ହତଭାଗ୍ୟ ବିଜୟିନୀ ସୁଶ୍ରୀ – Kalinga News
[ad_1]
ପ୍ରତିଭା ଥିଲେ ବି ଚପାଇ ଦିଆଯାଉଛି: କ୍ଷୀରୋଦ
ଭୁବନେଶ୍ବର: ଅନ୍ତଃଜୋନ୍, ଚ୍ୟାଲେଞ୍ଜର ଟ୍ରଫି, ଏମର୍ଜିଂ ଏସିଆ କପ୍ ଓ ଆନ୍ତର୍ଜାତିକ ଦଳଙ୍କ ସହିତ ଅଭ୍ୟାସ ମ୍ୟାଚ୍, ସବୁଥିରେ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଦେଖିବାକୁ ମିଳୁଛି। ଗତ ୧୦ ବର୍ଷ ଧରି ନିୟମିତ ଭାବେ ଏସବୁ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସେ ଖେଳିଆସୁଥିଲେ ମଧ୍ୟ ଭାରତୀୟ ଦଳ କିମ୍ବା ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ଭଳି ଶୀର୍ଷସ୍ତରରେ ସେ ପହଞ୍ଚିପାରୁ ନାହାନ୍ତି। ତଥାପି ହାର୍ ନମାନି ନିରନ୍ତର ଅଭ୍ୟାସ ଜାରି ରଖିବା ସହିତ ପ୍ରତ୍ୟେକ ବାଧାକୁ ଅତିକ୍ରମ କରିବାର ସତ୍ସାହସ ଦେଖାଇ ଚାଲିଛନ୍ତି। ହେଲେ ପ୍ରତ୍ୟେକ ଥର ତାଙ୍କୁ ଯେତିକି ସୁଯୋଗ ମିଳିବା କଥା ସେତିକି ମିଳୁ ନଥିବା ତାଙ୍କ ପ୍ରଶିକ୍ଷକ କ୍ଷୀରୋଦ ବେହେରା ଅଭିଯୋଗ କରିଛନ୍ତି। ସୁଶ୍ରୀଙ୍କ ବ୍ୟାଟିଂ ଓ ବୋଲିଂ ଅନ୍ୟମାନଙ୍କଠାରୁ ଢେର୍ ଉଚ୍ଚକୋଟୀର। କିନ୍ତୁ ଯେଉଁ ଆନ୍ତର୍ଜାତିକ ଖେଳାଳିମାନେ ତାଙ୍କ ଦଳରେ ରହୁଛନ୍ତି, ସେମାନେ ବ୍ୟକ୍ତିଗତ ପ୍ରଦର୍ଶନକୁ ଗୁରୁତ୍ବ ଦେବାକୁ ଯାଇ ଅନ୍ୟମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଉ ନଥିବା କ୍ଷୀରୋଦ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ଶେଷ ହୋଇଥିବା ଅନ୍ତଃଜୋନ୍ ବହୁଦିବସୀୟ ଟ୍ରଫିରେ ପୂର୍ବାଞ୍ଚଳର ତିନିଟି ମ୍ୟାଚ୍ରୁ ସୁଶ୍ରୀ ଦୁଇଟି ଖେଳିଥିଲେ। ପ୍ରଥମ ମ୍ୟାଚ୍ରେ ଉତ୍ତରପୂର୍ବାଞ୍ଚଳ ବିପକ୍ଷରେ ସେ ୫ ରନ୍ କରିଥିଲା ବେଳେ ୨ ୱିକେଟ୍ ଅକ୍ତିଆର କରିଥିଲେ। ସେମିଫାଇନାଲ୍ ମ୍ୟାଚ୍ ବେଳକୁ ଜ୍ବର ହେବାରୁ ଖେଳିପାରି ନଥିଲେ। ଫାଇନାଲ୍ରେ ଦକ୍ଷିଣାଞ୍ଚଳ ବିପକ୍ଷରେ ୨ ଓ ୧୫ ରନ୍ ସହିତ ୧ ୱିକେଟ୍ ନେଇଛନ୍ତି। ପ୍ରଥମ ମ୍ୟାଚ୍ରେ ଷଷ୍ଠ ସ୍ଥାନରେ ବ୍ୟାଟିଂ ଆସିଥିଲେ ମଧ୍ୟ ଏକ ବିବାଦୀୟ ଏଲ୍ବିଡବ୍ଲ୍ୟୁର ଶିକାର ହୋଇଥିଲେ। କିନ୍ତୁ ଏହି ମ୍ୟାଚ୍ରେ ତାଙ୍କୁ ଆଦୌ ବୋଲିଂ ମିଳି ନଥିଲା। ଦ୍ବିତୀୟ ପାଳିରେ ବିଳମ୍ବରେ ବୋଲିଂ ଆସିବା ସହ ୨ ୱିକେଟ୍ ଖସାଇପାରିଥିଲେ। ଫାଇନାଲ୍ ମ୍ୟାଚ୍ରେ ତାଙ୍କୁ ପ୍ରଥମ ପାଳିରେ ସପ୍ତମ ବୋଲର ଭାବେ ମାତ୍ର ୪ ଓଭର ବୋଲିଂ ମିଳିଥିଲା ଓ ଅଷ୍ଟମ ସ୍ଥାନରେ ବ୍ୟାଟିଂ ଦିଆଯାଇଥିଲା। ଦ୍ବିତୀୟ ପାଳିରେ ୬ ଓଭର ବୋଲିଂ ପାଇଥିଲେ ଓ ନବମ ସ୍ଥାନରେ ବ୍ୟାଟିଂକୁ ଆସିଥିଲେ। ତେବେ ଜଣେ ଖେଳାଳିଙ୍କୁ କେଉଁସ୍ଥାନରେ ବୋଲିଂ ଓ ବ୍ୟାଟିଂ ଦିଆଯିବ ତାହା ସଂପୂର୍ଣ୍ଣ ଦଳଗତ ନିଷ୍ପତ୍ତି। ଜଣେ ଖେଳାଳି ଭାବେ ସୁଶ୍ରୀ ଏହାର ପ୍ରତିବାଦ କରିପାରିବେନି। ଆମ ପାଖରେ ପ୍ରତିଭାବାନ ଖେଳାଳି ଥିଲେ ମଧ୍ୟ ତାଙ୍କୁ ଚପାଇ ଦିଆଯାଉଛି। ତାଙ୍କ ଦକ୍ଷତାକୁ ବିଚାରକୁ ନିଆଯାଉନି। ଦିନେ ନା ଦିନେ ସୁଶ୍ରୀ ତାଙ୍କ ଦକ୍ଷତାକୁ ବଡ଼ ମଞ୍ଚରେ ପ୍ରମାଣିତ କରିବେ ବୋଲି କ୍ଷୀରୋଦ ଆଶା ରଖିଛନ୍ତି।
ଦଳର ନିଷ୍ପତ୍ତିକୁ ମାନିବାକୁ ହେବ: ସୁଶ୍ରୀ
ପାଖାପାଖି ୬ ବର୍ଷ ପରେ ମହିଳା ବହୁଦିବସୀୟ ଟ୍ରଫି ଆୟୋଜନ ହୋଇଥିଲା। ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ସୁଶ୍ରୀ ଦିବ୍ୟଦର୍ଶିନୀ ଏଥିରେ ଖେଳିଥିଲା ବେଳେ ତନ୍ମୟୀ ବେହେରା ପଛରେ ଦଳ ସହ ଯୋଗଦେଇଥିଲେ। କିନ୍ତୁ ସୁଶ୍ରୀଙ୍କୁ ଯେଉଁସ୍ଥାନରେ ଓ ଯେତିକି ସୁଯୋଗ ମିଳିବା କଥା ତାହା ମିଳି ନଥିଲା। ‘‘ମତେ ଯେତିକି ବି ସୁଯୋଗ ମିଳିଛି, ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଛି। ଯଦି ଅଧିକ ସୁଯୋଗ ମିଳିଥା’ନ୍ତା, ଆହୁରି ଭଲ କରିପାରିଥାନ୍ତି। ତଥାପି ଦଳର ନିଷ୍ପତ୍ତିକୁ ମାନିବାକୁ ହେବ। ଦଳର ହିତ ଦୃଷ୍ଟିରୁ ଅଧିନାୟକ, ପ୍ରଶିକ୍ଷକ ଯାହା ନିଷ୍ପତ୍ତି ନେଉଛନ୍ତି, ସେହି ଅନୁସାରେ ଆମକୁ ଯିବାକୁ ପଡ଼ିବ। ୧୦ ବର୍ଷ ହେଲାଣି ଆମେ ଏକାଠି ଖେଳୁଥିବାରୁ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଚିହ୍ନିଛୁ ଓ ଜାଣିଛୁ। ତେଣୁ ସେହି ଅନୁସାରେ ରଣନୀତି ହେଉଥିଲା’’ ବୋଲି ସୁଶ୍ରୀ କହିଛନ୍ତି।
ପୂର୍ବାଞ୍ଚଳ ପ୍ରଥମଥର ବିଜେତା
ସୁଶ୍ରୀଙ୍କ ଉଲ୍ଲେଖନୀୟ ଅବଦାନ ବଳରେ ଅନ୍ତଃଜୋନ୍ ମହିଳା ବହୁଦିବସୀୟ କ୍ରିକେଟ୍ରେ ପୂର୍ବାଞ୍ଚଳ ପ୍ରଥମ ଥର ବିଜେତା ହୋଇଛି। ଏମ୍ସିଏ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଫାଇନାଲ୍ରେ ପୂର୍ବାଞ୍ଚଳ ୧ ୱିକେଟ୍ରେ ଦକ୍ଷିଣାଞ୍ଚଳକୁ ପରାସ୍ତ କରିଥିଲା। ଶେଷ ଦିନରେ ପୂର୍ବାଞ୍ଚଳକୁ ୧୫୪ ରନ୍ ଆବଶ୍ୟକ ହେଉଥିଲେ ମଧ୍ୟ ଦଳ ସଂଘର୍ଷ କରି ଜିତିଥିଲା। ଅଧିନାୟିକା ଦୀପ୍ତି ଶର୍ମା ସର୍ବାଧିକ ୪୬ ରନ୍ ଓ ରିଚା ଘୋଷ ୩୩ ରନ୍ କରି ଆଉଟ୍ ହୋଇଥିଲେ। ନବମ ସ୍ଥାନରେ ବ୍ୟାଟିଂକୁ ଆସି ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ୧୫ ରନ୍ର ମହତ୍ବପୂର୍ଣ୍ଣ ପାଳି ଖେଳି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇ ଶେଷ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ଏହି ମ୍ୟାଚ୍ରେ ଦକ୍ଷିଣାଞ୍ଚଳର ୧୩୩ ରନ୍ ଜବାବରେ ପୂର୍ବାଞ୍ଚଳ ପ୍ରଥମ ପାଳି ୧୨୯ ରନ୍ରେ ଶେଷ ହୋଇଥିଲା। ପ୍ରଥମ ପାଳିରେ ଅଗ୍ରଣୀ ପାଇବା ପରେ ଦ୍ବିତୀୟ ପାଳିରେ ଦକ୍ଷିଣାଞ୍ଚଳ ୧୭୯ ରନ୍ରେ ଅଲଆଉଟ୍ ହୋଇଥିଲା। ପୂର୍ବାଞ୍ଚଳ ସମ୍ମୁଖରେ ୧୮୪ ରନ୍ର ଲକ୍ଷ୍ୟ ରଖାଯାଇଥିଲା ବେଳେ ଦଳ ଏହାକୁ ୬୧.୩ ଓଭରରେ ହାସଲ କରିଥିଲା।
[ad_2]