ଅପରିଚିତା ଓ ମୋକ୍ଷ ପରେ ପରିଚୟ – Kalinga News

[ad_1]
ପ୍ରତିଭା ରାୟଙ୍କର ଅନ୍ୟ ଏକ ଲୋକପ୍ରିୟ ଉପନ୍ୟାସର ସିନେ ରୂପାନ୍ତର କରାଯାଉଛି। ୧୯୭୯ରେ ପ୍ରକାଶିତ ଏହି ଉପନ୍ୟାସ ହେଲା ‘ପରିଚୟ’। ଏହି ଉପନ୍ୟାସର କଥାବସ୍ତୁକୁ ଆଧାର କରି ନିର୍ଦ୍ଦେଶକ ମାଧବ ଚନ୍ଦ୍ର ପରିଡ଼ା ସଂପ୍ରତି ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଏହି ସିନେମାର ଶୀର୍ଷକ ରହିଛି ‘ ତୋ ପ୍ରେମ, ମୋ ପରିଚୟ’।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାର ଖ୍ୟାତନାମା ଔପନ୍ୟାସିକା ଡକ୍ଟର ପ୍ରତିଭା ରାୟଙ୍କର ଦୁଇଟି କାହାଣୀ ଅତୀତରେ ଚଳଚ୍ଚିତ୍ରର ରୂପ ନେଇଥିଲା। ଏ ଦୁଇଟି ସିନେମା ବେଶ୍ ଲୋକାଦୃତ ମଧ୍ୟ ହୋଇଥିଲା। ଏଥିମଧ୍ୟରୁ ପ୍ରଥମଟି ହେଲା ‘ଅପରିଚିତା’। ଡକ୍ଟର ରାୟଙ୍କର ଏହି ଜନପ୍ରିୟ ଉପନ୍ୟାସର ସିନେ ରୂପାନ୍ତର ‘ଅପରିଚିତା’ ୧୯୮୦ରେ ମୁକ୍ତିଲାଭ କରିଥିଲା। ପରଶୁରାମ ପିକ୍ଚର୍ସ ପ୍ରଯୋଜିତ ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ ଦିବଂଗତ ଅଭିନେତା-ନିର୍ଦ୍ଦେଶକ ସାଧୁ ମେହେର। ‘ଅପରିଚିତା’ରେ ଉତ୍ତମ ମହାନ୍ତି, ମହାଶ୍ବେତା, ମାଳବିକା ରାୟ, ଶରତ ପୂଜାରୀ, ସାଧୁ ମେହେର, ଅନୀତା ଦାସ, ଗ୍ଲୋରିଆ ମହାନ୍ତି, ଗଡ଼ି, ଲକ୍ଷ୍ମୀପ୍ରିୟା, ନନ୍ଦିତା ସାମନ୍ତରାୟ, କୃପାସିନ୍ଧୁ ଓ ତାପସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ମୁସୀର ଥିଲେ ଫିଲ୍ମର ସଙ୍ଗୀତକାର। ‘ଅପରିଚିତା’ ପାଇଁ ପ୍ରତିଭା ରାୟ ଶ୍ରେଷ୍ଠ କାହାଣୀକାର ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।
‘ଅପରିଚିତା’ ପରେ ତାଙ୍କର ଅନ୍ୟ ଏକ ସାହିତ୍ୟ କୃତି ମଧ୍ୟ ଚଳଚ୍ଚିତ୍ର ରୂପ ନେଇଥିଲା। ତାହା ହେଲା ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ‘ମୋକ୍ଷ’। ଏହାର କଥାବସ୍ତୁ ଅଧାରରେ ନିର୍ମିତ ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ‘ମୋକ୍ଷ’। ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଏହି ଛବିର ପ୍ରଯୋଜନା କରିଥିଲେ ମାଳତୀ ପିକ୍ଚର୍ସ। ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଗୌରୀଶଙ୍କର ଦାସ। ଏଥିରେ ଦୁର୍ଗା ପ୍ରସାଦ ମହାପାତ୍ର, ବିଜୟିନୀ ମିଶ୍ର, ଶିଳାଲିପି ପରିଡ଼ା, ଚୌଧୁରୀ ଜୟପ୍ରକାଶ ଦାସ ଓ ମୀନକେତନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ‘ମୋକ୍ଷ’ ଶ୍ରେଷ୍ଠ ଆଞ୍ଚଳିକ ସିନେମା ଶ୍ରେଣୀରେ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ଏହାଛଡ଼ା, ଶ୍ରେଷ୍ଠ ସିନେମା, ନିର୍ଦ୍ଦେଶନା, କାହାଣୀ, ଚିତ୍ରନାଟ୍ୟ ଶ୍ରେଣୀରେ ‘ମୋକ୍ଷ’କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଠିକ୍ ସେହିପରି, ଶ୍ରେଷ୍ଠ ଅଭିନେତ୍ରୀ ଓ ଶିଶୁ କଳାକାର ବିଭାଗରେ ମଧ୍ୟ ‘ମୋକ୍ଷ’ ପୁରସ୍କୃତ ହୋଇଥିଲା।
ଏବେ ପୁଣି ଡକ୍ଟର ରାୟଙ୍କର ଅନ୍ୟ ଏକ ଲୋକପ୍ରିୟ ଉପନ୍ୟାସର ସିନେ ରୂପାନ୍ତର କରାଯାଉଛି। ୧୯୭୯ରେ ପ୍ରକାଶିତ ଏହି ଉପନ୍ୟାସ ହେଲା ‘ପରିଚୟ’। ଏହି ଉପନ୍ୟାସର କଥାବସ୍ତୁକୁ ଆଧାର କରି ନିର୍ଦ୍ଦେଶକ ମାଧବ ଚନ୍ଦ୍ର ପରିଡ଼ା ସଂପ୍ରତି ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଏହି ସିନେମାର ଶୀର୍ଷକ ରହିଛି ‘ ତୋ ପ୍ରେମ, ମୋ ପରିଚୟ’। ଏହାର ସଂଳାପ ରଚନା କରିଛନ୍ତି ଜଣାଶୁଣା ନାଟ୍ୟକାର-ସଂଳାପ ଲେଖକ ହର ବାରିକ। ତାଙ୍କ କହିବା ଅନୁଯାୟୀ ‘ପରିଚୟ’ ଉପନ୍ୟାସର କାହାଣୀକୁ ଯଥାବତ୍ ରଖାଯାଇ ସିନେ ରୂପାନ୍ତର କରାଯାଇଛି। ସଂଳାପକୁ ମଧ୍ୟ ଅନୁରୂପ ଶୈଳୀରେ ପ୍ରସ୍ତୁତ କରାଯାଇଛି। ସାଇକୃପା ମୋସନ୍ ପିକ୍ଚର୍ସ ବ୍ୟାନର୍ରେ ନିର୍ମିତ ‘ତୋ ପ୍ରେମ, ମୋ ପରିଚୟ’ରେ ଆଶୁତୋଷ ତ୍ରିପାଠୀ, ସାଗର ଦତ୍ତ, ପ୍ରିୟା ଚୌଧୁରୀ, ସ୍ବାତୀ, ସତ୍ୟବ୍ରତ ଓଝା, ପ୍ରଦ୍ୟୁମ୍ନ ଲେଙ୍କା ଓ ଅସିତ ପତି ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏସ୍. ଚିନ୍ମୟୀ ଏହାର ପ୍ରଯୋଜିକା। ରବୀନ୍ଦ୍ରନାଥ ଦାଶ ଏହାର ବୈଷୟିକ ପରାମର୍ଶଦାତା। ସିନେମାଟୋଗ୍ରାଫି ଦାୟିତ୍ବ ଚିତ୍ତରଞ୍ଜନ ବିଶ୍ବାଳ ତୁଲାଇ ଥିବା ବେଳେ କୈଳାସ ଶର୍ମା ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି। ଉତ୍ତମ ରାୟ ଏହାର ସମ୍ପାଦନା ଦାୟିତ୍ବରେ ଅଛନ୍ତି। ଅଭିଜିତ୍ ମଜୁମ୍ଦାର ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ଡା. ନିର୍ମଳ ନାୟକ ଓ ପ୍ରବୀର କୁମାର। ଫିଲ୍ମରେ ୫ଟି ଗୀତ ରହିଛି। ନିର୍ଦ୍ଦେଶକ ମାଧବ ଚନ୍ଦ୍ର ପରିଡ଼ାଙ୍କ ସୂଚନା ଅନୁଯାୟୀ, ଫିଲ୍ମର ଗୋଟିଏ ଗୀତକୁ ବାଦ୍ ଦେଲେ ଅବଶିଷ୍ଟ ସୁଟିଂ ଶେଷ ହୋଇଛି। ଏହାର ସମସ୍ତ ସୁଟିଂ ବାଲେଶ୍ବର ଜିଲ୍ଲାର ମିତ୍ରପୁର, ଚାନ୍ଦିପୁର ଓ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ହୋଇଛି। ଏହା ଚଳିତ ବର୍ଷ ମୁକ୍ତିଲାଭ କରିବ। ପ୍ରଖ୍ୟାତ କଥାଶିଳ୍ପୀ ପ୍ରତିଭା ରାୟଙ୍କର ସାହିତ୍ୟ କୃତିକୁ ଚଳଚ୍ଚିତ୍ର ରୂପ ଦେଉଥିବାରୁ ନିଜକୁ ଗୌରବାନ୍ବିତ ମନେ କରନ୍ତି ବୋଲି କହିଛନ୍ତି ନିର୍ଦ୍ଦେଶକ।
– ଶିବଶଙ୍କର ଓଝା
[ad_2]