ଅଣ୍ଟି ଛୁରୀ ତଣ୍ଟି କାଟିବ: ଚିନ୍ତା ବଢ଼ାଇଲେଣି ଆଶାୟୀ – Kalinga News

[ad_1]
ପଞ୍ଚାୟତ ଓ ପୌର ନିର୍ବାଚନ ବେଳେ ଦଳ ଅସନ୍ତୋଷ ଚାପିଥିଲା
ଭୁବନେଶ୍ବର: ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ସମୟରେ ଦଳରେ ଥାଇ ବି ବିଧାୟକଙ୍କ ବିରୋଧରେ ଦ୍ବିତୀୟ ଧାଡ଼ିର ନେତାମାନେ (ବିଧାୟକ ଆଶାୟୀ) ପ୍ରାର୍ଥୀ ଦେଲେ। ସେବେ ଦଳର ଶୀର୍ଷସ୍ତରର ନେତା ସ୍ଥିତି ଗମ୍ଭୀର ହେଉଥିବା ଜାଣି ନିରବ ରହିଲେ। ଗୋଟିଏ ଧାଡ଼ିରେ କୁହାଗଲା ଯେ ଯେଉଁଠି ଯିଏ ଜିତିଲେ ସେ ଆମ ଦଳର ହେବେ। କିଛି ପରିମାଣରେ ଏହି ସୂତ୍ର ସେ ସମୟରେ ଦଳର ଅନ୍ତଃକନ୍ଦଳକୁ ପ୍ରଶମିତ କଲା। ହେଲେ ଅଣ୍ଟି ଛୁରୀ ଏବେ ତଣ୍ଟି କାଟିବାକୁ ବସିଲାଣି। ଏବେ ଏହି ଦ୍ବିତୀୟ ଧାଡ଼ିର ନେତାମାନେ ଦଳ ଜିତିବାରେ କଣ୍ଟା ହୋଇ ଛିଡ଼ା ହେଲେଣି। ଯେତେ ଆଲୋଚନା କଲେ ବି ବିଧାୟକ ହେବା ନିଶା ସେମାନଙ୍କର ଉତୁରିନି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ଦଳୀୟ ପ୍ରାର୍ଥୀ ହାରିଯିବା ଭୟ ଥିବାରୁ ଦଳର ମଙ୍ଗୁଆଳମାନେ କଠୋର ହୋଇପାରୁ ନାହାନ୍ତି। ଯେଉଁ ଦଳ ଦ୍ବିତୀୟ ଧାଡ଼ିର ନେତାଙ୍କୁ ଭରସା କଲା, ସେଠି ଦଳର ସ୍ଥାନୀୟ ନେତା ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। ଯେଉଁଠି ଦଳର ବିଧାୟକ ବା ବରିଷ୍ଠଙ୍କୁ ଟିକେଟ ଦିଆଗଲା, ସେବେ ଦ୍ବିତୀୟ ଧାଡ଼ିର ନେତା ଦଳ ଡେଉଁଛନ୍ତି ଅଥବା ସ୍ବାଧୀନ ପ୍ରାର୍ଥୀ ହେବା ଲାଗି ଅଣ୍ଟା ଭିଡ଼ୁଛନ୍ତି। ଉଭୟ ବିଜେଡି ଓ ବିଜେପିର ଶୀର୍ଷ ନେତାଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି। ପରିଣାମ ହେଲା, ଦୁଇ ସପ୍ତାହ ହେଲା ନିର୍ବାଚନ ଟିକେଟ୍ ବଣ୍ଟା ପର୍ବ ଜାରି ରହିଛି। ହେଲେ ଏପର୍ଯ୍ୟନ୍ତ ସରୁନି।

Sambad is now on WhatsApp
Join and get latest news updates delivered to you via WhatsApp
ସଂପ୍ରତି ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନ ପ୍ରସଙ୍ଗଟି ଗୋଳମାଳିଆ ଧରିଛି। ସମସ୍ତେ ଛକାପଞ୍ଝା ଭିତରେ ଅଛନ୍ତି। ବାସ୍ତବରେ ସେମାନଙ୍କ ପାଖରେ ଜିତିବା ଭଳି ପ୍ରାର୍ଥୀ ନାହାନ୍ତି ନା ବିରୋଧକୁ ଡରୁଛନ୍ତି?
ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା, ବର୍ତ୍ତମାନ ସୁଦ୍ଧା ତିନି ପ୍ରମୁଖ ରାଜନୈତିକ ଦଳ ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିନପାରିବା ପଛରେ ଦୁଇଟି କାରଣ ରହିଛି। ପ୍ରଥମତଃ, ଯେଉଁ ଢଙ୍ଗରେ ବିଜେଡି ନେତା ବିଜେପିକୁ ଏବଂ ବିଜେପି ନେତା ବିଜେଡିକୁ ଡେଉଁଛନ୍ତି ଏବଂ ଯୋଗଦେବା କ୍ଷଣି ତୁରନ୍ତ ଟିକେଟ୍ ଦିଆଯାଉଛି, ସେଥିରୁ ଜଣାପଡ଼ୁଛି ଯେ ପ୍ରମୁଖ ଦୁଇ ଦଳ ପାଖରେ ସବୁ ଆସନରେ ନିର୍ବାଚନ ଜିତିବା ଭଳି ନେତା ନଥିଲେ। ଆଉ କଂଗ୍ରେସ ନେତା ଯେପରି ଦଳ ଛାଡ଼ୁଛନ୍ତି ସେଥିରେ ସେମାନେ ଆଉ ଟକ୍କର ଦେବା ଭଳି ପ୍ରାର୍ଥୀ ନପାଇବା ସ୍ବାଭାବିକ।
ଦ୍ବିତୀୟଟି ହେଲା- ଜିତିବା ଭଳି ନେତାଙ୍କୁ ଦଳ ପ୍ରାର୍ଥୀ କରୁଥିବା କହୁଛି। ଏହି କ୍ରମରେ ସେମାନେ ଦଳ ଡିଆଁ ନେତାଙ୍କୁ ଟିକେଟ୍ ଦେଉଛନ୍ତି। ସେକ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ସଂଗଠନ କରି ବିଧାୟକ ପଦକୁ ଆଶା କରିଥିବା ନେତାମାନେ ବିରୋଧ କରିବା ସ୍ବାଭାବିକ। ଏଣୁ ସେମାନଙ୍କୁ କିଭଳି ସନ୍ତୁଷ୍ଟ କରାଯିବ, ସେ ପ୍ରକ୍ରିୟା ହିଁ ଟିକେଟ ଦେବା କାର୍ଯ୍ୟକୁ ବିଳମ୍ବିତ କରୁଛି। ଯେଉଁ କଥାଟି ଆନ୍ଦୋଳିତ କରୁଛି, ତାହା ହେଲା- ଟିକେଟ ନ ପାଇ ହାଇକମାଣ୍ଡଙ୍କ ଆଶ୍ବାସନାରେ ସନ୍ତୁଷ୍ଟ ହୋଇ ରହୁଥିବା ନେତା ନିର୍ବାଚନ ବେଳେ ସାଙ୍ଗରେ ରହିବେ ନା ଅସଲ ବେଳରେ ଧୋକା ଦେବେ ତାହା ଦେଖିବା କଥା। ଉଦାହରଣ ସ୍ବରୂପ ଧର୍ମଶାଳାରେ ବିଜେପି ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଛି। ହେଲେ କିଛି ମାସ ପୂର୍ବରୁ ଦଳରେ ମିଶିଥିବା ହିମାଂଶୁ ଶେଖର ସାହୁ ଏବେ ସ୍ମୃତିରେଖା ପହିଙ୍କ ରାସ୍ତାରେ କଣ୍ଟା ହେଲେଣି। ହିମାଂଶୁଙ୍କ ସମର୍ଥକ ଭୁବନେଶ୍ବରରୁ ଧର୍ମଶାଳା ପର୍ଯ୍ୟନ୍ତ ଶକ୍ତି ପ୍ରଦର୍ଶନ କରିଛନ୍ତି। ରଣପୁରରେ ବିଜେପି ଟିକେଟ ଆଶାରେ ଥିଲେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ। କିନ୍ତୁ ଦଳ ଏଠାରେ ତାପସ ରଂଜନ ମାର୍ଥାଙ୍କୁ ପ୍ରାର୍ଥୀ କରିଛି। ଗତ ଥର କମ୍ ଭୋଟ୍ରେ ହାରିଥିବା ଏବଂ ରଣପୁର ବ୍ଲକ ଅଧ୍ୟକ୍ଷା ଜିତାଇଥିବା ସୁରମା ଏବେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନା ବିଦ୍ରୋହୀ ସାଜିବେ ତାହା ଦଳକୁ ଚିନ୍ତାରେ ପକାଇଛି। ବାଙ୍କୀ, ବଡ଼ମ୍ବା ଆଦି ଆସନରେ ବିଜେପି ଦୁଇଭାଗରେ ବିଭକ୍ତ ହୋଇଗଲାଣି।
ବିଜେଡି ମଧ୍ୟ ଅଡ଼ୁଆରେ ପଡ଼ିଛି। ଭୁବନେଶ୍ବର ମଧ୍ୟ ଆସନରେ ବିଜେଡି ପ୍ରାର୍ଥୀ ହେବାକୁ ଅମରେଶ ଜେନା ଉଦ୍ୟମ ଚଳାଇଛନ୍ତି। ବିଧାୟକ ଅନନ୍ତ ନାରାୟଣ ଜେନା ବି ଟିକେଟ୍ ପାଇଁ ଦାବିଦାର। ଦଳ ପାଇଁ ଅଡ଼ୁଆ ହେଲା- ଅନନ୍ତଙ୍କୁ ଟିକେଟ ଦେଲେ ଅମରେଶ ଖୋଲା ବିରୋଧ କରିବେ। ଅମରେଶ ଟିକେଟ ପାଇଲେ ଅନନ୍ତ ବି ତାଙ୍କୁ ଜିତିବାକୁ ବାଟ ଛାଡ଼ିବେନି। କେନ୍ଦ୍ରାପଡ଼ାରେ ବିଜେଡି ଟିକେଟ୍ ଆଶାୟୀ ଅଛନ୍ତି ରାଜେଶ ଦାସ। ଯଦି ଦଳ ତାଙ୍କୁ କେନ୍ଦ୍ରାପଡ଼ାରେ ଟିକେଟ୍ ନ ଦେଲା, ତେବେ ସେ ନିରବ ରହିବେ ନା କେନ୍ଦ୍ରାପଡ଼ା ଓ ପାଟକୁରାରେ ଦଳ ବିରୋଧରେ କାର୍ଯ୍ୟ କରିବେ, ତାହା ଉପରେ ନଜର ରଖିବା କଥା।ପାଲଲହଡ଼ାରେ ମଧ୍ୟ ସମାନ ସ୍ଥିତି। ସେଠାରେ ଅବନିକାନ୍ତ ସାହୁ ବିଜେଡି ଟିକେଟ ଆଶାୟୀ ଥିଲେ। ବିଧାୟକ ମୁକେଶ କୁମାର ପାଲଙ୍କ ବିରୋଧରେ ସମାନ୍ତରାଳ ସଂଗଠନ ଚଲାଇଥିଲେ। ପାଲଲହଡ଼ା ବ୍ଲକ ଉପାଧ୍ୟକ୍ଷ ଜିତାଇଥିଲେ। ସେ ଟିକେଟ୍ ପାଇନାହାନ୍ତି। କିନ୍ତୁ ଏଯାଏ ଦଳ ଛାଡ଼ି ନଥିବାରୁ ତାଙ୍କ ଭୂମିକା ଏବେ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଅନୁଗୁଳରେ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ ଟିକେଟ୍ ଆଶାୟୀ ଅଛନ୍ତି। ବିଧାୟକ ରଜନୀକାନ୍ତ ସିଂହ ଉପବାଚସ୍ପତି ପଦରେ ଦୀର୍ଘ ସାଢ଼େ ୪ବର୍ଷ ରହିବାରୁ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦିନେଶଙ୍କ ଦବଦବା ବଢ଼ିଥିଲା। ଦଳ ଯଦି ତାଙ୍କୁ ଟିକେଟ ନ ଦିଏ, ତାଙ୍କ ଭୂମିକା ବଦଳିପାରେ। ଏପରିକି ଦିନେଶ ଯଦି ଟିକେଟ ପାଇବେ ତେବେ ପୁରୁଖା ନେତା ରଜନୀକାନ୍ତ ସିଂହ ତାଙ୍କ ବିଜୟ ସହଜ କରିବା ସ୍ଥିତିରେ ନାହାନ୍ତି।
[ad_2]