ପ୍ରସାଦ ନିର୍ବାଚନ ଲଢ଼ିବେ ନା କେବଳ ପ୍ରଚାର କରିବେ? ସତ୍ୟବାଦୀରେ କଂଗ୍ରେସର ପ୍ରାର୍ଥୀ ଅଙ୍କ ଅସ୍ପଷ୍ଟ – Kalinga News
[ad_1]
ଭୁବନେଶ୍ବର: ୨୦୨୨ ମସିହା ଜାନୁଆରି ୨୭ ତାରିଖ। ଭୁବନେଶ୍ବରର ରୋଟାରି ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ସେତେବେଳର ଦଳୀୟ ନେତୃତ୍ବଙ୍କ ଉପରେ ଅସନ୍ତୋଷ ଝାଡ଼ିବା ସହ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ବାଷ୍ପରୁଦ୍ଧ କଣ୍ଠରେ ଘୋଷଣା କଲେ। ଏହା ଭିତରେ ୨ବର୍ଷ ବିତି ଗଲାଣି। ଯେଉଁ ନେତୃତ୍ବଙ୍କୁ ଅଙ୍ଗୁଳି ଦେଖାଇ ପ୍ରସାଦ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ, ସେମାନେ ଏହାଭିତରେ ବଦଳି ଗଲେଣି। ଓଡ଼ିଶା କଂଗ୍ରେସରେ ଏବେ ନୂଆ ସଭାପତି ଓ ରାଜ୍ୟ ପ୍ରଭାରୀ। ହେଲେ ପ୍ରସାଦ ଚଳିତ ନିର୍ବାଚନ ଲଢ଼ିବେ କି ନାହିଁ, ସେ ଦ୍ବନ୍ଦ୍ବ ଦୂର ହୋଇନାହିଁ। ଯଦି ପ୍ରସାଦ ନିର୍ବାଚନ ମଇଦାନକୁ ଓହ୍ଲାଇବେ ତେବେ ସତ୍ୟବାଦୀର ବିଧାନସଭା ପ୍ରାର୍ଥୀ ହେବେ ନା ପୁରୀର ସାଂସଦ ପ୍ରାର୍ଥୀ। ଯଦି ନିର୍ବାଚନ ଲଢ଼ିବେ ନାହିଁ ତାହାଲେ କେବଳ ଦଳର ସଙ୍ଗଠନ ଓ ପ୍ରଚାରରେ ନିଜକୁ ସୀମିତ ରଖିବେ କି ? ଏମିତି ପ୍ରଶ୍ନ ଉପରେ ଆଲୋଚନା ଜାରି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁରୀ ଜିଲ୍ଲାରେ କଂଗ୍ରେସର ସଂଗଠନ ଅତି ଦୁର୍ବଳ। ଦୀର୍ଘଦିନ ପର୍ଯ୍ୟନ୍ତ ଜିଲ୍ଲାର କେହି ସଭାପତି ନ ଥିଲେ। କିଛି ମାସ ତଳେ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତ ହୋଇଛନ୍ତି। ସତ୍ୟବାଦୀରେ କଂଗ୍ରେସ ଦଳର ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ। ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦୃଶ୍ୟବାନ ନାହିଁ। ସେଭଳି କୌଣସି ବଡ଼ ରାଜନୈତିକ କାର୍ଯ୍ୟକ୍ରମ ବି କରାଯାଉନାହିଁ। ଏହାଭିତରେ ବିଜୁ ଜନତା ଦଳ ସଞ୍ଜୟ ଦାସବର୍ମାଙ୍କୁ ସତ୍ୟବାଦୀର ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେପି ମଧ୍ୟ ଖୁବଶୀଘ୍ର ନିଜର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ତେଣୁ କଂଗ୍ରେସର ସତ୍ୟବାଦୀରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ କଳ୍ପନାଜଳ୍ପନା ଚାଲିଛି। କଂଗ୍ରେସ ଦଳ ଭିତରେ ମଧ୍ୟ ଏହା ଉପରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ଅପରପକ୍ଷରେ ପ୍ରସାଦ ହରିଚନ୍ଦନଙ୍କୁ ଦଳ ବିଭିନ୍ନ କମିଟିରେ ସ୍ଥାନ ଦେଇଛି। ଜାତୀୟ ଢାଞ୍ଚାରେ ଓଡ଼ିଶାରେ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟ-ଓଡ଼ିଶାର ସେ ଆବାହକ ଅଛନ୍ତି। କଂଗ୍ରେସ ପକ୍ଷରୁ ହୋଇଥିବା ‘ଦେଶ ପାଇଁ ଦାନ’ ଅଭିଯାନର ଅଧ୍ୟକ୍ଷ ଓ ରାଜ୍ୟ କଂଗ୍ରେସର ନିର୍ବାଚନ ପରିଚାଳନା ଓ ସମନ୍ବୟ ସମିତି ଆବାହକ ନିଯୁକ୍ତ ହୋଇଛନ୍ତି। ହେଲେ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଚାପ ରହିଛି। କିଛିମାସ ତଳେ କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି, ମଣତି ସହ ୪ ଦ୍ବାର ଖୋଲିବା ପାଇଁ ତୁଳସୀ ଯାତ୍ରା କରାଯାଇଥିଲା। ଏଥିରେ ପ୍ରସାଦଙ୍କୁ ଅଗ୍ରଣୀ ଭୂମିକାରେ ଦେଖିବାକୁ ମିଳିଥିଲା। ତେଣୁ ଆସନ୍ତା ନିର୍ବାଚନରେ ପୁରୀ ଲୋକସଭା ଆସନରୁ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଦଳ ଭିତରେ ଆଲୋଚନା ଚାଲିଛି। ମାତ୍ର ପ୍ରସାଦ ଏ ଯାଏ କିଛି ସ୍ପଷ୍ଟ କରିନାହାନ୍ତି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସତ୍ୟବାଦୀ ନିର୍ବାଚନମଣ୍ଡଳୀ ପାଇଁ ଦଳ ପ୍ରସାଦଙ୍କ ଉପରେ ସବୁ ଛାଡ଼ି ଦେଇଛି। ସେ ନିର୍ବାଚନ ଲଢ଼ିବେ କି ନାହିଁ ତାହା ଏଆଇସିସି ନିଷ୍ପତ୍ତି ନେବ। ତେଣୁ ଏବେଠାରୁ କିଛି ସ୍ପଷ୍ଟ ଭାବେ କହିହେବ ନାହିଁ ବୋଲି ଜଣେ ଦଳୀୟ ନେତା କହିଛନ୍ତି।
[ad_2]