ରାଜନୀତି

ମଧ୍ୟ ବିଜେଡିରେ ଛକାପଞ୍ଝା: ଅପରାଜିତାଙ୍କୁ ଭେଟିଲେ ପୂର୍ବତନ କର୍ପୋରେଟର – Kalinga News

[ad_1]

ଭୁବନେଶ୍ବର,: ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ୍‌ ଘୋଷଣା ବିଳମ୍ବ ହେଉଛି। ଯେତିକି ବିଳମ୍ବ ହେଉଛି, ସ୍ଥିତି ସେତିକି ବିଗିଡ଼ିବାରେ ଲାଗିଛି। ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କୁ ସହଜରେ ବାଟ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି ତାଙ୍କ ବିରୋଧୀ। କର୍ପୋରେଟର୍‌ ଅମରେଶ ଜେନା(ବାଇଁଆ) ବୁନୁଙ୍କ ବିରୋଧୀ ଭାବେ ଜଣାଶୁଣା ପୂର୍ବତନ କର୍ପୋରେଟରଙ୍କୁ ଏକାଠି କରି ଟିକେଟ ପାଇଁ ନିଜର ଅଭିଯାନ ଜାରି ରଖିଛନ୍ତି। କିନ୍ତୁ ବୁନୁ ପୁନର୍ବାର ଟିକେଟ ନେବେ ବୋଲି ଚର୍ଚ୍ଚା ଜୋର୍‌ ଧରୁଥିବାରୁ ଅସନ୍ତୁଷ୍ଟମାନେ ବିକଳ୍ପ ବାଟ ବାହାର କ‌ଲେଣି। ଗତକାଲି ବିଳମ୍ବିତ ରାତିରେ ୧୧ ଜଣ ପୂର୍ବତନ କର୍ପୋରେଟର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭେଟି ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ବୁନୁଙ୍କୁ ବିଜେଡି ଟିକେଟ ମିଳିଲେ ସେମାନେ ସିଧା ବିଜେପିରେ ମିଶିବେ ବୋଲି ଚେତାବନୀ ଦେଇଛନ୍ତି।

ସାଂସଦଙ୍କୁ ଭେଟିଥିବା ଜଣେ ପୂର୍ବତନ କର୍ପୋରେଟରଙ୍କ କହିବା କଥା ହେଉଛି, ‘‘ଆମେ ବିଜେଡିରେ ଥିଲୁ, ବିଜେଡିରେ ଅଛୁ। ବିଜେଡି ସହ ଆମର ‌କୌଣସି ସମସ୍ୟା ନାହିଁ। କିନ୍ତୁ ବୁନୁଙ୍କୁ ଆମେ ବିରୋଧ କରୁଛୁ। ବୁନୁଙ୍କ ଛଡ଼ା ଦଳ ଯାହାକୁ ବି ଟିକେଟ୍‌ ଦେଉ ଆମେ ସମର୍ଥନ କରିବୁ। ମଧ୍ୟ ନିର୍ବା‌ଚନମଣ୍ଡଳୀରୁ ବିଜେଡି ହିଁ ଜିତିବ। କିନ୍ତୁ ବୁନୁ ଟିକେଟ୍‌ ପାଇଲେ ୪୨ ପୂର୍ବତନ କର୍ପୋରେଟରଙ୍କ ସହ ୧୦ ହଜାର କର୍ମୀ ବିଜେପିରେ ମିଶିବେ। ତା’ ସହିତ ଏବେ ତ ଦୁଇଜଣ କର୍ପୋରେଟର ଆମ ସହ ଅଛନ୍ତି, ଆଗକୁ ମଧ୍ୟ ଆଉ କେତେକ କର୍ପୋରେଟର ମିଶିବେ ବୋଲି ସବୁଜ ସଙ୍କେତ ଦେଇଛନ୍ତି। ୧୧ ତାରିଖ ସୁଦ୍ଧା ମିଶିବା ପାଇଁ ସାଂସଦ ସମୟ ଦେଇଥିଲେ। କିନ୍ତୁ ବିଜେଡି ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଆମେ ଅପେକ୍ଷା କରୁଛୁ।’’ ପୂର୍ବତନ କର୍ପୋରେଟରଙ୍କ ସହ ଦୁଇଜଣ ବିଜେଡି କର୍ପୋରେଟର ବି ସାଂସଦଙ୍କ ସହ ଆଲୋଚନା କରିଥିବା କୁହାଯାଉଛି। ତେବେ ଏହି ଦୁଇ ଜଣ କିଏ, ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ ବୁନୁ ମଧ୍ୟ ନିର୍ବାଚନମଣ୍ଡଳୀରେ ସଂଗଠନ ସଜାଡ଼ିବାରେ ଲାଗିପଡ଼ିଛନ୍ତି। ଆଜି ସଫେଇ କର୍ମଚାରୀଙ୍କୁ ନେଇ ଗଠିତ ହୋଇଥିବା ନୂଆ ମହାସଂଘର ବୈଠକରେ ସେମାନଙ୍କର ଦାବି ପୂରଣ ନେଇ ଆଲୋଚନା ‌ହୋଇଥିବା ବେଳେ ସନ୍ଧ୍ୟାରେ ମହିଳା ସଂଗଠନମାନଙ୍କ ସହ ଆଲୋଚନା ହୋଇଛି। ଲଗାତାର ଭାବେ ସେ କର୍ପୋରେଟରମାନଙ୍କୁ ନେଇ ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି। ଦଳ ଉଚିତ ସମୟରେ ଠିକ୍‌ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ଗତ ରବିବାର ଦିନ ବୁନୁଙ୍କୁ ଚ୍ୟାଲେଞ୍ଜ୍ ଦେଇ ବାଇଁଆ ସମାନ୍ତରାଳ ସମା‌ବେଶ କରିଥିଲେ। ତାହା ପରେ ପ୍ରତିଦିନ ପ୍ରଭାବୀ ଢଙ୍ଗରେ ବଡ଼ ବଡ଼ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ ତାଙ୍କୁ ନବୀନ ନିବାସ ଡକାଯାଇ ପୁଣି ବୁଝାସୁଝା କରାଯାଇଥିଲା। ଏହାପରେ ତାଙ୍କ ଅଭିଯାନ ଶିଥିଳ ହୋଇ ଯାଇଥିବା ଦେଖିବାକୁ ମିଳୁଛି। ଏହି ନିର୍ବାଚନମଣ୍ଡଳୀର ଅନ୍ୟତମ ଆଶାୟୀ ରୁଦ୍ର ସାମନ୍ତରାୟଙ୍କ ସହ ମିଶି ବାଇଁଆ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ। କିନ୍ତୁ ଏବେ ରୁଦ୍ର ଏକାକୀ ନିଜର କାର୍ଯ୍ୟକ୍ରମ କରୁଥିବା ଲକ୍ଷ୍ୟ କରାଯାଉଛି। ‘ମଧ୍ୟ’ରେ ବିଜେଡିରେ ଛକାପଞ୍ଝା ଚରମ ସ୍ଥିତିରେ ପହଞ୍ଚିଥିବାରୁ ବିବାଦରେ ନଥିବା ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଜାରି ରହିଛି। ଚର୍ଚ୍ଚାରେ ପୂର୍ବତନ ବିଧାୟକ ବିଜୟ ମହାନ୍ତି(ବାଦଲ)ଙ୍କ ନାମ ଆଗରେ ରହିଛି। ସେହିପରି ଯୁବନେତା ଦୁର୍ଗା ସାମନ୍ତରାୟଙ୍କ ନାମ ମଧ୍ୟ ଆଲୋଚନାରେ ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button