ଜେଲ୍ରୁ ନିର୍ବାଚନ ଲଢ଼ିପାରିବେ ଅମୃତପାଲ, କିନ୍ତୁ ଭୋଟ୍ ଦେଇପାରିବେନି କେଜ୍ରିୱାଲ – Kalinga News
[ad_1]
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଗଣତାନ୍ତ୍ରିକ ନିର୍ବାଚନ ବ୍ୟବସ୍ଥାରେ ବିରୋଧାଭାସ ଓ ଅସଙ୍ଗତି ରହିଛି। ୨୦୨୪ ଲୋକସଭା ନିର୍ବାଚନ ସମୟରେ ଭାରତରେ ଏଭଳି ଏକ ବିରୋଧାଭାସ ସାମ୍ନାକୁ ଆସିଛି। ଏହା ୨୩୦୦ କିଲୋମିଟର ଦୂରରେ ଥିବା ଦୁଇଟି ଭିନ୍ନ ଭିନ୍ନ ଜେଲରେ ବନ୍ଦୀ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ବିଷୟରେ। ‘ୱାରିସ୍ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହ ଆସାମର ଦିବ୍ରୁଗଡ଼ର ଏକ ଜେଲରେ ଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି। ଖାଲିସ୍ତାନ ସମର୍ଥକ ଅମୃତପାଲ ଦିବ୍ରୁଗଡ଼ ଜେଲ ପରିସରରୁ ଲୋକସଭା ନିର୍ବାଚନ ଲଢିବାକୁ ବସିଥିବା ବେଳେ ନିର୍ବାଚିତ ପ୍ରତିନିଧି ଅରବିନ୍ଦ କେଜ୍ରିୱାଲ ଭୋଟ୍ ମଧ୍ୟ ଦେଇପାରିବେ ନାହିଁ। ଭାରତରେ ଲୋକମାନେ ଜେଲରୁ ନିର୍ବାଚନ ଲଢ଼ିପାରିବେ, କିନ୍ତୁ ଜେଲରୁ ଭୋଟ ଦେଇପାରିବେ ନାହିଁ। ଏହା ହେଉଛି ବିରୋଧାଭାସ। କଠୋର ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ୨୦୨୩ ଏପ୍ରିଲ ୨୩ରୁ ଜେଲରେ ଥିବା ବିଚ୍ଛିନ୍ନତାବାଦୀ ଅମୃତପାଲ ସିଂହ ପଞ୍ଜାବର ଖଦୁର ସାହିବ ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ଅମୃତପାଲଙ୍କ ଓକିଲ ରାଜଦେବ ସିଂହ ଖାଲସା ଏହା କହିଛନ୍ତି। ଏକ ମାସରୁ ଅଧିକ ସମୟ ଧରି ବିଲେଇ-ମୂଷା ଖେଳ ଖେଳିବା ପରେ ଅମୃତପାଲ ସିଂହଙ୍କୁ ପଞ୍ଜାବର ମୋଗା ଜିଲ୍ଲାର ରୋଡେ ଗାଁରୁ ଗିରଫ କରାଯାଇଥିଲା। ଏକଦା ଭାରତୀୟ ସମ୍ବିଧାନକୁ ମାନୁନାହାନ୍ତି ବୋଲି କହିଥିବା ଅମୃତପାଲ ଏବେ ଭାରତୀୟ ଗଣତାନ୍ତ୍ରିକ ରାଜନୀତି ଆଡକୁ ଢଳୁଛନ୍ତି, ଯେଉଁଥିପାଇଁ ସମ୍ବିଧାନର ଶପଥ ନେବାକୁ ପଡ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଭାରତରେ ଜେଲରୁ ପ୍ରତିଦ୍ୱନ୍ଦ୍ୱିତା କରିବା କିଛି ନୂଆ କଥା ନୁହେଁ। ୧୯୯୬ ମସିହାରେ ଡନ୍ରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀ ଜେଲରେ ଥିବା ବେଳେ ବିଏସ୍ପି ଟିକେଟରେ ଉତ୍ତରପ୍ରଦେଶର ମଉ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ୨୦୦୫ରୁ ଜେଲରେ ଥିବା ମୁଖତାର ୨୦୦୭, ୨୦୧୨ ଓ ପୁଣି ୨୦୧୭ରେ ତିନି ଥର ଜେଲରୁ ମଉ ବିଧାନସଭା ଆସନ ଜିତିଥିଲେ। ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ ୧୯୯୮ ଲୋକସଭା ନିର୍ବାଚନ ସମୟରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲରେ ଥିଲେ। ସେ ବିହାରର ମଧେପୁରା ଲୋକସଭା ଆସନରୁ ନିର୍ବାଚନ ଲଢ଼ି ଜେଲରୁ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ଭାରତର ଜେଲରୁ ମତଦାନ ପାଇଁ କୌଣସି ବ୍ୟବସ୍ଥା ନାହିଁ, ଏପରିକି ଯେଉଁମାନେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ସେମାନଙ୍କ ପାଇଁ ମଧ୍ୟ। ୨୦୧୯ରେ ପ୍ରବୀଣ କୁମାର ଚୌଧୁରୀ ବନାମ ଭାରତୀୟ ନିର୍ବାଚନ ଆୟୋଗ ମାମଲାରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ କଏଦୀମାନଙ୍କର ଭୋଟ୍ ଦେବାର ଅଧିକାର ନାହିଁ। ଅରବିନ୍ଦ କେଜ୍ରିୱାଲ କେବଳ ଏକ ଉଦାହରଣ। ଭାରତରେ ପାଞ୍ଚ ଲକ୍ଷରୁ ଅଧିକ ବିଚାରାଧୀନ କଏଦୀ ଅଛନ୍ତି ଯେଉଁମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିବେ ନାହିଁ। ସେହିପରି ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଯଦି ସୁପ୍ରିମ୍କୋର୍ଟ ମୁକ୍ତ କରିବାକୁ ନିର୍ଦ୍ଦେଶ ନ ଦିଅନ୍ତି ତେବେ ତାଙ୍କୁ ମଧ୍ୟ ଭୋଟ୍ ଦେବାକୁ ସୁଯୋଗ ମିଳିବ ନାହିଁ। ହେମନ୍ତ ସୋରେନ୍ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ନିୟମାନୁଯାୟୀ ଅମୃତପାଲ ସିଂହ ଏପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇ ନ ଥିବାରୁ ସେ ନିର୍ବାଚନ ଲଢ଼ିପାରିବେ। ଏପରିକି ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନେ ଜେଲ ଦଣ୍ଡ ଶେଷ ହେବାର ୬ ବର୍ଷ ପରେ ନିର୍ବାଚନ ଲଢ଼ିପାରିବେ। ଅମୃତପାଲ ସିଂହଙ୍କ ଭଳି ଜେଲରେ ଥିବା ବ୍ୟକ୍ତି ଜଣେ ପ୍ରତିନିଧିଙ୍କ ସହାୟତାରେ ଜେଲରୁ ନାମାଙ୍କନପତ୍ର ଦାଖଲ କରିପାରିବେ। ବିଶେଷଜ୍ଞଙ୍କ ମତରେ ଯଦି କୌଣସି ଜେଲରେ ଥିବା ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ତାଙ୍କୁ ଜେଲରୁ ମୁକ୍ତ କରି ଶପଥ ଗ୍ରହଣ କରାଯାଇପାରିବ, କାରଣ ଜେଲ ଭିତରେ ଶପଥପାଠ କରିବାର କୌଣସି ବ୍ୟବସ୍ଥା ନାହିଁ। ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୬୨(୫)ରେ କୁହାଯାଇଛି ଯେ କୌଣସି ବ୍ୟକ୍ତି ଯଦି ପୁଲିସ ହେପାଜତରେ ଥାଆନ୍ତି କିମ୍ବା ଜେଲରେ ବନ୍ଦୀ ଥାଆନ୍ତି ତେବେ କୌଣସି ନିର୍ବାଚନରେ ଭୋଟ୍ ଦେଇପାରିବେ ନାହିଁ। ଏହା ଏକ ନିର୍ବାଚନୀ ବିରୋଧାଭାସ।
[ad_2]