ରାଜନୀତି

ବିରୋଧୀ ଉସୁକାଉଥିଲେ, ଏବେ ଚୁପ୍‌: ହାତରୁ ଖସିଗଲା ନୂଆ ଜିଲ୍ଲା କାର୍ଡ – Kalinga News

[ad_1]

ବିଶ୍ବଜିତ ଦାଶ
ଭୁବନେଶ୍ବର: ପଦ୍ମପୁରରୁ ଆରମ୍ଭ କରି କଣ୍ଟାବାଞ୍ଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ ଜିଲ୍ଲା‌ ଦାବିରେ ୧୨ଘଣ୍ଟିଆ ବନ୍ଦ ପାଳନ ହେଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଗଲା, ବିଭିନ୍ନ ଅଞ୍ଚଳର ବିଧାୟକମାନେ ବିଧାନସଭାରେ ନୂଆ ଜିଲ୍ଲା ଘୋଷଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ। ଏପରିକି ନୂଆ ଜିଲ୍ଲା ଘୋଷଣା ପ୍ରସଙ୍ଗରେ ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେନି ବୋଲି କୋର୍ଟ ରାୟ ଦେଲେ। ଏହାପରେ ନୂଆ ଜିଲ୍ଲା ଦାବି ପ୍ରସଙ୍ଗ କମିବା ବଦଳରେ ଉଗ୍ର ରୂପ ଧାରଣ କରୁଥିଲା। ଜିଲ୍ଲା ଦାବି ଏମିତି ଜୋର୍‌ ଧରିଥିଲା ଯେ ଆସନ୍ତା ସାଧାରଣ ନିର୍ବାଚନରେ ଶାସକ ବିଜେଡି ଅକଳରେ ପଡ଼ିବାର ଭୟ ଘାରିଥିଲା। କିନ୍ତୁ ରାଜ୍ୟ ସରକାର ୬ଟି ଏନ୍‌ଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରିବା ଏବଂ ୫୭ଟି ନୂଆ ଏନ୍‌ଏସି ଘୋଷଣା କରିବା ପରେ ୧୬ଟି ଜିଲ୍ଲାକୁ ଭାଙ୍ଗି ୨୮ଟି ନୂଆ ଜିଲ୍ଲା ଗଠନ ଦାବି ଥମିଯାଇଛି। ରାଜ୍ୟ ସରକାର ଅତି ସତର୍କତାର ସହ ଜିଲ୍ଲା ଦାବି ହେଉଥିବା ୧୫ଟି ଜିଲ୍ଲାର ୨୭ଟି (ନୂଆ ଜିଲ୍ଲା ଦାବି) ଅଞ୍ଚଳ ଭିତରେ ୩୯ଟି ନୂଆ ଏନ୍‌ଏସି, ୪ଟି ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି। ଯାହା ଲୋକଙ୍କ ଅସନ୍ତୋଷକୁ ଚାପିବାରେ ବଡ଼ ଅସ୍ତ୍ର ପାଲଟିଛି।

ସାଧାରଣ ନିର୍ବାଚନ ନେଇ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ଏହି ମାଷ୍ଟର ଷ୍ଟ୍ରୋକ୍ ବିରୋଧୀଙ୍କୁ ଆସନ୍ତା ନିର୍ବାଚନରେ ଏହାକୁ ପ୍ରସଙ୍ଗ କରିବାର ବାଟକୁ ଏକପ୍ରକାରର ବନ୍ଦ କରିଦେଇଛି। ଏପଟେ ରାଜ୍ୟ ସରକାରଙ୍କ ନୂଆ ଏନ୍‌ଏସି ଘୋଷଣାକୁ ପ୍ରଥମରୁ ବିରୋଧ କରୁଥିବା ବିଜେପି ବି ଏହି ପ୍ରସଙ୍ଗରେ ପୂରା ଚୁପ୍ ପଡ଼ିଯାଇଛି। ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଆସନ୍ତା ଅଢ଼େଇ ମାସ ମଧ୍ୟରେ କୌଣସି ପରିସ୍ଥିତିରେ ବି ନୂଆ ଜିଲ୍ଲା ଘୋଷଣା ହୋଇପାରିବନି। ହେଲେ ନୂଆ ଏନ୍‌ଏସି ଘୋଷଣା ଦ୍ବାରା ଲୋକଙ୍କ ସୁବିଧା ପାଇଁ ଗଳି ଗଳିରେ ‌ଷ୍ଟ୍ରିଟଲାଇଟ୍ ଲାଗିବ, ପ୍ରତିଦିନ ଘରୁ ଅଳିଆ ନେବାକୁ ସଫେଇ ଗାଡ଼ି ଆସିବ, ସୁବିଧାରେ ପିଇବା ପାଣି ମିଳିବ ଏସବୁକୁ ବୁଝାଇବାକୁ ଶାସକ ଦଳର ସ୍ଥାନୀୟ ନେତା ପ୍ରସ୍ତୁତ ହେଲେଣି।

୧୬ ଜିଲ୍ଲାକୁ ଭାଙ୍ଗି ୨୮ଟି ନୂଆ ଜିଲ୍ଲା ପାଇଁ ଦାବି ହୋଇଥିଲା
ଘୋ‌ଷଣା ହେଲା ୫୭ ଏନ୍‌ଏସି, ୬ଟି ନୂଆ ମ୍ୟୁନିସିପାଲିଟି
ଆନନ୍ଦପୁର ପାଇଁ କିଛି ଘୋଷଣା ହୋଇନି

ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଡିସେମ୍ବର ୨୦୨୩ ସୁଦ୍ଧା ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ। ହେଲେ ଡିସେମ୍ବର ଅବଧି ପୂରିବା ପୂର୍ବରୁ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି କୋର୍ଟ ରାୟ ଦେଲେ ଯେ ଉଚ୍ଚ ନ୍ୟାୟାଳୟଙ୍କ ବିନା ଅନୁମତିରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବନି। ଏହାପରେ ରାଜ୍ୟ ସରକାର ପଦ୍ମପୁରକୁ ସବ୍‌ଡିଭିଜନ ମାନ୍ୟତା ଦେଇଦେଲେ। ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଥିବାରୁ ଏହାକୁ ସବ୍‌ଡିଭିଜନ ମାନ୍ୟତା ଦେଲେ। ହେଲେ ମୁଖ୍ୟମନ୍ତ୍ରୀ ଆଉ କେଉଁଠି ବି ନୂଆ ଜିଲ୍ଲା ନେଇ ଘୋଷଣା କରିନଥିଲେ ହେଁ ୨୮ଟି ଅଞ୍ଚଳକୁ ନୂଆ ଜିଲ୍ଲା ମାନ୍ୟତା ଦେବାକୁ ଦାବି ହେବାରୁ ଏଥିରୁ ଅଧିକାଂଶକୁ ଏନ୍‌ଏସି ଓ ମ୍ୟୁନିସିପାଲିଟି ମାନ୍ୟତା ଦିଆଯାଇଛି। ଏଥିରେ ମୟୂରଭଞ୍ଜର କରଞ୍ଜିଆ, ବଲାଙ୍ଗୀରର କଣ୍ଟାବାଞ୍ଜି, ଗଞ୍ଜାମର ଆସ୍କା, ଭଞ୍ଜନଗରକୁ ନୂଆ ଜିଲ୍ଲା ମାନ୍ୟତା ଦେବାକୁ ଦାବି ହୋଇଥିବା ବେଳେ ରାଜ୍ୟ ସରକାର ଘୋଷଣା କରିଥିବା ୬ ନୂଆ ମ୍ୟୁନିସିପାଲିଟି ମଧ୍ୟରେ ଏହି ୪ଟି ଅଞ୍ଚଳ ରହିଛି। ସେହିପରି ନୂଆ ଜିଲ୍ଲା ଦାବି ହେଉଥିବା ସୁନ୍ଦରଗଡ଼ର ବଣେଇ, ଅନୁଗୁଳର ପାଲଲହଡ଼ା, ଯାଜପୁରର ଚଣ୍ଡିଖୋଲକୁ ଏନ୍‌ଏସି ଘୋଷଣା କରାଯାଇଛି। ଅପରପକ୍ଷେ ବହୁ ଜିଲ୍ଲାରେ ଯେଉଁ ଯେଉଁ ଅଞ୍ଚଳକୁ ନେଇ ନୂଆ ଜିଲ୍ଲା ପାଇଁ ଦାବି କରାଯାଉଥିଲା, ସେହି ଅଞ୍ଚଳରେ ଅସନ୍ତୋଷକୁ ପ୍ରଶମିତ କରିବାକୁ ୩୯ଟି (୫୭ଟି ନୂଆ ଏନ୍‌ଏସି ମଧ୍ୟରୁ) ନୂଆ ଏନ୍‌ଏସି ଘୋଷଣା କରାଯାଇଛି। ଏହିପରି ୧୬ଟି ଜିଲ୍ଲାରୁ ଆସିଥିବା ୨୮ଟି ନୂଆ ଜିଲ୍ଲା ଦାବିକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ୧୫ଟି ଜିଲ୍ଲାର ୨୭ଟି ଅଞ୍ଚଳର ଲୋକଙ୍କୁ ଖୁସି କରିବା ଭଳି ମ୍ୟୁନିସିପାଲିଟି, ଏନ୍‌ଏସି ଘୋଷଣା କରିଛନ୍ତି। କେବଳ କେନ୍ଦୁଝରରେ ଆନନ୍ଦପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଦାବି ହେଉଥିବା ବେଳେ ଏଠାରେ କୌଣସି ନୂଆ ଏନ୍‌ଏସି କି ମ୍ୟୁନିସିପାଲିଟି ଘୋଷଣା କରାଯାଇନି।

ସେହିପରି ବୌଦ୍ଧ, ନୟାଗଡ଼, ଢେଙ୍କାନାଳ, ଜଗତସିଂହପୁର, ସୁବର୍ଣ୍ଣପୁର, ଭଦ୍ରକ, କୋରାପୁଟ, ନୟାଗଡ଼ ଜିଲ୍ଲାକୁ ଭାଙ୍ଗି ନୂଆ ଜିଲ୍ଲା ଗଠନ କରିବାକୁ ରାଜ୍ୟ ସରକାରଙ୍କ ନିକଟକୁ କୌଣସି ଦାବି ଆସିନଥିଲେ ବି ରାଜ୍ୟ ସରକାର ଏଠାରେ ନୂଆ ଏନ୍‌ଏସି ଘୋଷଣା କରିଛନ୍ତି। ଯେପରି ବୌଦ୍ଧଗଡ଼କୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ସହ ମନମୁଣ୍ଡା, ପୁରୁଣାକଟକ ଓ ବାଉଁଶୁଣିକୁ ଏନ୍‌ଏସି ଘୋଷଣା କରିଛନ୍ତି। ଢେଙ୍କାନାଳର ରାସୋଳ, ପରଜଙ୍ଗ, ଜଗତସିଂହପୁରର କୁଜଙ୍ଗ, ନୟାଗଡ଼ର ଶରଣକୁଳ, ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା, ଡୁଙ୍ଗୁରପାଲି, ଉଲୁଣ୍ଡା ଓ ରାମପୁର, ବୀରମହାରାଜପୁର, ଭଦ୍ରକ ଜିଲ୍ଲାର ଅଗରପଡ଼ା, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡ଼ା ଜିଲ୍ଲାର ସିନାପାଲିକୁ ଏନ୍‌ଏସି ମାନ୍ୟତା ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button