ରାସ୍ତାଘାଟରେ ଘମାଘୋଟ ପ୍ରଚାର: ବିକାଶକୁ ଆୟୁଧ କରିଛନ୍ତି ବିଜେଡି ପ୍ରାର୍ଥୀ – Kalinga News

[ad_1]
ଭୁବନେଶ୍ବର: ଗୋଟିଏ ସମୟରେ ଦୁଇଟି ନିର୍ବାଚନ। ଲୋକସଭା ସାଙ୍ଗକୁ ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହେବ। ହାତରେ ଆଉ ମାତ୍ର ୧୦ ଦିନ ରହିଛି। ତେଣୁ ଭୋଟରଙ୍କୁ ଯେକୌଣସି ପ୍ରକାରେ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ପଛାଉ ନାହାନ୍ତି। କଳେବଳେ କୌଶଳେ ଲୋକଙ୍କ ନିକଟତର ହେଉଛନ୍ତି। କିଏ ବିକାଶର ନାରା ଦେଉଛନ୍ତି ତ ଆଉ କିଏ ଲୋକଙ୍କ ସେବାରେ ନିଜକୁ ଉର୍ତ୍ସଗୀକୃତ ବୋଲି କହୁଛନ୍ତି। ରାସ୍ତାଘାଟରେ ଆରମ୍ଭ ହୋଇଗଲାଣି ଘମାଘୋଟ ପ୍ରଚାର। ବିଜେଡି, ବିଜେପି, କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଗାଡ଼ିରେ ପ୍ରଚାର ଚାଲିଛି। କର୍ମୀ ମଧ୍ୟ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ତା’ସାଙ୍ଗକୁ ପ୍ରାର୍ଥୀମାନେ ସଭା, ଶୋଭାଯାତ୍ରା, ପଦଯାତ୍ରା, ରୋଡ୍ ସୋ’ କରି ଶକ୍ତି ପ୍ରଦର୍ଶନ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିକାଶକୁ ଆୟୁଧ କରିଛନ୍ତି ବିଜେଡି ପ୍ରାର୍ଥୀ
କେନ୍ଦ୍ର ସରକାରଙ୍କ ସଫଳତା ବଖାଣୁଛନ୍ତି ବିଜେପି ପ୍ରାର୍ଥୀ
ବିଜେଡି, ବିଜେପିର ବିଫଳତା କହୁଛନ୍ତି କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରର ତିନି ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ନଜର ପକାଇଲେ, ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଛି। ମୋଟର ସାଇକେଲ ଶୋଭାଯାତ୍ରାରେ ବ୍ୟାପକ ପ୍ରଚାର କରି ଯୁବ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ପ୍ରାର୍ଥୀମାନେ ଉଦ୍ୟମ କରିଛନ୍ତି। ସକାଳୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡ ବୁଲି ଯୁବ ଭୋଟରଙ୍କ ଠାରୁ ଆରମ୍ଭ କରି ମହିଳା, ବୟସ୍କଙ୍କ ସହ ସମ୍ପର୍କ ଯୋଡ଼ିବାକୁ ପ୍ରୟାସ କରୁଛନ୍ତି। ପ୍ରଚଣ୍ଡ ରୌଦ୍ରତାପରେ ପ୍ରଚାର ଗାଡ଼ି ଅଟକି ରହୁ ନାହିଁ। ବରଂ ଗୋଟିଏ ପରେ ଗୋଟିଏ ୱାର୍ଡ ଅତିକ୍ରମ କରି ଭୋଟରଙ୍କ ନିକଟରେ ପ୍ରାର୍ଥୀଙ୍କ ବାର୍ତ୍ତା ପହଞ୍ଚାଉଛି। ବିଜେଡିର ତିନି ବିଧାୟକ ପ୍ରାର୍ଥୀ, ଯଥା ଏକାମ୍ର ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ଭୁବନେଶ୍ବର ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଓ ମଧ୍ୟ ଭୁବନେଶ୍ବର ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ପ୍ରଚାର ମଇଦାନକୁ ବ୍ୟାପକ କରିବା ସହ ଭୋଟ ହାତେଇବାକୁ ଲାଗିପଡ଼ିଛନ୍ତି। ୱାର୍ଡ ସ୍ତରରେ କର୍ପୋରେଟରମାନେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ସକାଳ ହେବା କ୍ଷଣି ପ୍ରଚାର ପାଇଁ ପ୍ରସ୍ତୁତ ଡାକବାଜି ଯନ୍ତ୍ରରୁ ବିଜେଡିର ସଙ୍ଗୀତ ଭାସି ଆସୁଛି। ମଝିରେ ମଝିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିନ୍ଦାବାଦ ସ୍ଲୋଗାନ ବି ଶୁଣାଯାଉଛି। ବିକାଶର ନାରା ଦେଇ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଏବେ ଗାଁ, ବସ୍ତି ଓ କଲୋନିରେ ବୁଲୁଛନ୍ତି। ଗତ ୫ ବର୍ଷ ମଧ୍ୟରେ ବିଧାନସଭା କ୍ଷେତ୍ରରେ କିଭଳି ଉନ୍ନତୀକରଣ ହୋଇଛି ବିଜେଡି ପ୍ରାର୍ଥୀମାନେ ତାହାକୁ ଦର୍ଶାଉଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟିକୁ ଦେଶରେ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇବାକୁ ବିଜେଡି ସଂକଳ୍ପବଦ୍ଧ ବୋଲି ପ୍ରାର୍ଥୀମାନେ କହୁଛନ୍ତି।
ବିଜେପି ପ୍ରାର୍ଥମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହୋହାଲ୍ଲା ମଧ୍ୟରେ ତିନି ନିର୍ବାଚନମଣ୍ଡଳୀରେ ପ୍ରଚାର କରୁଛନ୍ତି। ମଧ୍ୟ ଭୁବନେଶ୍ବରରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଉତ୍ତର ଭୁବନେଶ୍ବରରେ ପ୍ରିୟଦର୍ଶୀ ମିଶ୍ର ଓ ଏକାମ୍ର ପ୍ରାର୍ଥୀ ବାବୁ ସିଂହ ଭୋଟରଙ୍କ ନିକଟତର ହେଉଛନ୍ତି। ଅଧାପନ୍ତରିଆ ସ୍ମାର୍ଟ ସିଟିର ପୂର୍ଣ୍ଣାଙ୍ଗ ରୂପ, ସହରର ଡ୍ରେନ ସମସ୍ୟାର ସମାଧାନ, ଭୁବନେଶ୍ୱର ସହରକୁ କୃତ୍ରିମ ବନ୍ୟାରୁ ରକ୍ଷା, ଐତିହ୍ୟ ସହର ଭୁବନେଶ୍ୱରର କୀର୍ତ୍ତିରାଜିଙ୍କର ସୁରକ୍ଷା ଓ ବିକାଶ, ଦେଶର ପର୍ଯ୍ୟଟନ ମାନଚିତ୍ରରେ ଭୁବନେଶ୍ୱରକୁ ସ୍ଥାନଦେବା, ସହରକୁ ବସ୍ତି ମୁକ୍ତ କରିବା, ଅଳିଆ ଆବର୍ଜନା ବନ୍ଦ କରିବା, ସମସ୍ତଙ୍କୁ ଜମିପଟ୍ଟା ସହ ଛାତଘର ଯୋଗାଇଦେବା ପରି ପ୍ରତିଶ୍ରୁତି ଦେଇ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ଲୋକଙ୍କ ପାଖକୁ ଯାଉଛନ୍ତି। ଗଳିକନ୍ଦିରେ ଶୋଭାଯାତ୍ରା ରାଜନୈତିକ ବାତାବରଣକୁ ଅଧିକ ଉଷ୍ମ କରୁଛି। ବିଜେପି କର୍ପୋରେଟରମାନେ ମଧ୍ୟ ବିଧାୟକ ପ୍ରାର୍ଥୀଙ୍କ ସହ ମିଶି ସହରର ବିଭିନ୍ନ ୱାର୍ଡ ବୁଲୁଛନ୍ତି। ତିନି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଏଥର ନୂଆମୁହଁ ଦେଇଥିବାରୁ ପ୍ରାର୍ଥୀମାନଙ୍କ ପାଇଁ ଭୋଟରଙ୍କ ପାଖରେ ପହଞ୍ଚିବା ଟିକିଏ କଷ୍ଟକର ହେଉଛି। ତଥାପି ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ଜେନା, ଏକାମ୍ର ଭୁବନେଶ୍ବର ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତ୍ତି, ଉତ୍ତର ଭୁବନେଶ୍ବର ପ୍ରାର୍ଥୀ ଅଶୋକ ଦାସ ଏବେ ଶୋଭାଯାତ୍ରା କରି ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି। ବିଏମ୍ସିରେ କଂଗ୍ରେସର ଜଣେ ବି ପ୍ରତିନିଧି ନ ଥିବାରୁ ଏହି ତିନି ପ୍ରାର୍ଥୀଙ୍କ ସହ କୌଣସି କର୍ପୋରେଟର ନାହାନ୍ତି। କେବଳ ୱାର୍ଡ ସ୍ତରୀୟ କିଛି ନେତା ପ୍ରଚାରର ମଙ୍ଗ ଧରୁଛନ୍ତି। ଅନ୍ୟାନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ମଧ୍ୟ ପ୍ରଚାର ମଇଦାନକୁ ସରଗରମ କରୁଥିବା ଦେଖିବାକୁ ମିଳିଛି।
ବିଜେଡି ଇସ୍ତାହାର ସମ୍ପର୍କରେ ବୁଝାଇଲେ ଅଶୋକ, ଏକାମ୍ରରେ ବିଜେଡିର ପରିବାର ସମ୍ପର୍କ ଅଭିଯାନ
ଭୁବନେଶ୍ବର: ଆଜି ଅପରାହ୍ନରେ ଏକାମ୍ର ନିର୍ବାଚନମଣ୍ଡଳୀର ୨୧ ନମ୍ବର ୱାର୍ଡରେ ବିଜେଡିର ପରିବାର ସମ୍ପର୍କ ଅଭିଯାନ ଆୟୋଜିତ ହୋଇଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦଳୀୟ କର୍ମୀଙ୍କ ସହ ଭୀମେଶ୍ୱର ମନ୍ଦିରରୁ ଅଭିଯାନରେ ବାହାରି ବିଡିଏ ପାର୍କ, ଖଣ୍ଡୁଆଳ ବସ୍ତି, ବେହେରା ସାହି, ବାଉଁଶ ଖଣି ବସ୍ତି, ପିପୁଲ୍ସ୍ ବସ୍ତି, ଜଗନ୍ନାଥ ମନ୍ଦିର ଓ ନାରାୟଣୀ କ୍ଲବ ଆଦି ଅଞ୍ଚଳରେ ଘରକୁ ଘର ବୁଲି ବୁଲି ଭୋଟ ଭିକ୍ଷା କରିଥିଲେ। ଏହି ଅବସରରେ ସେ ବିଜେଡିର ଇସ୍ତାହାର ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେଲା ପରେ ୧୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ମିଳିବ ବୋଲି ସେ କହିଥିଲେ। ଏହା ସହ ଯୁବକ, ବରିଷ୍ଠ ନାଗରିକ, ଚାଷୀ, ମହିଳା ସମସ୍ତଙ୍କ ପାଇଁ ବିଜେଡି ଇସ୍ତାହାରରେ ବିଭିନ୍ନ ଘୋଷଣା କରାଯାଇଛି। ବିଜେଡି ସରକାରକୁ ଆସିଲା ପରେ ସେସବୁ କାର୍ଯ୍ୟକାରୀ କରାଯିବ। ଏକାମ୍ର ଭୁବନେଶ୍ବରରେ କିପରି ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇଛି, ତାହାର ମଧ୍ୟ ହିସାବ ଦେଇଥିଲେ ଅଶୋକ। ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, କାର୍ପୋରେଟର୍ ଶିବ ନାରାୟଣ ରାୟ, ପୂର୍ବତନ କର୍ପୋରେଟର ଛବୀନ୍ଦ୍ର ଜେନା ଓ ସୁରେଶ ବାରିକ ଉପସ୍ଥିତ ଥିଲେ।
[ad_2]