ଖେଳ ଖବର

ଓଡ଼ିଶା ଏଫ୍‌ସି-ମୋହନ ବାଗାନ ସେମିଫାଇନାଲ୍ ଆଜି – Kalinga News

[ad_1]

ଭୁବନେଶ୍ବର: ଆଇଏସ୍‌ଏଲ୍‌ର ଦୁଇ ପର୍ଯ୍ୟାୟ ବିଶିଷ୍ଟ ସେମିଫାଇନାଲ୍‌ର ଦ୍ବିତୀୟ ଲଢ଼େଇରେ ରବିବାର ଓଡ଼ିଶା ଏଫ୍‌ସି-ମୋହନ ବାଗାନ ସୁପର ଜାଏଣ୍ଟ୍‌ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ। ଯାହାକୁ ନେଇ ଫୁଟ୍‌ବଲ୍‌ପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିଥିବା ପ୍ରଥମ ପାଦ ସେମିଫାଇନାଲ୍‌ ମୁକବିଲାରେ ଓଡ଼ିଶା ଏଫ୍‌ସି ୨-୧ରେ ବିଜୟୀ ହୋଇଥିଲା। ଏଣୁ ପାଲଟା ମୁକାବିଲାରେ ମଧ୍ୟ ଏହି ସଫଳତା ‌ଦୋହରାଇବା ଆଶାରେ ରହିଛି ଦଳ। ଅନ୍ୟପକ୍ଷରେ କଳିଙ୍ଗରେ ହାରିବାର ଦୁଃଖ ଓ ହତାଶାକୁ ଭୁଲି ମୋହନ ବାଗାନ ନିଜ ଘରୋଇ ମାଟିରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି। ତେବେ ଫାଇନାଲ୍‌ ପ୍ରବେଶ ପାଇଁ ଓଡ଼ିଶାକୁ କେବଳ ମାତ୍ର ‘ଡ୍ର’ ଦରକାର ଥିଲା ବେଳେ ମୋହନ ବାଗାନ ପାଇଁ ଅନ୍ୟୁନ ୨ ଗୋଲ୍ ବ୍ୟବଧାନ ବିଜୟ ଏକାନ୍ତ ଅପରିହାର୍ଯ୍ୟ ହୋଇଛି।

ଅର୍ଥାତ୍ ରବିବାର ମ୍ୟାଚ୍ ଏହି ପୁରୁଣା ତଥା ପ୍ରତିଷ୍ଠିତ କ୍ଲବ୍ ପାଇଁ ଉଭୟ ସମ୍ମାନ ଓ ସଂକଳ୍ପର ପ୍ରଶ୍ନ ହୋଇଛି। କର ବା ମର ସ୍ଥିତିରେ ଥିବାରୁ ଓଡ଼ିଶା ଏଫ୍‌ସି ଅପେକ୍ଷା ମୋହନ ବାଗାନ ଅଧିକ ଚାପରେ ରହିଛି। ଅବଶ୍ୟ ଗତ ମ୍ୟାଚ୍‌ରେ ଲାଲ୍ କାର୍ଡ ପାଇଥିବା ପ୍ରମୁଖ ରକ୍ଷଣଭାଗ ଖେଳାଳି ଡେଲଗାଡୋଙ୍କ ଅନୁପସ୍ଥିତି ଓଡ଼ିଶା ଏଫ୍‌ସି ପାଇଁ ଚିନ୍ତାର କାରଣ ହୋଇପାରେ। ଅନ୍ୟପକ୍ଷରେ ଘରୋଇ ସମର୍ଥକଙ୍କ ଗହଣରେ ମୋହନ ବାଗାନ ଭ୍ରମଣକାରୀ ଓଡ଼ିଶା ଏଫ୍‌ସିକୁ ନିଜ ଜାଲରେ ଫସାଇବାକୁ ନୂଆ ରଣନୀତି କରିଥିବାର ସଙ୍କେତ ଦେଇଛି। ଅଗ୍ରଭାଗରେ ସାଡିକୁଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି କିନ୍ତୁ ଦଳକୁ ଚିନ୍ତାରେ ପକାଇଛି।

ଓଡ଼ିଶା ଏଫ୍‌ସି ମୁଖ୍ୟ ପ୍ରଶିକ୍ଷକ ସର୍ଜିଓ ଲୋ‌ବେରୋ ସ୍ବୀକାର କରିଛନ୍ତି ଘରୋଇ ପରିବେଶରେ ମୋହନ ବାଗାନକୁ ହରାଇବା ସହଜ ହେବନି। ତେବେ ବଡ଼ ମ୍ୟାଚ୍‌ରେ ଭଲ ଖେଳିବାର ଅଭିଜ୍ଞତା ତାଙ୍କ ଦଳର ଅଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି କ୍ରମରେ ସେ ଏଏଫ୍‌ସି କପ୍‌ରେ ଓଡ଼ିଶା ଏଫ୍‌ସିର ସଫଳତାକୁ ଉଦାହରଣ ଭାବେ ନେଇଛନ୍ତି। କୋଲକାତାରେ ଖେଳିବାର ଚାପକୁ ଏଡ଼ାଇ ଦଳ ନିଜ ଦକ୍ଷତା ଉପରେ ଅଧିକ ଧ୍ୟାନ ଦେବ ବୋଲି ସେ କହିଛନ୍ତି। ଅଧିନାୟକ ଜେରି ମାଓମିଙ୍ଗଥଙ୍ଗା ନିଜ ଦଳର ଖେଳାଳିଙ୍କ ଦକ୍ଷତା ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ ଚଳିତବର୍ଷ ଫାଇନାଲ୍ ଖେଳିବା ଲାଗି ଓଡ଼ିଶା ହକ୍‌ଦାର ବୋଲି ମତ ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button