟନ୍ତ ଏବିଭିପିର ବିଭିନ୍ନ ସାଙ୍ଗଠନିକ ପଦପଦବିରେ ରହିଥିବା ଶ୍ରୀ ପ୍ରଧାନ ୨୦୦୧ରେ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଦାୟିତ୍ୱ ନେଇଥି‌ଲେ। ୨୦୦୪ରେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ନିର୍ବାଚିତ ହୋଇ ସାରା ଦେଶରେ ତାଙ୍କ ନେତୃତ୍ବର ପରିଚୟ ଦେଇଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ପାଲଲହଡ଼ାରୁ ବିଧାୟକ ଭାବେ ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ନିଜର ଭଲ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ‘ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନ’ ରେ ସମ୍ମାନିତ ହେବାର ଗୌରବ ମଧ୍ୟ ସେ ଅର୍ଜନ କରିଥିଲେ। ପରେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଦେବଗଡ଼ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୭ରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଓ ୨୦୧୦ରେ ଦୁଇଥର ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ।

ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର କ୍ରିୟାନ୍ୱୟନ ମାଧ୍ୟମରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ନେତୃତ୍ୱରେ ବିଗତ ୧୦ବର୍ଷରେ ଓଡ଼ିଶାରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ୨.୪ ଲକ୍ଷ କୋଟି ଟଙ୍କାର ନିବେଶ ସୃଷ୍ଟି ହୋଇଛି। ଯାହା ଓଡ଼ିଶାର ଶିଳ୍ପ ବିକାଶରେ ସହାୟକ ହୋଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଦେଶରେ ଘରେ ଘରେ ଗ୍ୟାସ୍ ସିଲିଣ୍ଡର ପହଞ୍ଚାଇବାରେ ଉଦ୍ୟମ କରିଥିବାରୁ ତାଙ୍କୁ ଅମିତାଭ ବଚ୍ଚନଙ୍କ ଭଳି ବ୍ୟକ୍ତିତ୍ବ କୋନ୍ ବନେଗା କରୋଡପତି କାର୍ଯ୍ୟକ୍ରମରେ ‘ଉଜ୍ଜ୍ବଳା ମ୍ୟାନ୍’ ଭଳି ଆଖ୍ୟା ଦେଇଥିଲେ। କୋଭିଡ୍ ସମୟରେ ଇସ୍ପାତ୍ ମନ୍ତ୍ରଣାଳୟରେ ଦାୟିତ୍ୱରେ ଥିବାବେଳେ ଶ୍ରୀ ପ୍ରଧାନ ସାରା ଦେଶରେ ନିରନ୍ତର ଅକ୍ସିଜେନ ଯୋଗାଣକୁ ସୁନିଶ୍ଚିତ କରିବାର ଗୁରୁ ଦାୟିତ୍ବ ନେଇଥିଲେ। ସେହିପରି ତିନି ଦଶନ୍ଧି ପରେ ପ୍ରଣିତ ନୂଆ ଜାତୀୟ ଶିକ୍ଷା ନୀତିକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି।

ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ଉଲ୍ଲେଖନୀୟ। ଆଇଆଇଏମ୍‌ ସମ୍ବଲପୁର, ଏସ୍‌ଡିଆଇ ଭୁବନେଶ୍ୱର, ଆଇସିଟି- ମୁମ୍ବାଇ, ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟ- ଭୁବନେଶ୍ୱର, ଆଇଜର – ବ୍ରହ୍ମପୁର, ଓଡ଼ିଶା ରିସର୍ଚ୍ଚ ସେଣ୍ଟର- ଭୁବନେଶ୍ୱର ସହ ଆଇଆଇଏମ୍‌ ସମ୍ବଲପୁରରେ ରଙ୍ଗବତୀ ସେଣ୍ଟର ପ୍ରତିଷ୍ଠା କରିବାର ଦାୟିତ୍ୱ ଶ୍ରୀ ପ୍ରଧାନ ନେଇଛନ୍ତି। ତାଙ୍କ ଦ୍ୱାରା ଆଇଆଇଟି ଭୁବନେଶ୍ୱରରେ ରିସର୍ଚ୍ଚ ପାର୍କ ସହ ଆଇଆଇଏମ୍‌ ସମ୍ବଲପୁରରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପ୍ରତିଷ୍ଠା କରାଯାଇଛି। ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର ଓ ଭଦ୍ରକରେ ୫ଟି ସ୍କିଲ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ରାଜ୍ୟସଭା ସାଂସଦ ଥାଇ ଦୁଇ ଦୁଇ ଥର କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ହେବା ପରେ ଏବେ ତୃତୀୟ ଥର ପାଇଁ ପୁଣି ମନ୍ତ୍ରୀ ହୋଇ ସେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button