ମନୋରଞ୍ଜନ

କ୍ରିକେଟ୍‌ ଜରିଆରେ ଦାମ୍ପତ୍ୟ ସମ୍ପର୍କର ବାସ୍ତବ ଚିତ୍ର – Kalinga News

[ad_1]


ଆଇପିଏଲ୍‌ର ଜ୍ବର ଠିକ୍ ଉତୁରିବା ଆରମ୍ଭ କରୁଥିବା ବେଳେ ‘ମିଷ୍ଟର୍‌ ଆଣ୍ଡ୍‌ ମିସେସ୍‌ ମାହି’ର ନିର୍ମାତାମାନେ ଏକ କ୍ରିକେଟ୍‌କୈନ୍ଦ୍ରିକ ଚଳଚ୍ଚିତ୍ର ଜରିଆରେ ବ୍ୟାବସାୟିକ ସଫଳତା ହାସଲର ଚତୁର ଉଦ୍ୟମ କରିଛନ୍ତି। କାହାଣୀର ପୃଷ୍ଠଭୂମି, ଅଭିନେତାମାନଙ୍କ ପ୍ରଦର୍ଶନ ଓ ପ୍ରଥମ ଦିନରେ ଦର୍ଶକପୂର୍ଣ୍ଣ ପ୍ରେକ୍ଷାଳୟକୁ ଲକ୍ଷ୍ୟ କରି ମନେହୁଏ ନିର୍ମାତାମାନେ ସେହି ଉଦ୍ୟମରେ ସଫଳ ହୋଇଛନ୍ତି।

ଏହି ସିନେମା କ୍ରିକେଟ୍‌ ଖେଳକୁ ନେଇ ଆରମ୍ଭ ହୋଇଥିଲେ ହେଁ ଏହା ଖେଳ ଜରିଆରେ ଆଧୁନିକ ବିବାହରେ ସମ୍ପର୍କର ପିଚ୍ଛିଳ ଜୀବନଯାତ୍ରାକୁ ନୂଆ ଢଙ୍ଗରେ ପ୍ରଦର୍ଶିତ କରିଛି। ତେଣୁ କ୍ରିକେଟ୍‌ ଖେଳ ଏହି କାହାଣୀର କେନ୍ଦ୍ରରେ ଅଛି ବୋଲି କହିବା ଭ୍ରମାତ୍ମକ ହେବ। କ୍ରିକେଟ୍‌ ଛଡ଼ା ଅନ୍ୟ ଯେକୌଣସି କ୍ରୀଡ଼ାକୁ ନେଇ ଏହାର କାହାଣୀ ଲେଖାଯାଇପାରନ୍ତା, କିନ୍ତୁ ଭାରତରେ କ୍ରିକେଟ୍‌ର ଲୋକପ୍ରିୟତା ଯୋଗୁଁ ନିର୍ମାତାମାନଙ୍କ ନିଷ୍ପତ୍ତି ଯେ ଯଥାର୍ଥ ସେଥିରେ କୌଣସି ସନ୍ଦେହ ନାହିଁ।

ଅତ୍ୟନ୍ତ ଦକ୍ଷତାସଂପନ୍ନ ଅଭିନେତା ରାଜକୁମାର ରାଓଙ୍କ ସହିତ ଅପେକ୍ଷାକୃତ ଅପରିପକ୍ବ ଜାହ୍ନବୀ କପୁରଙ୍କ ଯୋଡ଼ିର ଗ୍ରହଣୀୟତାକୁ ନେଇ ମନରେ ସଂଶୟ ସୃଷ୍ଟି ହେବା ସ୍ବାଭାବିକ। ତେବେ ନିର୍ଦେଶକ ଶରଣ ଶର୍ମାଙ୍କୁ ଏଥିପାଇଁ ପ୍ରଶଂସା କରିବାକୁ ହେବ ଯେ ଜାହ୍ନବୀଙ୍କୁ ସେ ଜଣେ ଦର୍ଶନୀୟ ଅଭିନେତ୍ରୀର ସ୍ତରକୁ ଉତ୍ତୀର୍ଣ୍ଣ କରିପାରିଛନ୍ତି। ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ପୂର୍ବରୁ ଜାହ୍ନବୀ ସାମାଜିକ ଗଣମାଧ୍ୟମ ମଞ୍ଚ ‘ରେଡିଟ୍‌’ରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଯାହା ଖୁବ୍ ଶୋଚନୀୟ ଦଶା ଭୋଗିଥିଲା। ତେବେ ଏଥିରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଲେଖିଥିଲେ ଯେ ‘ମିଷ୍ଟର୍‌ ଆଣ୍ଡ୍‌ ମିସେସ୍‌ ମାହି’ ଲାଗି ସେ ଦୁଇ ବର୍ଷରୁ ଅଧିକ ପ୍ରସ୍ତୁତି କରିଥିଲେ। ପେସାଦାର କ୍ରିକେଟର୍‌ଙ୍କ ଭଳି ଖେଳିବା ପାଇଁ ସେ ଦିନକୁ ଛଅ ଘଣ୍ଟା କଠିନ ବ୍ୟାୟାମ ଓ ଅଭ୍ୟାସ କରୁଥିଲେ। ତଥାପି ଆଘାତ ଲାଗିବା ଯୋଗୁଁ ସେ ଟେନିସ୍‌ ବଲ୍‌ ଓ ହାଲୁକା ବ୍ୟାଟ୍‌ରେ ଅର୍ଦ୍ଧାଧିକ ସୁଟିଂ କରିଥିଲେ।
ଏହି ଚଳଚ୍ଚିତ୍ରର ବିଶେଷତ୍ବ ହେଲା ଏଥିରେ ସମସାମୟିକ ଦାମ୍ପତ୍ୟ ଜୀବନ ପ୍ରତି ଅସୁରକ୍ଷା ଭାବନା ଓ ବ୍ୟକ୍ତିଗତ ମହତ୍ତ୍ବାକାଂକ୍ଷାର ବିପଦକୁ ବାସ୍ତବିକ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି। ପ୍ରେମ ସମ୍ପର୍କ ମଧ୍ୟରେ ଲୁଚିଥିବା ସ୍ବାର୍ଥପରତାକୁ ପ୍ରଦର୍ଶିତ କରି ନିର୍ଦେଶକ ସନ୍ଦେଶ ଦେଇଛନ୍ତି ଯେ ପ୍ରେମ ନିଖୁଣ ନ ହେଲେ ମଧ୍ୟ ସୁଖଦ ଦାମ୍ପତ୍ୟ ଜୀବନ ସମ୍ଭବ।

କ୍ରିକେଟ୍‌କୁ ନିଜ ଜୀବନର ସବୁକିଛି ଭାବୁଥିବା ମହେନ୍ଦ୍ର (ରାଜକୁମାର) କ୍ରିକେଟ୍‌ରେ ନାଁ କରିବାରେ ବିଫଳ ହୋଇ ପିତାଙ୍କ ଦୋକାନରେ କାମ କରୁଛନ୍ତି। ଇତିମଧ୍ୟରେ ଡାକ୍ତର ପେସାରେ ଥିବା ମହିମା (ଜାହ୍ନବୀ)ଙ୍କ ସହିତ ତାଙ୍କ ବିବାହ ସ୍ଥିର ହୋଇଛି। ମହେନ୍ଦ୍ର ଅସଫଳ ବୋଲି ଜାଣିବା ସତ୍ତ୍ବେ ତାଙ୍କ ସତ୍ୟନିଷ୍ଠା ଦେଖି ମହିମା ତାଙ୍କୁ ବିବାହ କରିବାକୁ ରାଜି ହୋଇଯାଉଛନ୍ତି। ବିବାହ ପରେ ଉଭୟ ପରସ୍ପରଙ୍କ କ୍ରିକେଟ୍‌ ପ୍ରେମକୁ ଆବିଷ୍କାର କରୁଛନ୍ତି। ପୁଣି ଥରେ ନିଜର କ୍ରିକେଟ୍‌ ସ୍ବପ୍ନ ପୂରଣ କରିବା ଲାଗି ମହେନ୍ଦ୍ରଙ୍କୁ ଉତ୍ସାହିତ କରନ୍ତି ମହିମା। ଚିରାଚରିତ କାହାଣୀରେ ପ୍ରେମର ଶକ୍ତି ପ୍ରଦର୍ଶନ ସ୍ବରୂପ ମହେନ୍ଦ୍ର ସଫଳତା ହାସଲ କରିବା କଥା। କିନ୍ତୁ ସେ ପଡ଼ିଆକୁ ଫେରି ଆବିଷ୍କାର କରୁଛନ୍ତି ଯେ ସେ ଜଣେ ସାଧାରଣ ସ୍ତରର ଖେଳାଳି। ଏହି କ୍ରୂର ବାସ୍ତବତାକୁ ଗ୍ରହଣ କରିବା ଓ ପ୍ରସିଦ୍ଧି ଅର୍ଜନର ଅହେତୁକ ଅଭିଳାଷକୁ ରାଜକୁମାର ଅତି ସହଜରେ ଅନ୍ତଃସ୍ଥ କରିଛନ୍ତି। ମହେନ୍ଦ୍ର ଏହା ପରେ ମହିମାଙ୍କ ଚମତ୍କାର କ୍ରିକେଟ୍‌ ପ୍ରତିଭା ଦେଖି ତାଙ୍କୁ କ୍ରିକେଟ୍‌ ଖେଳିବାକୁ ଅନୁପ୍ରାଣିତ କରୁଛନ୍ତି। ମହିମାଙ୍କ ସଫଳତା କିନ୍ତୁ ରାଜକୁମାରଙ୍କୁ ଈର୍ଷାନ୍ବିତ କରିଦେଉଛି। ଏହି କାରଣରୁ ସମ୍ପର୍କରେ ସୃଷ୍ଟି ହୋଇଥିବା କ୍ଷତକୁ ଦୁଇଜଣ କିଭଳି ଠିକ୍ କରୁଛନ୍ତି ତାହା ଶିକ୍ଷଣୀୟ ବାର୍ତ୍ତା ଦେଇଛି। ଏକ ପାରିବାରିକ ସିନେମା ଭାବେ ‘ମିଷ୍ଟର୍‌ ଆଣ୍ଡ୍‌ ମିସେସ୍‌ ମାହି’ ପର୍ଯ୍ୟାପ୍ତ ମନୋରଂଜନ କରୁଥିଲେ ହେଁ ବେଖାପ ତଥା ପୌନଃପୁନିକ ସଂଳାପ ଓ ପ୍ରତ୍ୟାଶିତ ମୋଡ଼ମାନ ଠାଏ ଠାଏ ବିରକ୍ତି ଭାବ ସୃଷ୍ଟି କରିଥାଏ।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button