ଖେଳ ଖବର

ବଦଳୁଛି ଟେଷ୍ଟ୍ କ୍ରିକେଟ୍: ୫ଦିନ ପୂର୍ବରୁ ସରିଯାଉଛି ଖେଳ – Kalinga News

[ad_1]

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ର ଅଭ୍ୟୁଦୟ ସହ ଟେଷ୍ଟ୍‌ କ୍ରିକେଟ୍ ତା’ର ଗୁରୁତ୍ବ ଓ ସତ୍ତା ହରାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏଥିନେଇ ନାନା ଆଶା ଓ ଆଶଙ୍କା ମଧ୍ୟ ପ୍ରକାଶ ପାଇଥିଲା। ସମୟକ୍ରମେ କିନ୍ତୁ ଏହି ଆକଳନ ଆପାତତଃ ଭୁଲ୍ ପ୍ରମାଣିତ ହୋଇଛି। ବରଂ ଟେଷ୍ଟ୍‌ ମ୍ୟାଚ୍‌ର ରୋମାଞ୍ଚ ପୂର୍ବାପେକ୍ଷା ବଢ଼ିଛି। ବିଗତ ଶହେ ବର୍ଷ ମଧ୍ୟରେ ଟେଷ୍ଟ୍ ମ୍ୟାଚ୍‌ର ରନ୍ ସଂଗ୍ରହ ହାର, ଛକା, ଚୌକା ସଂଖ୍ୟା ସହ ଫଳାଫଳ ବାହାରିବା ପ୍ରତିଶତ ଆଶାତୀତ ଭାବେ ବଢ଼ିଛି। ଆଗରୁ ଯେତିକି ମ୍ୟାଚ୍ ଅମୀମାଂସିତ ରହୁଥିଲା, ଏବେ ସେହି ସଂଖ୍ୟା ଢେର କମିଛି। ମଜାଦାର କଥା ହେଲା ଟେଷ୍ଟ୍ ମ୍ୟାଚ୍‌ର ଅବଧି କମିକମି ଚାଲିଛି। ଏକଥା ଆମେ ନୁହଁ, ଗତ ସାଢ଼େ ୫ ଦଶନ୍ଧିର ପରିସଂଖ୍ୟାନ କହୁଛି। ଏପରିକି ୨୦୧୯ ମସିହା ପରଠାରୁ ଖେଳାଯାଇଥିବା ଟେଷ୍ଟ୍‌ ମ୍ୟାଚ୍‌ ମଧ୍ୟରୁ ୯୪ ପ୍ରତିଶତ ହାର୍‌/ଜିତ୍‌ରେ ଶେଷ ହୋଇଛି ବୋଲି ଜଣାଡ଼ିଛି।

ଆଇସିସିରୁ ମିଳିଥିବା ରି‌ପୋର୍ଟ ଅନୁସାରେ ୯୦ଦଶକ ପରଠାରୁ ଟେଷ୍ଟ୍ ମ୍ୟାଚ୍‌ଗୁଡ଼ିକର ଫଳାଫଳ ମିଳିବା ପ୍ରତିଶତ କ୍ରମଶଃ ବଢ଼ି ଚାଲିଛି। ୯୦ ଦଶକରେ ଏହି ପ୍ରତିଶତ ୬୪.୩ ଥିଲା ବେଳେ ୨୦୧୦ ବେଳକୁ ୭୮.୬ରେ ପହଞ୍ଚିଯାଇଥିଲା। ଗତ ୫ବର୍ଷର ଫଳାଫଳ ମିଳିଥିବା ମ୍ୟାଚ୍‌ଗୁଡ଼ିକର ହାରାହାରି ଦେଖିଲେ ଏହା ୮୦ ପ୍ରତିଶତରୁ ଅଧିକ ରହିବ। ‌ ୫୦ରୁ ୮୦ ଦଶକ ମଧ୍ୟରେ ଏହି ପ୍ରତିଶତ ଉପର ତଳ ହେଉଥିଲା। ୫୦ଦଶକରେ ଟେଷ୍ଟ୍‌ ମ୍ୟାଚ୍‌ରୁ ହାର୍/ଜିତ୍ ମିଳିବା ପ୍ରତିଶତ ୬୮.୯ ଥିଲା ବେଳେ ୬୦ ଦଶକରେ ୫୨.୭, ୭୦ ଦଶକରେ ୫୭.୬ ଓ ୮୦ ଦଶକରେ ୫୪.୧ ଥିଲା। ସେତେବେଳେ ମଧ୍ୟ ତୁଳନାତ୍ମକ ଭାବେ କମ୍ ସଂଖ୍ୟକ ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯାଉଥିଲା। ଏହାହିଁ ଏହି ଅସ୍ଥିରତାର ପ୍ରମୁଖ କାରଣ ହୋଇପାରେ ବୋଲି ବି‌ଶେଷଜ୍ଞମାନେ ମତ ଦେଇଛନ୍ତି। ସେହିଭଳି ୨୦୧୯ ମସିହାଠାରୁ ଭାରତରେ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ମାତ୍ର ୧୭ ପ୍ରତିଶତ ଟେଷ୍ଟ୍‌ ପଞ୍ଚମ ଦିନକୁ ଯାଇଛି। ଅନ୍ୟପକ୍ଷରେ ୨୦୧୫ରୁ ୨୦୧୮ ମସିହା ମଧ୍ୟରେ ଅନ୍ୟତମ ପ୍ରମୁଖ କ୍ରିକେଟ୍ ପେଣ୍ଠସ୍ଥଳୀ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଟେଷ୍ଟ୍ ମ୍ୟାଚ୍‌ରୁ ମାତ୍ର ୫ ପ୍ରତିଶତ ପଞ୍ଚମ ଦିନକୁ ଯାଇଛି। ୨୦୧୯ରୁ ୨୦୨୩ ମଧ୍ୟରେ ଏହି ସଂଖ୍ୟା କେବଳ ଗୋଟିଏ ପ୍ରତିଶତ ବଢ଼ି ୬ ପ୍ରତିଶତ ହୋଇଥିଲା। ୨୦୦୦ରୁ ୨୦୧୦ ମଧ୍ୟରେ ଖେଳାଯାଇଥିବା ୪୬୪ ଟେଷ୍ଟ୍ ମଧ୍ୟରୁ କେବଳ ୪୦ ପ୍ରତିଶତ ପଞ୍ଚମ ଦିନକୁ ଯାଇଥିଲା। ୨୦୧୯ ପରଠାରୁ ଖେଳାଯାଇଥିବା ଟେଷ୍ଟ୍ ମଧ୍ୟରୁ କେବଳ ୨୮ ପ୍ରତିଶତ ପଞ୍ଚମ ଦିନରେ ପହଞ୍ଚିଛି। ଫଳାଫଳ ମିଳିବା ପ୍ରତିଶତ ମଧ୍ୟ ଢେର ବଢ଼ିଛି। ଏହାର କାରଣ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। କାରଣ ଆଇସିସି ଆରମ୍ଭ କରିଥିବା ‘ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍’ ପଏଣ୍ଟ୍‌ ବ୍ୟବସ୍ଥା ପାଇଁ ଦଳଗୁଡ଼ିକ ପାରମ୍ପରିକ ରକ୍ଷଣାତ୍ମକ ଶୈଳୀ ଛାଡ଼ି ଆକ୍ରମଣାତ୍ମକ କ୍ରିକେଟ୍ ଖେଳୁଛନ୍ତି। ଏହା ଦ୍ବାରା ଅଧିକ ଫଳାଫଳ ମିଳୁଛି। ବିଜୟୀ ଦଳ ପୂରା ପଏଣ୍ଟ୍‌ ପାଇ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ତାଲିକାରେ ନିଜ ସ୍ଥିତି ସୁଦୃଢ଼ କରିପାରୁଛନ୍ତି। କାରଣ ଜିତିବା ମ୍ୟାଚ୍‌ରୁ ୧୨ ପଏଣ୍ଟ ମିଳୁଥିଲା ବେଳେ ଅମୀମାଂସିତ ମ୍ୟାଚ୍‌ରୁ ମାତ୍ର ୪ ପଏଣ୍ଟ ମିଳୁଛି। ବିଶେଷ କରି ଆକ୍ରମଣାତ୍ମକ କ୍ରିକେଟ୍ ଖେଳି ଅଧିକରୁ ଅଧିକ ପଏଣ୍ଟ୍‌ ଅର୍ଜନ କରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି। ଟେଷ୍ଟ୍ ମ୍ୟାଚ୍‌ର କମିକମି ଚାଲିଥିବା ଅବଧିକୁ ଦେଖି ୨୦୧୯ରେ ଆଇସିସି ଟେଷ୍ଟ୍ କ୍ରିକେଟ୍‌ର ଅବଧିକୁ ୪ଦିନକୁ କମାଇ ଦେବା ଲାଗି ବିଚାରବିମର୍ଷ ଆରମ୍ଭ କରିଥିଲା। ହେଲେ ସେତେବେଳେ ଏଭଳି ପ୍ରସ୍ତାବକୁ ତୀବ୍ର ବିରୋଧ ହୋଇଥିଲା। ସଂପ୍ରତି ଅଧିକାଂଶ ଟେଷ୍ଟ୍ ମ୍ୟାଚ୍ ୪ଦିନ ଭିତରେ ସରିଯାଉଥିବାରୁ ପୁଣି ଥରେ ଏଭଳି ଚର୍ଚ୍ଚା ଜୋର ଧରିଛି।

ଟେଷ୍ଟ୍ କ୍ରିକେଟ୍‌ରେ ଏଭଳି ପରିବର୍ତ୍ତନ କିନ୍ତୁ ଆଜକୁ ୨୩ ବର୍ଷ ତଳୁ ଅର୍ଥାତ୍‌ ୨୦୦୦ ମସିହାରୁ ଆରମ୍ଭ ହୋଇଥିଲା। ୨୦୦୦ରୁ ୨୦୧୦ ଭିତରେ ସାରା ବିଶ୍ବରେ ଇଣ୍ଟରନେଟ୍ ବ୍ୟବହାର ଆଶାତୀତ ଭାବେ ବଢ଼ିଥିଲା। ଏହି ଦଶନ୍ଧିରେ ଫେସବୁକ୍ ଓ ୟୁ-ଟ୍ୟୁବ୍‌ ଯୁଗ ଆରମ୍ଭ ହୋଇଥିଲା। ବଲିଉଡ୍‌ ସଂଗୀତ ଜଗତରେ ରୢାପ୍ ଓ ରିମିକ୍ସ ଯୁଗର ମୂଳଦୁଆ ପଡ଼ିଥିଲା। ଏସବୁକୁ ତାଳ ଦେଇ ଟେଷ୍ଟ୍‌ କ୍ରିକେଟ୍‌ର ଆକାର ଓ ପ୍ରକାରରେ ମଧ୍ୟ ବିରାଟ ଅଦଳବଦଳ ଦେଖିବାକୁ ମିଳିଥିଲା। ୨୦୦୪ରେ ପ୍ରଥମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ୨୦୦୭ରେ ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜିତ ହୋଇଥିଲା। ଏତିକି ବେଳେ ହିଁ ଟେଷ୍ଟ୍‌ କ୍ରିକେଟ୍‌ ମନ୍ଥର ମୃତ୍ୟୁର ସମ୍ମୁଖୀନ ହେବାର ଭାବନା ଜାଗ୍ରତ ହୋଇଥିଲା। ଏକ ଆକଳନ ଅନୁସା‌‌ରେ ଶୀର୍ଷସ୍ତରୀୟ ବ୍ୟାଟର୍‌ମାନେ ବର୍ଷସାରା ଟ୍ବେଣ୍ଟି-୨୦ ଖେଳୁଥିବାରୁ ଟେଷ୍ଟ୍ ମ୍ୟାଚ୍‌ ଲାଗି ଆବଶ୍ୟକ ଧୈର୍ଯ୍ୟ ଓ ମାନସିକ ଦକ୍ଷତା ହରାଇବସୁଛନ୍ତି। ଯାହା ସେମାନଙ୍କ ବ୍ୟାଟିଂରେ ପ୍ରତିଫଳିତ ହେଉଛି। ତା’ ସହିତ ଇଂଲଣ୍ଡ କ୍ରିକେଟ୍ ଦଳ ଆରମ୍ଭ କରିଥିବା ‘ବାଜ୍‌ବଲ୍’ କ୍ରିକେଟ୍ ଶୈଳୀ ଟେଷ୍ଟ୍‌ କ୍ରିକେଟ୍‌ରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ପ୍ରତି ପାଳିର ବ୍ୟାଟିଂ ହାର ପରିସଂଖ୍ୟନରୁ ମଧ୍ୟ ଏହା ପ୍ରମାଣିତ ହେଉଛି। ୨୦୦୧ରୁ ୨୦୧୦ ମଧ୍ୟରେ ବ୍ୟାଟର୍‌ଙ୍କ ପ୍ରଥମ ପାଳି ରନ୍ ସଂଗ୍ରହ ହାର ଥିଲା ୪୦.୪୮। ଯାହା ୨୦୧୯ରୁ ୨୦୨୩ ମଧ୍ୟରେ ୩୩.୪୭କୁ କମିଆସିଛି। ସେହିଭଳି ଏହି ସମୟ ମଧ୍ୟରେ ଚତୁର୍ଥ ପାଳି ବ୍ୟାଟିଂ ହାର ୨୯.୯୫ରୁ ୨୨.୨୬ରେ ପହଞ୍ଚିଯାଇଛି। ୧୮୩୫ରେ ରାଉଣ୍ଡ ଆର୍ମ ବୋଲିଂ ସ୍ବୀକୃତି ପାଇବା, ୧୮୭୭ରେ ପ୍ରଥମ ଆନୁଷ୍ଠାନିକ ଟେଷ୍ଟ୍ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜିତ ହେବା ଏବଂ ୨୦୧୫ରେ ପ୍ରଥମ ଗୋଲାପି ବଲ୍ ମ୍ୟାଚ୍ ଖେଳାଯିବା, ଟେଷ୍ଟ୍ ମ୍ୟାଚ୍‌କୁ ଗତ ୧୪୭ବର୍ଷ ଭିତରେ ନୂଆ ରୂପ ଓ ରଙ୍ଗ ଦେଇଆସିଛି। ତେଣୁ ଟେଷ୍ଟ୍ କ୍ରିକେଟ୍ ତିଷ୍ଠି ରହିବ ବୋଲି କ୍ରିକେ୍‌ପ୍ରେମୀମା‌ନେ ଦୃଢ଼ ଆଶା ପୋଷଣ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button