ଭାଙ୍ଗିଲା ବିଜେଡି ଗଡ଼: ଅନୁଗୁଳରେ ୫ ଆସନରୁ ୩ ଛଡ଼ାଇନେଲା ବିଜେପି – Kalinga News

[ad_1]
ଅନୁଗୁଳ: ବିଜେଡିର ଗଡ଼ ଥିଲା ଅନୁଗୁଳ। ୨୦୧୪ ଓ ୨୦୧୯ ନିର୍ବାଚନରେ ଅନୁଗୁଳର ସମସ୍ତ ୫ଟି ଯାକ ଆସନରେ ଜିତିଥିଲା ବିଜେଡି। ହେଲେ ଏଥର ମାଟି କାମୁଡ଼ିଛି। ୫ରୁ ୩ଟି ଆସନ ବିଜେପି ଛଡ଼ାଇ ନେଇଥିଲା ବେଳେ ହାତରୁ ଲୋକସଭା ଆସନ ବି ଯାଇଛି। କେବଳ ତାଳଚେର ଓ ଆଠମଲ୍ଲିକରେ ଜିତିଛି ବିଜେଡି। ଦଳ ଗଠନ ପରଠାରୁ ଅନୁଗୁଳରେ କେବେ ହାରି ନଥିଲା ବିଜେଡି। ଏଥର ଦଳର ସ୍ଥିତି ଦୋହଲି ଯାଉଥିବା ଜାଣି ମହିଳା କାର୍ଡ ଖେଳିଥିଲା ଦଳ। ବିଧାୟକ ରଜନୀକାନ୍ତ ସିଂହଙ୍କ ବଦଳରେ ତାଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ଦଳ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ବିଜେପିର ପ୍ରତାପ ପ୍ରଧାନ ୧୭,୪୩୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏହା ସହ ପ୍ରଥମ ଥର ପାଇଁ ଏହି ଆସନ ହାତେଇଛି ବିଜେପି। ସେହିପରି ଛେଣ୍ଡିପଦା ଆସନରେ ହାଟ୍ରିକ୍ ଅପେକ୍ଷାରେ ଥିବା ବିଜେଡି ବିଧାୟକ ସୁଶାନ୍ତ ବେହେରା ଏଥର ଝୁଣ୍ଟିଛନ୍ତି। ତାଙ୍କୁ ବିଜେପିର ଅଗସ୍ତି ବେହେରା ୧୫,୦୬୩ ଖଣ୍ଡ ଭୋଟରେ ପରାସ୍ତ କରି ବିଜେପିର ଖାତା ଖୋଲିଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ତୃତୀୟ ମୁକାବିଲାରେ ବାଜି ମାରି ନେଇଛନ୍ତି ଅଗସ୍ତି। ଏପଟେ ପାଳଲହଡ଼ାରେ ପରିବର୍ତ୍ତନର ଧାରା ଜାରି ରହିଛି। ୨୦୦୦ ପରଠାରୁ ଏଠାରେ କୌଣସି ବିଧାୟକ ଲଗାତାର ଦ୍ବିତୀୟ ଥର ପାଇଁ ବିଜୟୀ ହୋଇ ନଥିଲାବେଳେ ଏଥର ମତଦାତା ବିଧାୟକ ମୁକେଶ ପାଳଙ୍କ ଉପରୁ ମୁହଁ ଫେରାଇ ନେଇଛନ୍ତି। ଏଠାରେ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତି ୭୫୬୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ପାଳଲହଡ଼ା ଓ ଛେଣ୍ଡିପଦାରେ ବିଧାୟକମାନେ ପରାସ୍ତ ହୋଇଥିଲା ବେଳେ ଅନୁଗୁଳରେ ବିଧାୟକଙ୍କ ପତ୍ନୀ ପରାସ୍ତ ହୋଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଅପରପକ୍ଷରେ ବିଜେଡିର ସମ୍ମାନ ରଖିଛି ତାଳଚେର ଓ ଆଠମଲ୍ଲିକ। ବିଜେଡିର ଦୁର୍ଗ କୁହାଯାଉଥିବା ଆଠମଲ୍ଲିକରେ ଦଳ ଏଥର ବିଧାୟକ ରମେଶ ସାଏଙ୍କ ଟିକେଟ କାଟି ନଳିନୀ ପ୍ରଧାନଙ୍କୁ ଟିକେଟ ଦେଇଥିଲା। ସେ ଦଳକୁ ନିରାଶ କରି ନାହାନ୍ତି। ବିଜେପିର ସଂଜୀବ ସାହୁଙ୍କୁ ୧୬,୧୫୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ନଳିନୀ। ସେହିପରି ତାଳଚେର ଆସନରେ ଏକତରଫା ଜିତିଛି ବିଜେଡି। ଏଠାରେ ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଲଗାତାର ଭାବେ ଚତୁର୍ଥ ଥର ପାଇଁ ବିଧାୟକ ଭାବେ ବିଜୟୀ ହୋଇଛନ୍ତି। ସେ ୩୨,୧୨୨ ଭୋଟ ବ୍ୟବଧାନରେ କାଳନ୍ଦୀ ସାମଲଙ୍କୁ ପରାସ୍ତ କରିଛନ୍ତି। ବିଧାନସଭା ଫଳାଫଳକୁ ଦେଖିଲେ ବିଜେଡି ବିଜୟୀ ହୋଇଥିବା ଉଭୟ ଆସନରେ ଭଲ ବ୍ୟବଧାନରେ ବିଜୟୀ ହୋଇଛି। ସେହିପରି ଅନୁଗୁଳ ଓ ଛେଣ୍ଡିପଦା ଆସନରେ ମଧ୍ୟ ବିଜେପି ଏକପାଖିଆ ଜିତିଛି। ହେଲେ ପାଳଲହଡ଼ାରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଏଠାରେ ଆରମ୍ଭରୁ ବିଜେଡି ଆଗୁଆ ରହି ଆସୁଥିଲା। ହେଲେ ଶେଷ ବେଳକୁ ବାଜି ପଲଟିଥିଲା। ଏହି ନିର୍ବାଚନ ସହ ଅନୁଗୁଳ ୪ ଜଣ ନେତାଙ୍କୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ କରିଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ବ୍ୟତୀତ ଅନ୍ୟ ୪ଟି ଆସନରେ ନୂଆ ନେତା ବିଧାନସଭାକୁ ଯିବେ।
[ad_2]