ରାଜନୀତି

ଉତ୍ତର ଭୁବନେଶ୍ବରରେ ଜୋର୍‌ଧରୁଛି ପ୍ରଚାର: ପାର୍କ‌ରେ ସୁଶାନ୍ତ, ମନ୍ମଥ, କୃଷ୍ଣ – Kalinga News

[ad_1]

ଚନ୍ଦ୍ରଶେଖରପୁର: ସାଧାରଣ ନିର୍ବାଚନକୁ ନେଇ ଏବେ ରାଜଧାନୀ ରାଜନୀତି ସରଗରମ। ଭୁବନେଶ୍ୱର ଲୋକସଭା ଆସନ ପାଇଁ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ବିଜେଡି ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ପ୍ରାର୍ଥୀ ଘୋଷଣା ହେବା ପରେ ଉଭୟ ଜୋରସୋରରେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଦୁଇ ନେତା ଏବେ ପାର୍କରେ ପ୍ରଚାର କରି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଲାଗିପଡ଼ିଛନ୍ତି। ଏହିକ୍ରମରେ ଆଜି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ସକାଳୁ ସକାଳୁ ନୀଳାଦ୍ରିବିହାରସ୍ଥିତ ବୁଦ୍ଧ ପାର୍କରେ ପ୍ରଚାର କରିବାକୁ ପହଞ୍ଚିଯାଇଥିଲେ। ସାଙ୍ଗରେ ଉତ୍ତର ଭୁବନେଶ୍ବରର ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ସମେତ ସ୍ଥାନୀୟ ବିଜେଡି କର୍ପୋରେଟର ରହିଥିଲେ। ପାର୍କକୁ ମର୍ଣ୍ଣିଂ ୱାର୍କକୁ ଆସିଥିବା ଭୋଟରଙ୍କୁ ଭେଟି ଭଲ ମନ୍ଦ ବୁଝିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଉଭୟ ପ୍ରାର୍ଥୀ ପାର୍କ ନିକଟରେ ପହଞ୍ଚିବା କ୍ଷଣି ସ୍ଥାନୀୟ ଅଞ୍ଚଳବାସୀ ଶୁଭେଚ୍ଛ‌ା ଜଣାଇବା ସହ ପାଛୋଟି ନେଇଥିଲେ।

ସେପଟେ ଉତ୍ତର ଭୁବନେଶ୍ବର ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଟିକେଟ୍‌ ଆଶାୟୀ ଥିବା କୃଷ୍ଣଚନ୍ଦ୍ର ପତି ଆଜି ସକାଳୁ ଗାଡ଼କଣସ୍ଥିତ ଗୁରୁ କେଳୁଚରଣ ପାର୍କରେ ପ୍ରଚାର କରିଛନ୍ତି। କର୍ମୀଙ୍କ ସହ ମିଶି ପାର୍କକୁ ପ୍ରାତଃଭ୍ରମଣରେ ଆସିଥିବା ମହିଳା, ପୁରୁଷ, ଯୁବକ, ଯୁବତୀଙ୍କୁ ଭେଟିଥିଲେ। ରାଜ୍ୟର ବିଜେଡି ଓ କେନ୍ଦ୍ରର ବି‌ଜେପି ସରକାର କେଉଁଭଳି ଲୋକଙ୍କୁ ପ୍ରତାରଣା କରିଛନ୍ତି, ସେନେଇ ଭୋଟରଙ୍କୁ ଅବଗତ କରାଇଥିଲେ। କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ଲୋକଙ୍କୁ ବୁଝାଇଥିଲେ। ସୁଶାନ୍ତ, ମନ୍ମଥ ଓ କୃଷ୍ଣଙ୍କ ପାର୍କରେ ପ୍ରଚାର ଉତ୍ତର ଭୁବନେଶ୍ବର ରାଜନୀତିକୁ ଉଷ୍ମ କରିଛି।

ହଟହଟା ହେଲେ ମନ୍ମଥ
ବୁଦ୍ଧ ପାର୍କରେ ପ୍ରଚାର ସମୟରେ ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ହଟହଟା ହେବାକୁ ପଡ଼ିଛି। ମନ୍ମଥଙ୍କୁ ଭୋଟ୍‌ ଦେବାକୁ ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଲୋକଙ୍କୁ ନିବେଦନ କରିଥିଲେ। ତେବେ ଜଣେ ବୟସ୍କ ବ୍ୟକ୍ତି ଏହାର ଜବାବ କିଛି ଅଲଗା ଢଙ୍ଗରେ ଦେଇଥିଲେ। ଯୋଗ କରୁଥିବା ବ୍ୟକ୍ତି ଜଣକ କହିଥିଲେ ଯେ ମନ୍ମଥ ଭୋଟ୍ ମାଗିଲେ କ’ଣ ହେବ? ଭୁବନେଶ୍ୱର ଲୋକେ ଅପରାଜିତାଙ୍କୁ ଚାହୁଛନ୍ତି। ଏଥର ବିଜେପି ଲୋକସଭାରେ ୪୦୦ ପାର୍ କରିବ। ଖାଲି ଓଡ଼ିଶାରେ ନୁହେଁ, ଦେଶରେ ଏହାର ପ୍ରଭାବ ରହିବ। ବ୍ୟକ୍ତିଜଣଙ୍କର କଥା ଶୁଣିବା ପରେ ମନ୍ମଥ ନମ୍ରତାର ସହ ନମସ୍କାର କରିବା ସହ ‘ମୋ ପ୍ରତି ଆପଣଙ୍କ ଆଶୀର୍ବାଦ ରହିଥାଉ’ ବୋଲି ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିବେଦନ କରିଥିଲେ। ସେହିପରି ଅନ୍ୟ ଜଣେ ଯୁବକ ମଧ୍ୟ ସୁଶାନ୍ତଙ୍କୁ ଭୋଟଦେବେ ବୋଲି କହିଥିବା ବେଳେ କେନ୍ଦ୍ରରେ ବିଜେପି ସପକ୍ଷରେ ମତ ରଖିଥିଲେ।

ପୁଅଙ୍କ ପାଇଁ ଭୋଟ୍‌ ମାଗିଲେ ସୁର
ଆଜି ମନ୍ମଥ ଓ ସୁଶାନ୍ତ ବୁଦ୍ଧ ପାର୍କରେ ପ୍ରଚାର କରିବା ସମୟରେ କଂଗ୍ରେସ ବିଧାୟକ ତଥା ମନ୍ମଥଙ୍କ ବାପା ସୁରେଶ କୁମାର ରାଉତରାୟ ତାଙ୍କ ସହ ଯୋଗ ଦେଇଥିଲେ। ମନ୍ମଥଙ୍କ ଦଳ ଓ ଚିହ୍ନ ବିଷୟରେ କିଛି ନକହି କେବଳ କହିଥିଲେ, ‘‘ମୋ ପୁଅକୁ ଭୋଟ୍ ଦେଇ ଜିତାଇବ।’’ ହେଲେ ପାଖରେ ଥିବା ବିଜେଡି କର୍ମୀମାନେ ‘ନବୀନ ପଟ୍ଟନାୟକ ଜିନ୍ଦାବାଦ୍, ବିଜେଡି ଜିନ୍ଦାବାଦ୍’ ନାରା ଦେବା ସହ ଡବଲ୍ ଶଙ୍ଖରେ ଭୋଟ୍ ଦେବାକୁ କହିଥିଲେ। ଏହାପରେ ସମସ୍ତେ ପାର୍କ ବାହାରେ ଚା’ ଖଟିରେ ଚା’ ଓ ସର୍ବତ ପିଇବା ସହ ଭୋଟ୍‌ ମାଗିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button