ରାଜନୀତି

ନିର୍ବାଚନୀ ବଣ୍ଡ୍‌କୁ ଝଟକା: ଅବୈଧ ଘୋଷଣା କଲେ ସୁପ୍ରିମ୍‌କୋର୍ଟ – Kalinga News

[ad_1]

ଅସାମ୍ବିଧାନିକ, ସୂଚନା ଅଧିକାରର ଉଲ୍ଲଂଘନ କରୁଛି, ତୁରନ୍ତ ବନ୍ଦ କରିବା ପାଇଁ ଷ୍ଟେଟ୍‌ ବ୍ୟାଙ୍କକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଜନୈତିକ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ସରକାର ପ୍ରଚଳନ କରିଥିବା ଇଲେକ୍ଟୋରାଲ ବା ନିର୍ବାଚନୀ ବଣ୍ଡ୍‌ ସ୍କିମ୍‌କୁ ସୁପ୍ରିମ୍‌କୋର୍ଟ ଆଜି ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଚାନ୍ଦା ହାସଲ ଉଦ୍ଦେଶ୍ୟରେ ରହିଥିବା ଏହି ଯୋଜନା ନାଗରିକଙ୍କ ସୂଚନା ଅଧିକାରକୁ ଉଲ୍ଲଂଘନ କରୁଥିବାରୁ ଏହାକୁ ଅବୈଧ ଘୋଷଣା କରାଯାଉଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠ ଏହି ଐତିହାସିକ ରାୟ ଶୁଣାଇ କହିଛନ୍ତି ଯେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ରାଜନୈତିକ ଦଳ ଏବଂ ଚାନ୍ଦା ପ୍ରଦାନକାରୀଙ୍କ ମଧ୍ୟରେ ବେଆଇନ ଆଦାନ-ପ୍ରଦାନ ବ୍ୟବସ୍ଥା ସୃଷ୍ଟି କରିପାରେ। କଳାଧନ ବିରୋଧରେ ଲଢ଼ିବା ଏବଂ ଦାତାଙ୍କ ଗୋପନୀୟତା ବଜାୟ ରଖିବା ନେଇ ସ୍କିମ୍ ସପକ୍ଷରେ ହୋଇଥିବା ଯୁକ୍ତିକୁ ଅଗ୍ରାହ୍ୟ କରିଦେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହାର ପ୍ରତିକୂଳ ପରିଣାମ ଅଧିକ। ଏହାର ଉଦ୍ଦେଶ୍ୟଗୁଡ଼ିକ ଏହି ଯୋଜନାକୁ କଦାପି ସୁରକ୍ଷା ଦେଇପାରିବ ନାହିଁ। କଳାଧନକୁ ରୋକିବା ପାଇଁ ଇଲେକ୍ଟୋରାଲ ବଣ୍ଡ୍‌ ଏକମାତ୍ର ଉପାୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି। ତେଣୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତୁରନ୍ତ ଏହି ବଣ୍ଡ୍‌ ଜାରି କରିବା ବନ୍ଦ କରୁ। ବଣ୍ଡ୍‌ ମାଧ୍ୟମରେ ସଂଗୃହୀତ ଚାନ୍ଦାର ବିବରଣୀ ଭାରତର ନିର୍ବାଚନ କମିସନଙ୍କୁ ମାର୍ଚ୍ଚ ୬ ସୁଦ୍ଧା ପ୍ରଦାନ କରିବାକୁ କୁହାଯାଇଛି। ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଏହି ସୂଚନା ୱେବ୍‌ସାଇଟରେ ପ୍ରକାଶ କରିବାକୁ ନିର୍ବାଚନ କମିସନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଦୁଇ ତିନି ମାସ ଭିତରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ସୁ୍ପ୍ରିମ କୋର୍ଟଙ୍କ ଏଭଳି ରାୟ କେନ୍ଦ୍ର ସରକାରଙ୍କୁ ବଡ଼ ଧରଣର ଝଟକା ଦେଇଛି। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ସହିତ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର ଗୱାଇ, ଜଷ୍ଟିସ ଜେ.ବି ପର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ଏହି ରାୟ ଶୁଣାଇଛନ୍ତି। ଏହି ରାୟକୁ ନେଇ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଯୁକ୍ତିରେ ଭିନ୍ନ ମତ ରହିଥିଲେ ମଧ୍ୟ ସମସ୍ତ ବିଚାରପତି ସମାନ ସିଦ୍ଧାନ୍ତରେ ପହଞ୍ଚିଛନ୍ତି। କେବଳ ଯୁକ୍ତିରେ ସାମାନ୍ୟ ପାର୍ଥକ୍ୟ ରହିଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ସୂଚନାଯୋଗ୍ୟ ଯେ କଳାଧନକୁ ରାଜନୈତିକ ବ୍ୟବସ୍ଥାରେ ପ୍ରବେଶକୁ ରୋକିବା ଉଦ୍ଦେଶ୍ୟରେ ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ୍‌ ସ୍କିମ୍ ଆରମ୍ଭ କରାଯାଇଥିଲା। ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଥିଲେ ଯେ ଭାରତରେ ରାଜନୈତିକ ପାଣ୍ଠିର ପାରମ୍ପରିକ ଅଭ୍ୟାସ ହେଉଛି ନଗଦ ଦାନ। ବେନାମୀ ଏବଂ ଛଦ୍ମନାମରେ କେତେ ପରିମାଣର ଟଙ୍କା ଆସିଲା ତାହା କେବେ ବି ପ୍ରକାଶ କରାଯାଏ ନାହିଁ। ଅଜ୍ଞାତ ସୂତ୍ରରୁ ଆସୁଥିବା ନଗଦ ଟଙ୍କା ସମ୍ପୂର୍ଣ୍ଣ ଅସ୍ୱଚ୍ଛ ବ୍ୟବସ୍ଥା ବୋଲି ଜେଟଲି ସେତେବେଳେ କହିଥିଲେ। ଏଥିପାଇଁ ନିର୍ବାଚନୀ ବଣ୍ଡ୍‌କୁ ଏକ ବିକଳ୍ପ ଭାବେ ଗ୍ରହଣ କରିବାକୁ ଗୁରୁତ୍ବାରୋପ କରିବା ସହ ଦାତାମାନଙ୍କ ପରିଚୟକୁ ଗୋପନ ରଖିବା ପାଇଁ ବ୍ୟବସ୍ଥା ହୋଇଥିଲା। ଏହି ବ୍ୟବସ୍ଥା ଅନୁଯା‌ୟୀ ଏହି ବଣ୍ଡ୍ ବ୍ୟାଙ୍କରୁ କିଣି ବ୍ୟକ୍ତି/ସଂସ୍ଥା/ସଂଗଠନ ବିଭିନ୍ନ ରାଜନୈତିକ ଦଳଙ୍କୁ ଚାନ୍ଦା ଆକାରରେ ଦେବେ। ଏଥିରେ ଦାତାମାନଙ୍କର ‌ପରିଚୟକୁ ଗୁପ୍ତ ରଖାଯାଉଥିଲା। କିଏ କେଉଁ ଦଳକୁ କେତେ ଦାନ କରୁଥିଲେ ତାହା ଜଣାପଡ଼ୁନଥିଲା।
ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଏକାଧିକ ପକ୍ଷ ଏହାକୁ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ। ଏଥିରେ ସିପିଏମ୍, କଂଗ୍ରେସ ନେତ୍ରୀ ଜୟା ଠାକୁର ଏବଂ ଏନ୍‌ଜିଓ ଏଡିଆର୍‌ ଏଥିରେ ସାମିଲ ଥିଲେ। ସେମାନେ ଯୁକ୍ତି କରିଥିଲେ ଯେ ଏହି ସ୍କିମ୍‌ର ଗୋପନୀୟତା ଧାରା ନାଗରିକଙ୍କ ସୂଚନା ଅଧିକାରରେ ବାଧା ସୃଷ୍ଟି କରିଛି। ଏଡିଆର ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ଏହି ବଣ୍ଡ୍‌ଗୁଡ଼ିକ ଅସ୍ପଷ୍ଟ ଏବଂ ବେନାମୀ ହୋଇଥିବାରୁ ଦୁର୍ନୀତିକୁ ପ୍ରୋତ୍ସାହିତ କରିଥାଏ। ବିରୋଧୀ ଦଳରେ ଥିବା ରାଜନୈତିକ ଦଳ ଓ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ଚାନ୍ଦା ହାସଲ କ୍ଷେତ୍ରରେ ସମାନ ‌ସୁଯୋଗ ଦେଇନଥାଏ। ଏହି ଯୋଜନା ଆରମ୍ଭ ହେବା ପରଠାରୁ ଏହି ପଦ୍ଧତି ମାଧ୍ୟମରେ ଦିଆଯାଇଥିବା ଚାନ୍ଦା ଅନ୍ୟ ସମସ୍ତ ଦାନ ପଦ୍ଧତିକୁ ଗୌଣ କରିଦେଇଛି।

ଅସାମ୍ବିଧାନିକ, ସୂଚନା ଅଧିକାରର ଉଲ୍ଲଂଘନ କରୁଛି
ତୁରନ୍ତ ବନ୍ଦ କରିବା ପାଇଁ ଷ୍ଟେଟ୍‌ ବ୍ୟାଙ୍କକୁ ନିର୍ଦ୍ଦେଶ
ମାର୍ଚ୍ଚ ୧୩ ସୁଦ୍ଧା ତଥ୍ୟ ସାର୍ବଜନୀନ କରିବ ଇସି

ସୁପ୍ରିମକୋର୍ଟରେ ନିର୍ବାଚନୀ ବଣ୍ଡ୍‌କୁ ସୁରକ୍ଷା ଦେବା ପାଇଁ ସରକାର ମଧ୍ୟ ଜୋରଦାର ଉଦ୍ୟମ କରିଥିଲେ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ତାଙ୍କ ଯୁକ୍ତିରେ କହିଥିଲେ ଯେ ରାଜନୈତିକ ଦଳମାନଙ୍କୁ ମିଳୁଥିବା ପାଣ୍ଠି ଯେପରି ସ୍ୱଚ୍ଛ ଅର୍ଥ ହୋଇଥିବ ତାହା ସୁନିଶ୍ଚିତ କରିବା ପାଇଁ ଏହା ଏକ ପ୍ରୟାସ। ଦାତାଙ୍କ ପରିଚୟ ପ୍ରକାଶ କରିବା ଦ୍ୱାରା ସମଗ୍ର ପ୍ରକ୍ରିୟାର ଉଦ୍ଦେଶ୍ୟ ଭଣ୍ଡୁର ହେବ ବୋଲି ସେ କହିଥିଲେ। ଏହାର ଉଦାହରଣରେ ସେ କହିଥିଲେ, ଧରନ୍ତୁ ଯେ ଜଣେ ଠିକାଦାର ହିସାବରେ ମୁଁ କଂଗ୍ରେସ ପାର୍ଟିକୁ ଦାନ କରୁଛି। ମୁଁ ଚାହୁନାହିଁ ଯେ ବିଜେପି ଏହା ଜାଣୁ। କାରଣ ଏହି ଦଳ ବି ସରକାର ଗଠନ କରିପାରେ। ଯେତେବେଳେ ଅଦାଲତ ପଚାରିଥିଲେ ଯେ ଏହି ଗୋପନୀୟତାକୁ ବଜାୟ ରଖିଲେ ଲୋକଙ୍କ ସୂଚନା ଅଧିକାର ସ୍ଥିତି କ’ଣ ହେବ, ତାହାର ଜବାବରେ ସଲିସିଟର ଜେନେରାଲ କହିଥିଲେ- ଲୋକେ କାହାର ଚାନ୍ଦାକୁ ଦେଖି ଭୋଟ୍‌ ଦିଅନ୍ତି ନାହିଁ, ସେମାନେ ଦଳର ନୀତି, ଆଦର୍ଶ ଓ ନେତୃତ୍ବକୁ ଦେଖି ଭୋଟ୍‌ ଦେଇଥାନ୍ତି। ସୂଚନା ଅଧିକାର ବାବଦରେ ହୋଇଥିବା ଯୁକ୍ତିକୁ ବିରୋଧ କରି ଆଟର୍ଣ୍ଣି ଜେନେରାଲ ଆର୍‌ ଭେଙ୍କଟରମଣି କହିଥିଲେ ଯେ ଯୁକ୍ତିଯୁକ୍ତ ପ୍ରତିବନ୍ଧକ ବିନା କିଛି ଜାଣିବାର ସାଧାରଣ ଅଧିକାର ରହିପାରିବ ନାହିଁ। ଦ୍ବିତୀୟତଃ, ଜାଣିବାର ଅଧିକାର କିଛି ନିର୍ଦ୍ଦିଷ୍ଟ ତଥା ଭିନ୍ନ ଉଦ୍ଦେଶ୍ୟ ପାଇଁ କଦାପି ନୁହେଁ ବୋଲି।

ସୂଚନାଯୋଗ୍ୟ ଯେ ନିର୍ବାଚନୀ ବଣ୍ଡ୍‌ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କମ୍ପାନି ଏବଂ ଟିକସ ଆଇନରେ କରାଯାଇଥିବା ସଂଶୋଧନକୁ ମଧ୍ୟ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ପୂର୍ବରୁ ଦାନ କରିବା ପାଇଁ କମ୍ପାନିଗୁଡ଼ିକୁ ଅତିକମ୍‌ରେ ୩ ବର୍ଷ ହୋଇଥିବା ଆବଶ୍ୟକ ଥିଲା ଏବଂ ଯେଉଁ ଦଳକୁ ଦାନ କରୁଛନ୍ତି ତାହାର ପରିମାଣ ଓ ନାମ ପ୍ରକାଶ କରିବାକୁ ପଡ଼ୁଥିଲା। କର୍ପୋରେଟ୍ ଦାନରେ ସ୍ୱଚ୍ଛତା ସୁନିଶ୍ଚିତ କରୁଥିବା ଏହି ସର୍ତ୍ତଗୁଡ଼ିକୁ ନୂତନ ଆଇନରେ ହଟାଇ ଦିଆଯାଇଥିଲା। ବ୍ୟକ୍ତିବିଶେଷଙ୍କ ଚାନ୍ଦା ଅପେକ୍ଷା ରାଜନୈତିକ ପ୍ରକ୍ରିୟା ଉପରେ କମ୍ପାନି ଚାନ୍ଦାର ଅଧିକ ପ୍ରଭାବ ରହିଛି। ଧାରା ୧୮୨ କମ୍ପାନି ଆଇନରେ ସଂଶୋଧନ ଆଣି କମ୍ପାନି ଏବଂ ବ୍ୟକ୍ତିବିଶେଷଙ୍କୁ ସମାନ ଭାବେ ଗ୍ରହଣ କରିବା ପାଇଁ ଏହି ଯୋଜନାରେ ହୋଇଥିବା ପ୍ରୟାସ ମନମୁଖୀ ବୋଲି କୋର୍ଟ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button