ଖେଳ ଖବର

ଆର୍‌ସିବିର କ୍ରମାଗତ ଚତୁର୍ଥ ବିଜୟ: ପଞ୍ଜାବ କିଙ୍ଗ୍ସ ଆଶା ଧୂଳିସାତ୍‌ – Kalinga News

[ad_1]

ଧର୍ମଶାଳା: ପ୍ରଥମ ୮ ମ୍ୟାଚ୍‌ରୁ ୭ଟି ହାରିଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରବର୍ତ୍ତୀ ୪ ମ୍ୟାଚ୍ ଜିତି ପ୍ଲେଅଫ୍‌ ଆଶାକୁ କାଏମ ରଖିଛି। ଏହି ଦଳର ଭାଗ୍ୟ ସୂତାଖିଅରେ ଝୁଲୁଥିଲେ ମଧ୍ୟ କ୍ରମାଗତ ବିଜୟ ଏହାକୁ ଉଜ୍ଜୀବିତ କରିଛି। ଗୁରୁବାର ମୁକାବିଲାରେ ଆର୍‌ସିବି ୬୦ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି ପରାଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପରେ ଦ୍ବିତୀୟ ଦଳ ଭାବେ ପଞ୍ଜାବ କିଙ୍ଗ୍ସର ପ୍ଲେଅଫ୍ ଆଶା ଧୂଳିସାତ୍ ହୋଇଯାଇଛି। ଗୁରୁବାର ‘କର ବା ମର’ ସ୍ଥିତିରେ ଥାଇ ପଡ଼ିଆକୁ ଓହ୍ଲାଇଥିଲେ ଦୁଇ ଦଳ। ବିରାଟଙ୍କ ବିରାଟ ପାଳି ବଳରେ ଆର୍‌ସିବି ୨୪୧ ରନ୍ ସଂଗ୍ରହ କରିନେବା ପରେ ପଞ୍ଜାବ କିଙ୍ଗ୍ସ ୩ ଓଭର ପୂର୍ବରୁ ୧୮୧ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଆକର୍ଷଣୀୟ ପାଳି ପାଇଁ ବିରାଟ କୋହଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ବିରାଟ କୋହଲି ଓ ରଜତ ପଟିଦାରଙ୍କ ବିସ୍ଫୋରକ ବ୍ୟାଟିଂ ସହିତ ତଳ ଓଭରଗୁଡ଼ିକରେ କାମେରନ୍‌ ଗ୍ରିନ୍‌ଙ୍କ ଧୂଲେଇ ବଳରେ ଚଳିତ ଆଇପିଏଲ୍‌ର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପୁଣି ଥରେ ଦଳଗତ ଦ୍ବିଶତକ ପାର୍‌ କରିଥିଲା। ୨୪୧ ରନ୍‌ ସହ ଆଇପିଏଲ୍‌ରେ ଆର୍‌ସିବି ଚତୁର୍ଥ ସର୍ବୋଚ୍ଚ ସ୍କୋର କରିଥିଲା। ଟସ୍‌ ଜିତି ପଞ୍ଜାବ କ୍ଷେତ୍ରରକ୍ଷଣ କରିଥିଲା ବେଳେ ବିଦ୍ବତ୍‌ କାଭିରପ୍ପା ନିଷ୍ପତ୍ତିକୁ ଯଥାର୍ଥ ପ୍ରମାଣିତ କରିଥିଲେ। ପାୱାରପ୍ଲେ ଭିତରେ ଫାଫ୍‌ ଡୁପ୍ଲେସିସ୍‌ (୯) ଓ ୱି‌ଲ୍‌ ଜାକ୍ସ (୧୨)ଙ୍କୁ କାଭିରପ୍ପା ଆଉଟ୍‌ କରିଥିଲେ। କିନ୍ତୁ ଏହାପରେ କୋହଲି ଓ ପଟିଦାର (୫୫) ତୃତୀୟ ୱିକେଟ୍‌ରେ ୭୬ ରନ୍‌ ଯୋଡ଼ି ନବମ ଓଭର ବେଳକୁ ଶତକ ସ୍କୋରରେ ପହଞ୍ଚାଇ ଦେଇଥିଲେ। ପଟିଦାରଙ୍କ ପରେ ଗ୍ରିନ୍‌ଙ୍କୁ ସାଥୀ କରି କୋହଲି ଦଳକୁ ଦ୍ରୁତ ଭାବରେ ୨୦୦ ରନ୍‌ ଅତିକ୍ରମ କରାଇଥିଲେ। କୋହଲି (୯୨ରନ୍‌, ୪୭ ବଲ୍‌, ୭ଚୌକା, ୬ଛକା) କିନ୍ତୁ ଦ୍ରୁତ ଭାବେ ଶତକ ଆଡ଼କୁ ଅଗ୍ରସର ହେଉଥିଲା ବେଳେ କଭର ଉପରେ ଛକା ମାରିବାକୁ ଯାଇ ରିଲି ରୁସୋଙ୍କ ହାତରେ କ୍ୟାଚ୍‌ ହୋଇଯାଇଥିଲେ। ଦୀନେଶ କାର୍ତ୍ତିକ (୧୭) ଓ ଗ୍ରିନ୍‌ (୪୬) ବାଉଣ୍ଡରି ପ୍ରହାର କରିଥିଲେ। ହର୍ଷଲ ପଟେଲ୍‌ (୨୦ ୱିକେଟ୍‌) ବାଇଗଣୀ ଟୋପି ହାସଲ କରିଛନ୍ତି।

ସଂକ୍ଷିପ୍ତ ସ୍କୋର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୨୪୧/୭ (ବିରାଟ କୋହଲି-୯୨, ରଜତ ପଟିଦାର-୫୫, କାମେରନ୍‌ ଗ୍ରିନ୍‌-୪୬, ହର୍ଷଲ ପଟେଲ୍‌-୩/୩୮, ବିଦ୍ବତ୍‌ କାଭିରପ୍ପା-୨/୩୬)। ପଞ୍ଜାବ କିଙ୍ଗ୍ସ ୧୭ ଓଭରରେ ୧୮୧/୧୦ (ରିଲି ରୁସୋ-୬୧, ଶଶାଙ୍କ ସିଂହ-୩୭, ଜନି ବେୟାରଷ୍ଟୋ-୨୭, ସାମ୍‌ କରନ୍‌-୨୨, ମହମ୍ମଦ ସିରାଜ-୩/୪୩, ସ୍ବପ୍ନିଲ ସିଂହ-୨/୨୮, ଲୋକି ଫର୍ଗୁସନ୍‌-୨/୨୯, କର୍ଣ୍ଣ ଶର୍ମା-୨/୩୬)।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button