ପ୍ରଥମ ପର୍ଯ୍ୟାୟରେ ୬୨% ଭୋଟ୍: ୨୧ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଆସନରେ ଭୋଟ୍ ଗ୍ରହଣ – Kalinga News

[ad_1]
ତାମିଲନାଡ଼ୁର ସମସ୍ତ ୩୯ ଆସନରେ ଭୋଟ୍ ଶେଷ, ବିଭିନ୍ନ ରାଜ୍ୟରେ ହିଂସା
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ଆସନ ଦୃଷ୍ଟିରୁ ଏହା ସବୁଠାରୁ ବଡ଼ ପର୍ଯ୍ୟାୟ ଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ୬୨.୩୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୬୯.୪୩ ପ୍ରତିଶତ ମତଦାନ ହୋଇଥିଲା ପଶ୍ଚିମବଂଗରେ ସର୍ବାଧିକ ୭୭.୫୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବା ବେଳେ ତାମିଲନାଡୁରେ ୬୨ ପ୍ରତିଶତ, ତ୍ରିପୁରାରେ ୭୯.୯୦ ପ୍ରତିଶତ, ଆସାମରେ ୭୧ ପ୍ରତିଶତ ମତଦାନ ରେକର୍ଡ଼ କରାଯାଇଛି।
ବିହାରରେ ୪୭.୪୯ ପ୍ରତିଶତ ଭୋଟ୍ ପଡ଼ିଛି। ମତଦାନ ସମୟରେ ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡ ଓ ଉତ୍ତେଜନା ଦେଖିବାକୁ ମିଳିଥିଲା। ମଣିପୁରର ବିଷ୍ଣୁପୁରରେ ଗୁଳିଚାଳନା ହୋଇଥିବା ବେଳେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ହୋଇଛି। ବିହାରର କେତେକ ସ୍ଥାନରେ ହିଂସା ଘଟିଥିବା ବେଳେ ଛତିଶଗଡ଼ର ବିଜାପୁରରେ ଗ୍ରେନେଡ୍ ବିସ୍ଫୋରଣ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ମଣିପୁରର ଦୁଇଟି ଲୋକସଭା ଆସନରେ ଆଜି କଡ଼ା ସୁରକ୍ଷା ଭିତରେ ଭୋଟ୍ ଗ୍ରହଣ ହୋଇଥିଲା। ମଣିପୁର (ଆଭ୍ୟନ୍ତରୀଣ) ଲୋକସଭା ଆସନର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ଥମନପୋକପି ସ୍ଥିତ ଏକ ମତଦାନ କେନ୍ଦ୍ରରେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ୩ ଜଣ ଆହତ ହୋଇଛନ୍ତି। ପୂର୍ବ ଇମ୍ଫାଲର ଥୋଙ୍ଗଜୁରରେ ମଧ୍ୟ ଏକ ବୁଥ୍ରେ ଇଭିଏମ୍ ଭଙ୍ଗାରୁଜା ହୋଇଥିବା ଖବର ମିଳିଛି। ମଣିପୁର (ବାହ୍ୟ) ଆସନର କେତେକ ବୁଥ୍ ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ସେଠାରେ ଆସନ୍ତା ୨୬ ତାରିଖରେ ମତଦାନ ହେବ। ଗତ ବର୍ଷ ମାର୍ଚ୍ଚ ୩ ତାରିଖରୁ ମଣିପୁରରେ ହିଂସା ଲାଗି ରହିଛି ଏବଂ ଏବେ ବି ସ୍ଥିତି ତୀବ୍ର ଉତ୍ତେଜନାପୂର୍ଣ୍ଣ ରହିଛି।
ଛତିଶଗଡ଼ର ବିଜାପୁରରେ ଏକ ମତଦାନ କେନ୍ଦ୍ରଠାରୁ ୫୦୦ ମିଟର ଦୂରରେ ଆଜି ଗ୍ରେନେଡ ବିସ୍ଫୋରଣ ଆଜି ଆତଙ୍କ ଖେଳାଇ ଦେଇଥିଲା। ଉସୁର ଥାନା ଅଞ୍ଚଳର ଗାଲଗାମରେ ସିଆରପିଏଫ-୧୯୬ ବାଟାଲିୟନର ଯବାନମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ। ଆଉ ଏକ ଘଟଣାରେ ଏକ ସେଲ୍ ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଶ୍ଚିମବଂଗରେ ମଧ୍ୟ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟିଛି। କୁଚବିହାର ଜିଲ୍ଲାର ଶୀତଳକୁଚିରେ ବିଜେପି ଓ ଟିଏମ୍ସି କର୍ମୀଙ୍କ ମଧ୍ୟରେ ପ୍ରବଳ ପଥର ମାଡ଼ ହୋଇଥିବା ଖବର ମିଳିଛି। ତୃଣମୂଳ କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ବିଜେପି କର୍ମୀମାନେ ବିହାରର ତୁଫାନଗଞ୍ଜର ଏକ ପୋଲିଂ ବୁଥ୍ରେ ହିଂସାକାଣ୍ଡ ଘଟାଇଛନ୍ତି। ଟିଏମ୍ସି କର୍ମୀଙ୍କୁ ଆକ୍ରମଣ କରାଯାଇଛି ଏବଂ ଅନେକ ଆହତ ହୋଇଛନ୍ତି। ଟିଏମସି କହିଛି ଯେ ବିଜେପି କର୍ମୀମାନେ ଅସ୍ତ୍ରଶସ୍ତ୍ର ଧରି ବୁଥ୍ ସମ୍ମୁଖରେ ଠିଆ ହୋଇ ଭୋଟର୍ଙ୍କୁ ଭୟଭୀତ କରିଥିଲେ। ଗୁରୁବାର ରାତିରୁ ଉଭୟ ବିଜେପି ଏବଂ ଟିଏମ୍ସି କର୍ମୀମାନେ ଏହି ଅଞ୍ଚଳରେ ହିଂସା ଜାରି ରଖିଥିବାରୁ ଆଜି ସୁରକ୍ଷା ବାହିନୀ ସର୍ବାଧିକ ସତର୍କତା ଅବଲମ୍ବନ କରିଥିଲା। ପଶ୍ଚିମବଙ୍ଗର ମଥାଭଙ୍ଗାରେ ଗୁରୁବାର ରାତିରେ ଏକ ମତଦାନ କେନ୍ଦ୍ରର ଶୌଚାଳୟରୁ ଜଣେ ସିଆରପିଏଫ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯବାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବାଥରୁମ୍ରେ ପଡ଼ିଯିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗି ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଆଜି ଯେଉଁ ୧୦୨ଟି ଆସନରେ ନିର୍ବାଚନ ହୋଇଥିଲା ସେଥିରୁ ୨୦୧୯ରେ ବିଜେପି ୪୦, ଡିଏମକେ ୨୪ ଓ କଂଗ୍ରେସ ୧୫ ଆସନରେ ବିଜୟୀ ହୋଇଥିଲା। ଅନ୍ୟମାନଙ୍କୁ ୨୩ଟି ଆସନ ମିଳିଥିଲା। ଏହି ପର୍ଯ୍ୟାୟରେ ମଧ୍ୟ ଅଧିକାଂଶ ଆସନରେ ଏହି ୩ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୬୨୫ ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୯୧ ଜଣ ପୁରୁଷ ଓ ୧୩୪ ଜଣ ମହିଳା ପ୍ରାର୍ଥୀ। ଏପ୍ରିଲ ୨୬ରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ।
[ad_2]