ଖେଳ ଖବର

ଅତୁଳନୀୟ ଆଣ୍ଡରସନ୍‌ – Kalinga News

[ad_1]

ଭୁବନେଶ୍ବର: ଏବର୍ଷର ଭାରତ ଗସ୍ତରେ ଇଂଲଣ୍ଡ କ୍ରିକେଟ୍ ଦଳ ଆଶାଜନକ ପ୍ରଦର୍ଶନ କରିପାରିନି। ହେଲେ ଏହି ଦଳର ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ୍‌ଙ୍କ ପାଇଁ ଭାରତ ଆ‌ସିବା ଚିରଦିନ ଲାଗି ଅବିସ୍ମରଣୀୟ ‌ହୋଇଯାଇଛି। କାରଣ ଏହି ଗସ୍ତରେ ହିଁ କ୍ରିକେଟ୍ ଇତିହାସର ପ୍ରଥମ ଓ ଏକମାତ୍ର ଦ୍ରୁତ ବୋଲର ଭାବେ ୭୦୦ ଟେଷ୍ଟ୍ ୱିକେଟ୍‌ର ମାଇଲଖୁଣ୍ଟ ଛୁଇଁଛନ୍ତି ସେ। ଏଭଳି ଏକ ଅସାଧାରଣ ବିଶ୍ବ କୀର୍ତ୍ତିମାନ ଛୁଇଁବା ଲାଗି ତାଙ୍କ ଯାତ୍ରା ଥିଲା ବେଶ୍ ଶିକ୍ଷଣୀୟ ଓ ପ୍ରେରଣାଦାୟୀ। ସାଧାରଣତଃ ଟେଷ୍ଟ୍ କ୍ରିକେଟ୍‌ରେ ଜଣେ ଦ୍ରୁତ ବୋଲର ୭୦୦ ୱିକେଟ୍ ପୂର୍ଣ୍ଣ କରିବା ଆଦୌ ସହଜ ନୁହେଁ। ମାତ୍ର କିଛି ବର୍ଷ ପୂର୍ବେ ଏହା ପୂରା ଅସମ୍ଭବ ଲାଗୁଥିଲା, ଅତ୍ୟନ୍ତ କଷ୍ଟକର ବି ଥିଲା। କାରଣ ଦ୍ରୁତ ବୋଲରଙ୍କୁ ଅଧିକାଂଶ ସମୟ ଆହତ ସମସ୍ୟା ପିଛା କରୁଥିବାରୁ ସେମାନେ ଲମ୍ବା ସମୟ ଖେଳିପାରନ୍ତି ନାହିଁ। ଏହି ଲକ୍ଷ୍ୟ ଏଭରେଷ୍ଟ ଭଳି ଉଚ୍ଚ ଥିଲେ ବି ୪୨ ବର୍ଷୀୟ ଆଣ୍ଡରସନ୍‌ ଏହାକୁ ସମ୍ଭବ କରି ଦେଖାଇଛନ୍ତି। ଧର୍ମଶାଳାରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ଅନ୍ତିମ ଟେ‌ଷ୍ଟ୍‌ର ଅନ୍ତିମ ଦିବସରେ ଏହି ମହାନ ବୋଲର ୭୦୦ ୱିକେଟ୍ ମାଲଲ୍‌ଖୁଣ୍ଟ ଛୁଇଁ ବିଦାୟ ନେଇଛନ୍ତି। ୨୧ ବର୍ଷ ଧରି ଟେଷ୍ଟ୍ କ୍ରିକେଟ୍ ଖେଳିବା କିଛି କମ୍ ବଡ଼ ଉପଲବ୍‌ଧି ନୁହେଁ। ୧୮୭ ଟେଷ୍ଟରୁ ସେ ଏଭଳି ସଫଳତା ସାଉଁଟିଛନ୍ତି। ମୋଟ ଅନ୍ତର୍ଜାତୀୟ ୱିକେଟ୍ ମଧ୍ୟ ୧୦୦୦ ମୁହାଁ ହୋଇଛି। ଦିନିକିଆରୁ ୨୬୯ ଓ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ୧୮ ୱିକେଟ୍‌ ନେଇଥିବାରୁ ମାତ୍ର ୧୩ ୱିକେଟ୍ ଦୂରରେ ରହିଛନ୍ତି। ଅର୍ଥାତ୍ ତାଙ୍କ ମୋଟ ଅନ୍ତର୍ଜାତୀୟ ୱିକେଟ୍‌ ଏବେ ୯୮୭ରେ ପହଞ୍ଚିସାରିଛି।

ଧର୍ମଶାଳାରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟ୍‌ରେ କୁଲଦୀପ ଯାଦବଙ୍କୁ ସେ ଆଉଟ୍‌ କରି ୭୦୦ କ୍ଲବ୍‌ରେ ସାମିଲ ହୋଇଛନ୍ତି। ସର୍ବାଧିକ ୱିକେଟ୍‌ ହାସଲକାରୀଙ୍କ ତାଲିକାରେ ମୁଥୟା ମୁରଲୀଧରନ୍‌ (୮୦୦) ଓ ସେନ୍‌ ୱର୍ଣ୍ଣ (୭୦୮)ଙ୍କ ପଛକୁ ଆଣ୍ଡରସନ୍‌ ରହିଛନ୍ତି। କିନ୍ତୁ ଭାରତରେ ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିବାକୁ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା। ଭାରତ‌ ଗସ୍ତରେ ଆସିବା ପୂର୍ବରୁ ତାଙ୍କ ୱିକେଟ୍‌ ସଂଖ୍ୟା ୬୯୦ ଥିଲା। ହାଇଦ୍ରାବାଦ୍‌ ଟେଷ୍ଟ୍‌କୁ ଛାଡ଼ିଦେଲେ ଅନ୍ୟ ୪ ମ୍ୟାଚ୍‌ରେ ସେ ଖେଳିଥିଲେ। ବିଶାଖାପାଟଣା ମ୍ୟାଚ୍‌ରେ ସେ ଉଭୟ ପାଳିରୁ ୫ ୱିକେଟ୍‌ ନେଇଯିବା ପରେ ଖୁବ୍ ଶୀଘ୍ର ମାଇଲ୍‌ଖୁଣ୍ଟରେ ପହଞ୍ଚିଯିବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ୩ ମ୍ୟାଚ୍‌ରେ ଯଥାକ୍ରମେ ୧, ୨, ୨ ୱିକେଟ୍‌ ନେଇ ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି। ଭାରତୀୟ ମାଟିରେ ଟେଷ୍ଟ୍‌ କ୍ରିକେଟ୍‌ ଖେଳିବା ସବୁବେଳେ ପ୍ରତିପକ୍ଷଙ୍କ ପାଇଁ ଏକ ଆହ୍ବାନ ହୋଇଥାଏ। ଏଠାକାର ସ୍ପିନ ପିଚ୍‌ରେ ଦ୍ରୁତ ବୋଲରଙ୍କ ପ୍ରଭାବ ପ୍ରାୟତଃ ଦେଖିବାକୁ ମିଳି ନଥାଏ। କିନ୍ତୁ ଯେତେବେଳେ ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଚୟନ ହୋଇଥିଲା, ସେତେବେଳେ ଅଭିଜ୍ଞତା ଭିତ୍ତିରେ ଆଣ୍ଡରସନ୍‌ଙ୍କୁ ସୁଯୋଗ ମିଳିଥିଲା। ଭାରତୀୟ ପିଚ୍‌ରେ ଦ୍ରୁତ ବୋଲରଙ୍କୁ ସହାୟତା ମିଳୁ ନଥିଲେ ମଧ୍ୟ ସେ ପୂର୍ବରୁ ଏଠାରେ ଖେଳି ପ୍ରଚୂର ୱିକେଟ୍‌ ପାଇଛନ୍ତି। ତେଣୁ ଆଣ୍ଡରସନ୍‌ ବହୁ ଆଗରୁ ପ୍ରସ୍ତୁତି ଚଳାଇଥିଲେ। ବିଶେଷ କରି ତାଙ୍କ ରନ୍‌ଅପ୍‌ରେ ପରିବର୍ତ୍ତନ ଆଣିବାକୁ ସେ ଚେଷ୍ଟା କରିଥିଲେ। ଅଧିକ ଜୋର୍‌ରେ ଦୌଡ଼ିବା ଅପେକ୍ଷା ଗତି ସାମାନ୍ୟ ଧିମା କରିବା ସହ ବଲ୍‌ ପକାଇବା ବେଳେ ହାତକୁ ଠିକ୍‌ ଲାଇନ୍‌ରେ ଛାଡ଼ିବାକୁ ସେ ଅଭ୍ୟାସ କରିଥିଲେ।

ଭାରତରେ ସବୁଠୁ ବୟସ୍କ ଦ୍ରୁତ ବୋଲର
ଭାରତ ସହିତ ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବା ସମୟରେ ଆଣ୍ଡରସନ୍‌ ସବୁଠୁ ବୟସ୍କ ଦ୍ରୁତ ବୋଲର ହୋଇଥିଲେ। ଫେବ୍ରୁଆରି ୨ ତାରିଖରେ ପଡ଼ିଆରେ ପ୍ରବେଶ କଲା ବେଳକୁ ଆଣ୍ଡରସନ୍‌ଙ୍କ ବୟସ ୪୧ ବର୍ଷ ୧୮୭ ଦିନ ହୋଇଥିଲା। ଏହାଫଳରେ ସେ ୭୨ ବର୍ଷର କୀର୍ତ୍ତିମାନକୁ ଭାଙ୍ଗି ଦେଇଛନ୍ତି। ଭାରତର କିଂବଦନ୍ତି ଦ୍ରୁତ ବୋଲର ଲାଲା ଅମରନାଥ ୧୯୫୨ ମସିହାରେ ବୟସ୍କ ଦ୍ରୁତ ବୋଲର ଭାବେ ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିଲେ। ଇଡେନ୍‌ ଗାର୍ଡ୍ସେନ୍ସରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ ବେଳକୁ ତାଙ୍କର ବୟସ ୪୧ ବର୍ଷ ୯୨ ଦିନ ହୋଇଥିଲା। ଆଣ୍ଡରସନ୍‌ ଓ ଅମରନାଥଙ୍କ ବ୍ୟତୀତ ଏହି ତାଲିକାରେ ରୟ ଲିଣ୍ଡୱାଲ୍‌ (୩୮ବର୍ଷ ୧୧୨ ଦିନ), ସୂତି ବାନାର୍ଜୀ (୩୭ ବର୍ଷ ୧୨୪ ଦିନ) ଓ ଗୁଲାମ ଗାର୍ଡ (୩୪ ବର୍ଷ ୨୦ଦିନ) ରହିଛନ୍ତି। ସେହିପରି ବୟସ୍କ ଖେଳାଳିଙ୍କ ତାଲିକାରେ ଆଣ୍ଡରସନ୍‌ ପଞ୍ଚମ ଖେଳାଳି ହୋଇଛନ୍ତି। ଜିମ୍ବାୱେର ଜନ୍‌ ଟ୍ରାଇକସ୍‌ ୧୯୯୩ ମସିହାରେ ୪୫ବର୍ଷ ୩୪ ଦିନ ବୟସରେ ଖେଳି ସବୁଠୁ ବୟସ୍କ ଖେଳାଳି ହୋଇଥିଲେ। ୧୯୯୩ରେ ଦିଲ୍ଲୀରେ ସେ ତାଙ୍କର ଶେଷ ମ୍ୟାଚ୍‌ ଖେଳିଥିଲେ। ତାଙ୍କ ପଛକୁ ପାକିସ୍ତାନର ଅମିର ଇଲାହି (୪୪), ଭାରତର ବିନୁ ମଙ୍କଡ଼ (୪୧) ବୟସ୍କ ଖେଳାଳି ଭାବେ ଭାରତରେ ଟେଷ୍ଟ୍‌ ମ୍ୟାଚ୍‌ ଖେଳିଛନ୍ତି।

ସଚିନ, କୋହଲି, ଗିଲ୍‌ଙ୍କୁ ଅଧିକ ଶିକାର
ଭ୍ରମଣକାରୀ ବୋଲରଙ୍କ ମଧ୍ୟରୁ ଭାରତରେ ସବୁଠୁ ଅଧିକ ଟେଷ୍ଟ୍‌ ୱିକେଟ୍‌ ନେବା ରେକର୍ଡ ମଧ୍ୟ ଆଣ୍ଡରସନ୍‌ଙ୍କ ନାମରେ ରହିଛି। ସେ ୧୬ ମ୍ୟାଚ୍‌ରୁ ୩୯ ୱିକେଟ୍‌ ନେଇଛନ୍ତି। ଏପରିକି ତିନି ପିଢି କ୍ରିକେଟର୍‌ଙ୍କ ଉପରେ ମଧ୍ୟ ସେ ତାଙ୍କ ପ୍ରଭାବ ବିସ୍ତାର କରିଛନ୍ତି। ସଚିନ୍‌ ତେନ୍ଦୁଲକରଙ୍କ ସମୟରେ ଆଣ୍ଡରସନ୍‌ ତାଙ୍କୁ ନବମ ଥର ଆଉଟ୍‌ କରିଛନ୍ତି। ତାଙ୍କ ପରେ ବିରାଟ କୋହଲିଙ୍କ ନେତୃତ୍ବ ସମୟରେ ଏହି ଇଂଲିସ ବୋଲର ସପ୍ତମ ଥର ତାଙ୍କୁ ଆଉଟ୍‌ କରିଛନ୍ତି। ବର୍ତ୍ତମାନ ଯୁବ କ୍ରିକେଟର୍‌ଙ୍କ ଯୁଗରେ ଭାରତୀୟ ତାରକା ଶୁବମନ ଗିଲ୍‌ଙ୍କୁ ଷଷ୍ଠ ଥର ଆଉଟ୍‌ କରି ଆଧିପତ୍ୟ ବିସ୍ତାର କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button