ଖେଳ ଖବର

ଆର୍‌ସିବିକୁ ହରାଇଲା ଏଲ୍‌ଏସ୍‌ଜି – Kalinga News

[ad_1]

ବେଙ୍ଗାଲୁରୁ: ‌ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ତାରି ଘରେ ହରାଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି)। ଏଲ୍‌ଏସ୍‌ଜି ଏହି ମ୍ୟାଚ୍‌କୁ ୨୮ ରନ୍‌ରେ ଜିତିବା ସହ ଚଳିତ ଆଇପିଏଲ୍‌ରେ ଦ୍ବିତୀୟ ବିଜୟ ପାଇଛି। ଫଳରେ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ୧୦୦ତମ ଆଇପିଏଲ୍‌ ଖେଳିଥିବା ବିରାଟ କୋହଲି ଏହି ମ୍ୟାଚ୍‌କୁ ସ୍ମରଣୀୟ କରିବାରେ ବିଫଳ ହୋଇଛନ୍ତି।
୧୮୨ ରନ୍‌ର ଲକ୍ଷ୍ୟକୁ ପିଛା କରି ଆର୍‌ସିବିର ଆରମ୍ଭ ଚମତ୍କାର ହୋଇଥିଲା। ବିରାଟ କୋହଲି (୨୨) ଓ ଫାଫ୍‌ ଡୁପ୍ଲେସିସ୍‌ (୧୯) ପ୍ରଥମ ୪ ଓଭରରେ ୧୦ ଲେଖାଏଁ ହାରରେ ରନ୍‌ ବାହାର କରିଥିଲେ। କିନ୍ତୁ ଚତୁର୍ଥ ଓ ପଞ୍ଚମ ଓଭରରେ ଉଭୟଙ୍କ ୱିକେଟ୍‌ ଚାଲିଯିବା ପରେ ଦଳ ବିପର୍ଯ୍ୟୟ ଘେରକୁ ଆସିଯାଇଥିଲା। ନିୟମିତ ଅନ୍ତରରେ ଆର୍‌ସିବି ୱିକେଟ୍‌ ହରାଇ ଚାଲିଥିଲା। ତେବେ ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ମହିପାଲ୍‌ ଲୋମରର୍‌ ଗୋଟିଏ ପଟରୁ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଏପରିକି ଏକ ସମୟରେ ଲାଗୁଥିଲା ମହିପାଲ୍‌ ଦଳକୁ ବିଜୟ ଆଡ଼କୁ ନେଇପାରିବେ। ଅଷ୍ଟାଦଶ ଓଭରରେ ଛକା ମାରିବାକୁ ଯାଇ ବାଉଣ୍ଡରି ପାଖରେ ଲୋମରର୍‌ (୧୩ ବଲ୍‌, ୩୩ରନ୍‌) କ୍ୟାଚ୍‌ ଆଉଟ୍‌ ହୋଇଯାଇଥିଲେ। ଫଳରେ ଦୁଇଟି ବଲ୍‌ ପୂର୍ବରୁ ୧୫୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା ଆର୍‌ସିବି। ମୟଙ୍କ ଯାଦବ ୩, ନବୀନ ଉଲ୍‌ ହକ୍‌ ୨ ୱିକେଟ୍‌ ପାଇଥିଲେ।

ଆର୍‌ସିବି ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲେ ମଧ୍ୟ ଡି’କକ୍‌ ଓ କେଏଲ୍‌ ରାହୁଲ୍‌ ପାୱାର‌ପ୍ଲେ ଭିତରେ ପ୍ରଥମ ୱିକେଟ୍‌ରେ ୫୩ ରନ୍‌ ଭାଗୀଦାରି ଗଢ଼ିଥିଲେ। ରାହୁଲ୍‌ (୨୦)ଙ୍କୁ ଗ୍ଲେନ୍‌ ମ୍ୟା‌କ୍ସୱେଲ୍‌ ଆଉଟ୍‌ କରିବା ପରେ ଦେବଦତ୍ତ ପଡ଼ିକଲ୍‌ (୬) ମଧ୍ୟ ଶୀଘ୍ର ପ୍ୟାଭିଲିଅନ୍‌ ଫେରିଥିଲେ। ଷ୍ଟୋଇନିସ୍‌ଙ୍କ ସହ ମିଶି ଡି’କକ୍‌ ତୃତୀୟ ୱିକେଟ୍‌ରେ ୩୦ ବଲ୍‌ରୁ ୫୬ ରନ୍‌ର ଦ୍ରୁତ ଭାଗୀଦାରି କରି ଦଳକୁ ଲଢୁଆ ସ୍କୋର ଅଭିମୁଖେ ନେଇଥିଲେ। ୧୨ ଓଭରରେ ଦଳ ୧୦୦ ଅତିକ୍ରମ କରିଥିଲା। ଷ୍ଟୋଇନିସ୍‌ (୨୪) ଙ୍କୁ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମ୍ୟାକ୍ସୱେଲ୍‌ ଦ୍ବିତୀୟ ଶିକାର କରିବା ସହ ଲକ୍ଷ୍ନୌ ରନ୍‌ ଗତିରେ ସାମାନ୍ୟ ନିୟନ୍ତ୍ରଣ ଆଣିଥିଲେ। ଶତକଠୁ ୧୯ ରନ୍‌ ଦୂରରେ ଥିଲା ବେଳେ ଡି’କକ୍‌ଙ୍କୁ ସପ୍ତଦଶ ଓଭରରେ ରିସି ଟପଲେ୍‌ ଆଉଟ୍‌ କରି ଲକ୍ଷ୍ନୌକୁ ବଡ଼ ସ୍କୋର ଆଡ଼କୁ ଯିବାରେ ରୋକିଥିଲେ। ତଥାପି କେବଳ ବାଉଣ୍ଡରିରୁ (୮‌‌ଚୌକା, ୫ଛକା)ଡି’କକ୍‌ ୬୨ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ ୧୯ତମ ଓଭରରେ ଟପ୍‌ଲେଙ୍କୁ ପୂରନ୍‌ ତିନିଟି ଛକା ଓ ଶେଷ ଓଭରରେ ମହମ୍ମଦ ସିରାଜଙ୍କୁ ଦୁଇଟି ଛକା ମାରି ଦଳକୁ ୧୮୧/୫ରେ ପହଞ୍ଚାଇଥିଲେ। ପୂରନ୍‌ ୪୦* ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ଶେଷ ୫ ଓଭରରେ ୫୦ ରନ୍‌ ଓ ଶେଷ ଦୁଇ ଓଭରରେ ୩୩ ରନ୍‌ ଆସିଥିଲା। ଏହି ପାଳିରେ ମୋଟ୍‌ ୧୪ ଛକା ଓ ୧୦ ଚୌକା ମରାଯାଇଥିଲା।

ସଂକ୍ଷିପ୍ତ ସ୍କୋର: ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ ୨୦ ଓଭରରେ ୧୮୧/୫ (କ୍ବିଣ୍ଟନ୍ ଡି’କକ୍-୮୧, ନିକୋଲାସ ପୂରନ-୪୦*, ଗ୍ଲେନ୍ ମ୍ୟାକ୍ସୱେଲ୍‌-୨/୨୩, ୟଶ ଦୟାଲ-୧/୨୪, ରିସ୍ ଟପ୍‌ଲେ-୧/୩୯, ମହମ୍ମମ ସିରାଜ-୧/୪୭)। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୯.୪ ଓଭରରେ ୧୫୩/୧୦ (ମହିପାଲ୍ ଲୋମରର-୩୩, ରଜତ ପଟିଦାର-୨୯, ବିରାଟ କୋହଲି-୨୨, ମୟଙ୍କ ୟାଦବ-୩/୧୪, ନବୀନ ଉଲ୍ ହକ୍‌-୨/୨୫, ମାର୍କସ ଷ୍ଟୋଇନିସ୍-୧/୯, ମଣିମାରନ ସିଦ୍ଧାର୍ଥ-୧/୨୧, ୟଶ ଠାକୁର-୧/୩୮)



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button