ପଂଜାବରେ ଲୋକସଭା ନିର୍ବାଚନ ପାଇଁ ହାତ ମିଳାଇବେ ବିଜେପି, ଅକାଳି ଦଳ – Kalinga News

[ad_1]
ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ପଂଜାବରେ ବିଜେପି ଏବଂ ଅକାଳି ଦଳ ମଧ୍ୟରେ ପୁଣିଥରେ ମେଣ୍ଟ ହୋଇପାରେ। ଏନେଇ କଥାବାର୍ତ୍ତା ଜାରି ରହିଥିବା ଜଣାପଡ଼ିଛି। ପଂଜାବରେ ଆସନ୍ତା ଜୁନ୍ ୧ ତାରିଖରେ ୧୩ ଲୋକସଭା ଆସନରେ ଭୋଟ୍ ଅଛି। ଆପ୍ ପଂଜାବରେ ଏହାର ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେପି ଏବଂ ଅକାଳି ଦଳ ମଧ୍ୟରେ ମେଣ୍ଟ ପାଇଁ ଆଲୋଚନା ଜାରି ରହିଛି। ଏନେଇ ବରିଷ୍ଠ ବିଜେପି ନେତା ଏବଂ ଦଳର ମୁଖପାତ୍ର ଏସଏସ ଚନ୍ନି ସ୍ପଷ୍ଟ କରି କହିଛନ୍ତି ଯେ ପଂଜାବରେ ୨ ଦଳ ମଧ୍ୟରେ ଆଲୋଚନା ଜାରି ରହିଛି। ମାର୍ଚ୍ଚ ୨୨ରେ ଅକାଳି ଦଳ କୋର୍ ବୈଠକ କରିବ। ପ୍ରଥମେ ବୈଠକରେ ନିଷ୍ପତ୍ତି ହେବାପରେ ବିଜେପି ଏବଂ ଶିରୋମଣି ଅକାଳି ଦଳ ମଧ୍ୟରେ ଔପଚାରିକ ଆଲୋଚନା ହେବ। ପରିଶେଷରେ ବିଜେପି ହାଇ କମାଣ୍ଡଙ୍କ ଦ୍ବାରା ମେଣ୍ଟ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଚନ୍ନି କହିଛନ୍ତି। ଶିରୋମଣି ଅକାଳି ଦଳର କୋର୍ କମିଟି ବୈଠକ ଚଣ୍ଡିଗଡ଼ରେ ହେବ। ବରିଷ୍ଠ ଅକାଳି ଦଳ ନେତା ଏବଂ ଦଳର ସାଧାରଣ ସଚିବ ଡ ଦଲଜିତ ସିଂହ ଚିମା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ ମେଣ୍ଟ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା ହୋଇପାରେ। ତେବେ ପଂଜାବରେ ସମ୍ଭାବ୍ୟ ସ୍ୟାଡ୍-ବିଜେପି ମେଣ୍ଟ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ବିରୋଧୀ ଦଳ ନେତା ପ୍ରତାପ ସିଂହ ବଜୱା ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ପ୍ରୟାସ ସ୍ୟାଡର ସ୍ବାର୍ଥ ପ୍ରତି କ୍ଷତିକାରକ ହେବ ବୋଲି ସେ କହିଛନ୍ତି। ପଂଜାବରେ ମେଣ୍ଟ ହେଲେ ବିଜେପି ଅଧିକ ଶକ୍ତିଶାଳୀ ହୋଇଯିବ ବୋଲି ସେ କହିଛନ୍ତି।
[ad_2]