ମନୋରଞ୍ଜନ

ସାତ୍ ସୱାଲ୍: ମୁଁ ଠିକ୍‌ ବୟସରେ ବିବାହ କରିଛି – Kalinga News

[ad_1]

ବନ୍ଦନା ମିଶ୍ର୍ର

ଓଡ଼ିଆ ସଂଗୀତ ଦୁନିଆର ଜଣେ ଆଗଧାଡ଼ିର ଗାୟକ ଶଶାଙ୍କ ଶେଖର। ଭିନ୍ନ ଭିନ୍ନ ଶୈଳୀର ଗୀତ ଗାଇ ସେ ଶ୍ରୋତାଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଗାୟନ କ୍ଷେତ୍ରରେ ସକ୍ରିୟ ରହି ଓଡ଼ିଆ ସଂଗୀତ ଜଗତକୁ ଆଗେଇ ନେବାରେ ବି ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। ବହୁ ପୁରସ୍କାରରେ ସମ୍ମାନିତ ଶଶାଙ୍କ ଶେଖରଙ୍କୁ ‘ତୁ କହିବୁ ନା ମୁଁ’ ଚଳଚ୍ଚିତ୍ରର ‘ଦିନେ ଫୁଟିଥିଲା ଫୁଲ..’ଗୀତ ପାଇଁ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ ମିଳିଛି।

ଆପଣ ବହୁ ମନଛୁଆଁ ଗୀତ ଗାଇ ଶ୍ରୋତାଙ୍କ ମନରେ ରାଜ୍‌ କରୁଛନ୍ତି। ବ୍ୟକ୍ତିଗତ ଭାବେ ଆପଣଙ୍କ ପ୍ରିୟ ଗୀତ କେଉଁଟି?

ମୁଁ ଗାଇଥିବା ଗୀତ ମଧ୍ୟରୁ ପ୍ରିୟ ତ ଅନେକ ଅଛି। ହେଲେ ‘ତରଙ୍ଗ’ରେ ପ୍ରସାରିତ ହେଉଥିବା ‘ଶ୍ରୀମନ୍ଦିର’ ଧାରାବାହିକର ଟାଇଟଲ୍‌ ଗୀତ ଓ ପ୍ରେମାନନ୍ଦ ସାର୍‌ଙ୍କ ନିର୍ଦ୍ଦେଶିତ ‘ଜାଣିଛି ମୁଁ ତମେ କେବେ…’ ମୋ‌ତେ ବହୁତ ଭଲ ଲାଗେ।

କହାଯାଏ, ଜଣେ ଗାୟକଙ୍କ କଣ୍ଠ ଅନ୍ୟ ଜଣେ ନିର୍ଦ୍ଦିଷ୍ଟ ଗାୟିକାଙ୍କ କଣ୍ଠସ୍ବର ସହ ଅଧିକ ମେଳ ଖାଇଥାଏ। ଆପଣଙ୍କ ସ୍ବର କେଉଁ ଗାୟିକାଙ୍କ ସ୍ବର ସହ ଭଲ ମେଳ ଖାଏ ବୋଲି ଆପଣ ଭାବନ୍ତି?

ସେମିତି କେହି ବି ନିର୍ଦ୍ଦିଷ୍ଟ ଗାୟିକା ନାହାନ୍ତି। ମୋତେ ଲାଗେ ମୋ କଣ୍ଠସ୍ବର ବର୍ତ୍ତମାନ ପିଢ଼ିର ଅଧିକାଂଶ ଗାୟିକା ବା ପ୍ରତ୍ୟେକ ‘ୟଙ୍ଗ୍‌ ସିଙ୍ଗର୍‌’ଙ୍କ ସହ ଭଲ ଲାଗେ।

ଓଡ଼ିଶାର ଦୁଇ ପ୍ରତିଭାବାନ୍ ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ ଓ ଅଭିଜିତ୍ ମଜୁମ୍‌ଦାର୍‌ଙ୍କ ସହ ଆପଣ କାମ କରିଛନ୍ତି। କାହା ସହ କାମ କଲା ବେଳେ ବେଶି ଉପଭୋଗ କରନ୍ତି?

ସେ ଦୁଇ ଜଣଙ୍କ ସହ ହିଁ ମୁଁ କାମ କଲା ବେଳେ ବେଶ୍‌ ସହଜ ଅନୁଭବ କରିଥାଏ। ଦୁଇଜଣଯାକ ଭିନ୍ନ ଓ ନିଆରା। ଦୁଇଜଣଙ୍କ ସଂଯୋଜନା ଭିନ୍ନ। ଦୁହିଁଙ୍କ ଶୈଳୀ ବେଶ୍‌ ସ୍ବତନ୍ତ୍ର। କେହି ଜଣଙ୍କର ନାମ ମୁଁ ନେଇପାରିବି ନାହିଁ। ମୋତେ ସେ ଦୁଇ ଜଣଙ୍କ ସହ କାମ କରିବାକୁ ଭଲଲାଗେ।

ଆପଣ ଯଦି କଣ୍ଠଶିଳ୍ପୀ ନ‌ ହୋଇଥାନ୍ତେ ତେବେ କ’ଣ ହୋଇଥାନ୍ତେ?

ମୁଁ ଯଦି କଣ୍ଠଶିଳ୍ପୀ ନ ହୋଇଥାନ୍ତି ତ ସଂଗୀତ ଶିକ୍ଷକ ହୋଇଥାନ୍ତି। କାରଣ ମୁଁ ‘ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ’ରେ ସଂଗୀତରେ ସ୍ନାତକୋତ୍ତର କରିଛି। ମୋର ସଂଗୀତ ପ୍ରତି ଭଲପାଇବା ଆରମ୍ଭରୁ ଅଛି। ତେଣୁ ମୁଁ ସଂଗୀତରେ ହିଁ ନିଜ ଭବିଷ୍ୟତ ଗଢ଼ିଥାନ୍ତି।

ଓଡ଼ିଶାବାସୀଙ୍କ ପ୍ରିୟ କଣ୍ଠଶିଳ୍ପୀ ତ ଶଶାଙ୍କ ଶେଖର। ହେଲେ ଶଶାଙ୍କଙ୍କ ପ୍ରିୟ ଗାୟକ କିଏ?

ଅନେକଙ୍କ ଗାୟକୀ ମୋ‌ତେ ଭଲ ଲାଗେ। ‌ସୁରେଶ ୱାଡେକର୍‌, ଉଦିତ୍‌ ନାରାୟଣ, ଅକ୍ଷୟ ମହାନ୍ତି, ସୋନୁ ନିଗମ ଓ ଅରିଜିତ୍‌ ସିଂ ଆଦିଙ୍କ ଗୀତ ମୋର ବହୁତ ପସନ୍ଦ।

ଚର୍ଚ୍ଚାହୁଏ, ଆପଣ ଟିକେ ଜଲ୍‌ଦି ବାହା ହୋଇ ଯାଇଥିଲେ। ଆମ ଜରିଆରେ ଫ୍ୟାନ୍‌ଙ୍କୁ ଜଣାଇବେ କି? ପ୍ରେମ ନା ବ୍ୟବସ୍ଥିତ ବିବାହ କରିଥିଲେ?

ମୋର ପ୍ରେମ ବିବାହ। ବାହାଘର ବେଳକୁ ପ୍ରାୟ ୭-୮ ବର୍ଷର ଭଲପାଇବା ହୋଇ ସାରିଥିଲା। ଆମ ଘରେ ମୁଁ ଗୋଟେ ପୁଅ। ସେ ସମୟ‌ରେ ବାହା‌ହେବା ପାଇଁ ମୁଁ ପ୍ରସ୍ତୁତ ବି ଥିଲି। ଘରଲୋକଙ୍କ ସହମତିରେ ହିଁ ଆମର ବାହାଘର ହୋଇଛି। ମୋତେ ଲାଗେ ମୁଁ ଠିକ୍‌ ବୟସରେ ବିବାହ କରିଛି।

ଓଡ଼ିଆ ସଂଗୀତ ଦୁନିଆରେ ଭଲ ରୋଜଗାର କରୁଥିବା କଳାକାରମାନଙ୍କ ମଧ୍ୟରୁ ଆପଣ ଜଣେ। ‌ପାଠକ ଜାଣିବାକୁ ଚାହିଁବେ ଆପଣଙ୍କ ପ୍ରଥମ ପାରିଶ୍ରମିକ କେତେ ଥିଲା?

ମୋର ପ୍ରଥମ ପାରିଶ୍ରମିକ ଥିଲା ୧୩୦ ଟଙ୍କା। ୨୦୦୬ ମସିହାର କଥା। ମୁଁ ସେ ସମୟରେ ‘ମେ ଫେୟାର୍‌’ ହୋଟେଲ୍‌କୁ ଗଜଲ୍‌ ଗାଇବାକୁ ଯାଉଥିଲି। ସେହି ସମୟରେ ମୋତେ ପାରିଶ୍ରମିକ ଭାବେ ଏହି ଟଙ୍କା ମିଳିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button