ରାଜନୀତି

ଉଦଳାରେ ୨୦୧୯ ଲଢ଼େଇର ପୁନରାବୃତ୍ତି: ଭେଟେରାନ୍‌ ଭାସ୍କରଙ୍କୁ ଟକ୍କର ଦେବେ ଶ୍ରୀନାଥ – Kalinga News

[ad_1]

ବାରିପଦା/ଉଦଳା-୧: ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନମଣ୍ଡଳୀରେ ଏଥର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ପୁଣି ଲଢ଼େଇ ହେବାକୁ ଯାଉଛି। ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ବର୍ତ୍ତମାନର ବିଧାୟକ ଭାସ୍କର ମଢ଼େଇଙ୍କୁ ମିଳିଛି ବିଜେପି ଟିକେଟ୍‌। ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଉଦଳା ଆସନରୁ ବିଜେଡି ଟିକେଟ୍‌ରେ ବିଧାୟକ ହୋଇଥିଲେ ଶ୍ରୀନାଥ। ହେଲେ ୨୦୧୪ରେ ଦଳ ତାଙ୍କ ଟିକେଟ୍‌ କାଟି ଦିବଂଗତ ଗୋଲକ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ବିଜେପିର ଭାସ୍କର ମଢ଼େଇଙ୍କୁ ହରାଇ ଗୋଲକ ବିଜୟୀ ହୋଇଥିଲେ। ୨୦୧୯ରେ ଦଳ କିନ୍ତୁ ପୁଣି ଥରେ ଶ୍ରୀନାଥଙ୍କ ଉପରେ ଭରସା କରିଥିଲା। ଅବଶ୍ୟ ଭେଟେରାନ୍‌ ଭାସ୍କରଙ୍କଠାରୁ ସ୍ବଳ୍ପ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ ସେ। ତେବେ ସାଂଗଠନିକ ଦକ୍ଷତା ଥିବାରୁ ଏଥର ପୁଣି ଶ୍ରୀନାଥଙ୍କୁ ଟିକେଟ୍‌ ଦେଇଛି ବିଜେଡି।

ସେ ମଧ୍ୟ ଦଳୀୟ ନେତା ଓ କର୍ମୀଙ୍କ ସହ ସମନ୍ବୟ ରଖି ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏପଟେ ଭାସ୍କରଙ୍କ ପାଇଁ କିନ୍ତୁ ଏଥର ନିର୍ବାଚନ ଅଗ୍ନିପରୀକ୍ଷା ହେବାକୁ ଯାଉଛି। କାରଣ ଟିକେଟ୍‌ ଘୋଷଣା ପୂର୍ବରୁ ସେ ବିଜେପି ଛାଡ଼ି ବିଜେଡିରେ ମିଶୁଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ସେ ଦଳ ଛାଡ଼ି ନଥିଲେ ଏବଂ ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ୍‌ ଦେଇଥିଲା। ତେବେ ଟିକେଟ୍‌ ଘୋଷଣା ପରେ ଭାସ୍କରଙ୍କୁ ନିଜ ଦଳରୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦଳୀୟ ନେତା ଓ କର୍ମୀ ତାଙ୍କ ବିରୋଧରେ ଖୋଲାଖୋଲି ଶୋଭାଯାତ୍ରା କରିଥିଲେ। ତଥାପି ବିଜେପିର ୩ଥରର ବିଧାୟକ ଭାସ୍କର ନିଜର ରାଜନୈତିକ ଅଭିଜ୍ଞତାକୁ ଆଧାର କରି ବିଦ୍ରୋହର ସ୍ବରକୁ ଦମନ ସହ ପ୍ରଚାର ଜୋରଦାର କରିଛନ୍ତି। ଉଦଳା ବିଧାନସଭା କ୍ଷେତ୍ରରେ ବିକାଶର ଧାରା ଜାରି ରଖିବା ପାଇଁ ପୁଣିଥରେ ସୁଯୋଗ ଦେବା ପାଇଁ ସେ ଜନତାଙ୍କ ସମର୍ଥନ ଲୋଡ଼ୁଛନ୍ତି। ସୂଚନାଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲା ଅଧୀନ ଉଦଳା, କପ୍ତିପଦା ଓ ଜିବିନଗର ବ୍ଲକ୍‌ର ୪୧ଟି ପଞ୍ଚାୟତକୁ ନେଇ ଉଦଳା ନିର୍ବାଚନମଣ୍ଡଳୀ ଗଠିତ। ଗତ ନିର୍ବାଚନରେ ଏଠାରେ ୧ ଲକ୍ଷ ୯୨ ହଜାର ୬୮୦ ଭୋଟର ଥିବା ବେଳେ ଏଥର ସଂଖ୍ୟା ବଢ଼ି ୨ ଲକ୍ଷ ୧ ହଜାର ୯୭୨ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button