ଯୁବକଙ୍କୁ ପୁଲିସର ମାଡ଼: ଭିଡିଓ ଭାଇରାଲ୍ ପରେ ଏଏସ୍ଆଇ ନିଲମ୍ବିତ – Kalinga News

[ad_1]
ପିପିଲି: ଜଣେ ଯୁବକଙ୍କୁ ପିପିଲି ପୁଲିସ ରାସ୍ତା ଉପରେ ମାଡ଼ ମାରୁଥିବାର ଏକ ଭିଡିଓ ଆଜି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ପୁରୀ ପୁଲିସ ସମ୍ପୃକ୍ତ କର୍ମଚାରୀଙ୍କୁ ନିଲମ୍ବନ କରିଛି। ପୁରୀ ଏସ୍ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଥାନାର ଏଏସ୍ଆଇ ମନୋରଞ୍ଜନ ପରିଡ଼ାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ପିପିଲି ଏସ୍ଡିପିଓ ବିରଞ୍ଚି ନାରାୟଣ ପତିଙ୍କଠାରୁ ସୂଚନା ମିଳିଛି। ଖବର ମୁତାବକ, ପିପିଲି-ଜଟଣୀ ରାସ୍ତାର ଡେଲାଙ୍ଗ ଛକ ନିକଟରେ ଜଣେ ଯୁବକର ହାତବନ୍ଧା ହୋଇଥିବା ବେଳେ ଦୁଇଜଣ ପୁଲିସ କର୍ମଚାରୀ ନିର୍ଘାତ ମାଡ଼ ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ପିପିଲି ଥାନା ଆଇଆଇସି ଦୀପକ ଖଣ୍ଡାୟତରାୟଙ୍କୁ ପଚାରିବାରେ ହସନପୁର ଅଞ୍ଚଳର ଜଣେ ଯୁବକ ନିକଟସ୍ଥ ନାୟାରା ପେଟ୍ରୋଲ ପମ୍ପରେ ଗତ ୫ ତାରିଖ ଦିନ ଆତଙ୍କରାଜ ଚଳାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପେଟ୍ରୋଲ ପମ୍ପ ଅଫିସ୍ର କମ୍ପ୍ୟୁଟର ଓ ଆସବାବପତ୍ର ଭଙ୍ଗାରୁଜା କରିବା ସହ ଟାଙ୍କି କର୍ମଚାରୀଙ୍କୁ ମାର୍ପିଟ୍ କରିଥିଲା। ଖବର ପାଇ ଥାନା ଅଧିକାରୀ ସେଠାରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲେ। ପେଟ୍ରୋଲ ପମ୍ପର ମାଲିକ ପ୍ରଶାନ୍ତ କୁମାର ସାହୁଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଯୁବକ ପାକୁନି ପ୍ରଧାନ(୩୫)କୁ ଗିରଫ କରିଥିବା ଆଇଆଇସି ଶ୍ରୀ ଖଣ୍ଡାୟତରାୟ କହିଥିଲେ। ତେବେ ଭିଡିଓଟି ଭାଇରାଲ୍ ହେବା ପରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏ ସମ୍ପର୍କରେ ପୁଲିସ ମୁଖ୍ୟାଳୟରେ କଥା ଉଠିବା ପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏଏସ୍ଆଇ ଶ୍ରୀ ପରିଡ଼ାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ୨୦୨୦ ନଭେମ୍ବରରେ ପିପିଲି ଥାନାରେ ୫ଜଣ ଅଭିଯୁକ୍ତଙ୍କୁ ପୁଲିସର ଥାର୍ଡଡିଗ୍ରିକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ତାହାକୁ ଅଦ୍ୟାବଧି ଲୋକେ ଭୁଲିନାହାନ୍ତି। ବର୍ତ୍ତମାନର ଭିଡିଓ ଯୋଗୁ ଏବେ ପିପିଲି ପୁଲିସ ପୁଣି ବିବାଦରେ ଛନ୍ଦି ହୋଇପଡ଼ିଛି।
[ad_2]




