କମିସନରେଟ୍ ପୁଲିସର କ୍ରାଇମ୍ ରିପୋର୍ଟ: ରାଜଧାନୀରେ ଅପରାଧ ଗ୍ରାଫ୍ ଉପରମୁହାଁ – Kalinga News

[ad_1]
ଥମିବା ନାଁ ନେଉନି ହତ୍ୟା, ଦୁଷ୍କର୍ମ, ଚୋରି
ଭୁବନେଶ୍ବର: କମିସନରେଟ୍ ପୁଲିସର ବିଭିନ୍ନ ଶାଖା ସଜାଗ ଥିବା ସତ୍ତ୍ବେ ଦିନକୁ ଦିନ ରାଜଧାନୀରେ ଅପରାଧ ବଢ଼ିଛାଲିଛି। ଥାନା, ସ୍ପେସାଲ୍ ସ୍କ୍ବାଡ୍, ସ୍ପେସାଲ୍ କ୍ରାଇମ୍ ୟୁନିଟ୍, କ୍ରାଇମ୍ବ୍ରାଞ୍ଚ, ସାଇବର ୟୁନିଟ୍, ଟିମ୍-୬୦ ଓ ପିଓପିଡି ଭଳି ବହୁ ଶାଖା କାର୍ଯ୍ୟକ୍ଷମ ରହିଛି। କିନ୍ତୁ ଅପରାଧର ଗ୍ରାଫ୍ ତଳମୁହାଁ ହେବା ପରିବର୍ତ୍ତେ ଉପରମୁହାଁ ହୋଇଚାଲିଛି। ହତ୍ୟା, ଦୁଷ୍କର୍ମ, ଚୋରି, ଛିନ୍ତାଇ ଓ ଠକେଇ ମାମଲା ବଢ଼ିବଢ଼ି ଚାଲିଛି। ସଦ୍ୟ ପ୍ରକାଶ ପାଇଥିବା କମିସନରେଟ୍ ପୁଲିସର କ୍ରାଇମ୍ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ୨୦୨୨ ମସିହାର ମାମଲା ସଂଖ୍ୟା ଅପେକ୍ଷା ୨୦୨୩ ମସିହାର ମାମଲା ସଂଖ୍ୟାକୁ ତୁଳନା କଲେ, ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି। ୨୦୨୨ ମସିହାରେ ଭୁବନେଶ୍ବର ସହରାଞ୍ଚଳ ପୁଲିସର ବିଭିନ୍ନ ଥାନାରେ ମୋଟ ୧୦,୫୩୯ଟି ମାମଲା ରୁଜୁ ହୋଇଥିଲା। ୨୦୨୩ର ତଥ୍ୟ ଅନୁସାରେ ଆପରାଧିକ ମାମଲା ସଂଖ୍ୟା ୧୨ ହଜାରକୁ ବୃଦ୍ଧି ପାଇଛି। ୨୦୨୧ ମସିହାରେ ଏଭଳି ମାମଲା ସଂଖ୍ୟା ୯,୨୬୫ ଥିଲା। ଭୟଙ୍କର କଥା ହେଉଛି ବର୍ଷକ ମଧ୍ୟରେ ସହରରେ ହତ୍ୟାକାଣ୍ଡ ମାମଲା ବଢ଼ିଛି। ୨୦୨୨ ରେ ୪୭ଟି ହତ୍ୟା ମାମଲା ରୁଜୁ ହୋଇଥିଲା। ୨୦୨୩ରେ ଏହି ମାମଲା ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ତେଣୁ ରାଜଧାନୀ କେତେ ଅଶାନ୍ତ ହୋଇପଡ଼ିଛି, ଏଥିରୁ ଜଳଜଳ ହୋଇ ଦେଖାଯାଉଛି। ସେହିପରି ଦୁଷ୍କର୍ମ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ୨୦୨୨ ମସିହାରେ ୧୧୬ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ୨୦୨୩ରେ ଏହା ୧୩୫କୁ ବଢ଼ିଛି। ଏଥିରେ ନାବାଳିକା ଦୁଷ୍କର୍ମ ମାମଲା ବେଶି। ରାଜଧାନୀରେ ଚୋରି ମାମଲା ବି ସ୍ବାଭାବିକ ଭାବେ ବଢ଼ୁଛି। ୨୦୨୨ରେ ୧୭୫୪ଟି ଚୋରି ମାମଲା ରୁଜୁ ହୋଇଥିଲା ଏବଂ ୨୦୨୩ରେ ମାମଲା ସଂଖ୍ୟା ପାଖାପାଖି ୨୦୦ ବଢ଼ି ୧୯୪୩ ହୋଇଛି। ଗଣ୍ଡଗୋଳ, ଆକ୍ରମଣ ଭଳି ମାମଲା ମଧ୍ୟ ବୃଦ୍ଧି ପାଇଛି। ୨୦୨୨ରେ ଏଭଳି ଧରଣର ମାମଲା ସଂଖ୍ୟା ୫୮୯୨ ଥିଲା। ୨୦୨୩ରେ ଏହା ପ୍ରାୟ ୭ ହଜାରକୁ ଟପିଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଧୀରେଧୀରେ ଭୁବନେଶ୍ବର ଏକ ଅପରାଧର ସହରରେ ପରିଣତ ହେବାକୁ ଯାଉଥିବା ବେଳେ ଡକାୟତି ମାମଲା କମିବା ଏକ ଆଶ୍ବସ୍ତିର ପ୍ରସଙ୍ଗ। ୨୦୨୨ରେ ୫୨ଟି ଡକାୟତି ମାମଲା ରୁଜୁ ହୋଇଥିଲା। ୨୦୨୩ରେ ଏହାର ସଂଖ୍ୟା ମାତ୍ର ୧୪। ସେହିଭଳି ରାଜଧାନୀରେ ଦଙ୍ଗା ମଧ୍ୟ କମିଛି। ୨୦୨୨ରେ ୮୬ଟି ଦଙ୍ଗା ମାମଲା ରୁଜୁ ହୋଇଥିଲା ଏବଂ ୨୦୨୩ରେ ତାହା ୫୬କୁ ହ୍ରାସ ପାଇଛି। କିନ୍ତୁ ଛିନ୍ତାଇ ଓ ମାରଣାସ୍ତ୍ର ଦେଖାଇ ଲୁଟ୍ ମାମଲା ବଢ଼ିଛି। ୨୦୨୨ରେ ଛିନ୍ତାଇ, ମାରଣାସ୍ତ୍ର ଦେଖାଇ ଲୁଟ୍ ଓ ଚୋରି ମାମଲା ସଂଖ୍ୟା ଯଥାକ୍ରମେ ୬୦୨, ୩୭୩ ଓ ୮୮୦ ଥିଲା। ୨୦୨୩ରେ ଏହା ଯଥାକ୍ରମେ ୫୮୭, ୪୬୫ ଓ ୧୦୦୫ରେ ପହଞ୍ଚିଛି। ସେହିଭଳି ଠକେଇ ମାମଲା ତ ମୋଟେ କମିବା ନାଁ ନେଉନାହିଁ। ସାଇବର ଠକେଇ ପରିମାଣ ତ ବହୁତ ବେଶି। ଉଚ୍ଚଶିକ୍ଷିତମାନେ ବେଶି ସାଇବର ଠକଙ୍କ ଶିକାର ହେଉଛନ୍ତି। ଏହାବାଦ୍ ଜମିବାଡ଼ି କିଣାବିକା ଠକେଇ ପରିମାଣ ଅଧିକ। ବିଭିନ୍ନ ଠକେଇର ହିସାବ ଅନୁସାରେ ୨୦୨୨ ମସିହାରେ ୮୮୦ ମାମଲା ରୁଜୁ ହୋଇଥିଲା ଏବଂ ୨୦୨୩ ମସିହାରେ ଏହା ୧୦୦୫କୁ ଛୁଇଁଛି।
[ad_2]