ଓଡ଼ିଶା କ୍ରିକେଟ୍ ଅଧୋଗତିର କାରଣ: ସ୍କୁଲ୍ କ୍ରିକେଟ୍କୁ ଅଣଦେଖା – Kalinga News

[ad_1]
ସୁରେଶ ସ୍ବାଇଁ
ଭୁବନେଶ୍ବର: ସ୍କୁଲ୍ ହେଉଛି ସବୁ ଶ୍ରେଣୀୟ ମଞ୍ଜି ବୁଣିବାର ଅସଲ କ୍ଷେତ। ଯେଉଁ କ୍ଷେତ୍ର ହେଉ ପଛେ ଉତ୍କର୍ଷ ଅର୍ଜନ ପାଇଁ ଏହା ହେଉଛି ଠିକଣା ମଇଦାନ ତଥା ଉପଯୁକ୍ତ ମଞ୍ଚ। କ୍ରିକେଟ୍ ବି ଏହିଠାରୁ ଆରମ୍ଭ ହୋଇ ଶିଖର ଛୁଇଁଛି ଏବଂ ଛୁଉଁଛି। ପ୍ରତି ଖେଳ ଭଳି କ୍ରିକେଟର୍ ବି ସ୍କୁଲ୍ରୁ ଖେଳ ଜୀବନ ଆରମ୍ଭ କରି ଶୀର୍ଷକୁ ଉଠିଥାନ୍ତି। କ୍ରିକେଟର୍ ଏବିସିଡି ତଥା ମୌଳିକ ଶିକ୍ଷା ମଧ୍ୟ ପିଲାବେଳୁ ମିଳିଥାଏ। ଯେଉଁମାନେ ପିଲାଦିନୁ ଖେଳକୁ ଆପଣାର କରିଥାନ୍ତି ଓ ଏହାକୁ କ୍ୟାରିୟର୍ କରିବାକୁ ସ୍ବପ୍ନ ଦେଖିଥାନ୍ତି ସେହିମାନେ ହିଁ ଆଗକୁ ବଢ଼ି ବଡ଼ ଖେଳାଳି ହୋଇଥାନ୍ତି। ଓଡ଼ିଶାରେ କିନ୍ତୁ ଏଭଳି ସ୍ବପ୍ନ ଦେଖିବା ପାଇଁ ମାହୋଲ ନାହିଁ କି ମଞ୍ଚ ବି ନାହିଁ। ଓଡ଼ିଶା କ୍ରିକେଟର୍ ସାମଗ୍ରିକ ଅଧୋଃପତନ ପାଇଁ ଏହା ଯେ ଅନ୍ୟତମ ତଥା ପ୍ରମୁଖ କାରଣ ଏଥିରେ କେହି ଦ୍ବିମତ ହେବେ ନାହିଁ।

Sambad is now on WhatsApp
Join and get latest news updates delivered to you via WhatsApp
ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ତୃଣମୂଳସ୍ତରରୁ ଉପରକୁ ଉଠିଥିବା ରାଜ୍ୟର ପ୍ରଥମ ପ୍ରମୁଖ କ୍ରିକେଟ୍ ଚେହେରା ହେଲେ ଅଶୋକାନନ୍ଦ ଜେନା। ୧୯୬୧ ମସିହାରେ ଭାରତୀୟ ସ୍କୁଲ୍ କ୍ରିକେଟ୍ ଦଳରୁ ଖେଳିଥିବା ଅଶୋକାନନ୍ଦ ମଧ୍ୟ ରାଜ୍ୟ ରଣଜୀ କ୍ରିକେଟ୍ ଦଳର ଅନ୍ୟତମ ସଦସ୍ୟ ହୋଇପାରିଥିଲେ ଏବଂ ଅଧିନାୟକତ୍ବ ବି କରିଥିଲେ। ସମ୍ପ୍ରତି ଭେଟେରାନ୍ କ୍ରିକେଟ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଭିସିଏଓ)ର ସଭାପତି ଦାୟିତ୍ବରେ ରହି ସୀମିତ ସମ୍ବଳ ମଧ୍ୟରେ ଭୁବନେଶ୍ବର ଅନ୍ତଃସ୍କୁଲ୍ କ୍ରିକେଟ୍ ପ୍ରତିଯୋଗିତାକୁ ଦୁଇ ଦଶନ୍ଧି ହେବ ସଫଳ କରାଇଛନ୍ତି ଏହି କିଂବଦନ୍ତି କ୍ରିକେଟ୍ ବ୍ୟକ୍ତିତ୍ବ। ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରିକେଟ୍ ଅଗ୍ରଗତିକୁ ନେଇ ଖୁସି ଥିଲେ ବି ଓଡ଼ିଶାର ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ନିରାଶ ଓ ଦୁଃଖିତ। ସିଧାସଳଖ ସେ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)କୁ ଦୋଷାରୋପ କରିଛନ୍ତି। ‘‘ସ୍କୁଲ୍ କ୍ରିକେଟ୍ ପାଇଁ ଓସିଏ ଯାହା କରିବା କଥା କିଛି କରୁନାହିଁ।
ଏଠି ତ ସବୁ ରାଜନୀତି ଚାଲୁଛି, ତେଣୁ ଆମ ଖେଳାଳିଙ୍କ ଅଗ୍ରଗତି ହୋଇପାରୁନାହିଁ’’ ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ କାଳୁଭାଇ ନାମରେ ପରିଚିତ ୭୮ ବର୍ଷୀୟ ଅଶୋକାନନ୍ଦ। ରାଜ୍ୟର କ୍ରିକେଟ୍ ପ୍ରଶାସକମାନେ ସଚ୍ଚୋଟତା ଓ ନିରପେକ୍ଷତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିଭଳି ଖେଳାଳିମାନଙ୍କୁ ବି ଏହି ପ୍ରତିବଂଧକ ଅତିକ୍ରମ କରିବାକୁ ଅଧିକରୁ ଅଧିକ ପରିଶ୍ରମ କରି ଆଗକୁ ବଢ଼ିବାକୁ ଆହ୍ବାନ ରଖିଛନ୍ତି। ‘‘ଖେଳାଳିମାନେ କେବଳ ଖେଳନ୍ତୁ, ଖେଳନ୍ତୁ ଏବଂ ମନ ଦେଇ ଖେଳନ୍ତୁ। ଏତେ ଖେଳନ୍ତୁ ଯେ କେହି ତୁମକୁ ଦଳରୁ ଡ୍ରପ୍ କରିପାରିବ ନାହିଁ’’ ବୋଲି ପ୍ରକାଶ କରିଥିଲେ ଷାଠିଏ ଓ ସତୁରୀ ଦଶକରେ ରଣଜୀ ଟ୍ରଫି ଖେଳିଥିବା ଏହି ଅଲ୍ରାଉଣ୍ଡର୍। ଏବେ ମୁଁ ରଣଜୀ ଟ୍ରଫି କି ଅନ୍ୟ କୌଣସି ଖେଳ ପ୍ରତି ସେତେଟା ରୁଚି ରଖୁନାହିଁ। ରାଜ୍ୟ ପାଇଁ ପ୍ରଥମ ବ୍ୟକ୍ତିଭାବେ ଭାରତୀୟ ସ୍କୁଲ୍ କ୍ରିକେଟ୍ ଦଳରୁ ଖେଳିଥିବାରୁ ଅନ୍ତଃସ୍କୁଲ୍ କ୍ରିକେଟ୍ ସହ ଯୋଡ଼ି ହୋଇ ରହୁଛି। ସାଧ୍ୟମତେ ଯୋଗଦାନ ରଖିବାକୁ ଉଦ୍ୟମ କରୁଛୁ ବୋଲି ପ୍ରକାଶ କରିଥିଲେ।
କ୍ରିକେଟ୍ ପଛରେ ଥିଲା
ମୁଁ ୬/୭ ବର୍ଷରୁ ଛତ୍ରପୁରରୁ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲି। ଆମେ ୫ ଭାଇ କ୍ରିକେଟ୍ ଖେଳିବା ପଛରେ ପାରଳାଖେମୁଣ୍ଡି ରାଜାଙ୍କ ଦ୍ବାରା ସୃଷ୍ଟି ହୋଇଥିବା ମାହୋଲ ଥିଲା ଅନ୍ୟତମ ଆକର୍ଷଣ। ସେତେବେଳେ କୋଚ୍ କେହି ନଥିଲେ। ତାହାରି ଭିତରେ ଆମେ ୫ ଭାଇ ରଣଜୀ ଟ୍ରଫି ଖେଳି ରାଜ୍ୟ ପାଇଁ ଗୌରବ ଆଣିଥିଲୁ। ସେତେବେଳେ କ୍ରିକେଟ୍ ବହୁ ପଛରେ ଥିଲା। ଲୋକମାନେ ଫୁଟ୍ବଲ୍ ଓ ହକି ଅଧିକ ଖେଳୁଥିଲେ। କ୍ରମେ ପରିସ୍ଥିତି ବଦଳିଯାଇଛି। କ୍ରିକେଟ୍ ଏତେ ଉପରକୁ ଚାଲିଯାଇଛି ଯେ ଆମ ସମୟର ଖେଳାଳି ବର୍ତମାନର ଖେଳାଳିଙ୍କ ଫିଟ୍ନେସ୍ ତୁଳନାରେ ଆକାଶ ପାତାଳ ଫରକ ରହିବ। ସେକାଳର ଖେଳାଳି ଏବେକାର ଦଳରେ ସ୍ଥାନ ପାଇବାକୁ ଯୋଗ୍ୟ ହୋଇପାରିବେ ନାହିଁ। ତଥାପି ସେତେବଳେ କ୍ରିକେଟ୍ ଖେଳିବା କଷ୍ଟକର ଥିଲା। ଏବେ ସଭିଏଁ କ୍ରିକେଟ୍ ପାଇଁ ପାଗଳ ରହୁଛନ୍ତି।
ସ୍ମୃତିରେ ବେଙ୍ଗଲ୍ ସହ ଡ୍ର’
ଓଡ଼ିଶା ୧୯୫୦-୫୧ ମସିହାରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ଆସୁଥିବାବେଳେ ସେହି ତୁଳନାରେ ସଫଳତା ପାଇନାହିଁ। ସାଢ଼େ ସାତ ଦଶନ୍ଧି ଭିତରେ ଓଡ଼ିଶା ମାତ୍ର ୨ ଥର ରଣଜୀ ଟ୍ରଫି ସେମିଫାଇନାଲ୍ ଖେଳିଛି। ପୂର୍ବାଞ୍ଚଳର ଅନ୍ୟତମ ପ୍ରମୁଖ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ଆଦ୍ୟ ଭାଗରେ ବେଙ୍ଗଲ ବିପକ୍ଷରେ ବିଜୟୀ ହେବା ଏକ ଦୁର୍ବିସହ ବ୍ୟାପାର ଥିଲା। ବିଜୟ ପଛ କଥା ଡ୍ର’ ପାଇବା ମଧ୍ୟ କଷ୍ଟସାଧ୍ୟ ଥିଲା। ‘ଭଲ କରୁଥିଲେ ମନେ ରହୁଥିଲା, ଖରାପ କଲେ ଭୁଲି ଯାଉଥିଲୁ। ବେଙ୍ଗଲ ବିପକ୍ଷରେ ପ୍ରଥମ ଥର ଡ୍ର’ ପାଇଥିବା ମ୍ୟାଚ୍ ମୋର ମନେ ଅଛି। ମୁଁ ବ୍ୟକ୍ତିଗତ ଭାବେ ପ୍ରଥମ ପାଳିରେ ୬୨ ଓ ଦ୍ବିତୀୟ ପାଳିରେ ୯୫* ରନ୍ କରିଥିଲି। ପଏଣ୍ଟ ମିଳିବାର ଖୁସି ଏବେ ବି ସତେଜ ଅଛି’। ସେହିଭଳି କ୍ରିକେଟର୍ ଭାବେ ବିଶେଷ ଆଗକୁ ଯାଇ ନପାରିବାର ଅବସୋସ ବି ରହିଛି। ପେଟ ପାଇଁ ପାଠ ପଢ଼ିବାକୁ ଗୁରୁତ୍ବ ଦେଉଥିଲି। ଚାକିରି ପଛରେ ନ ପଡ଼ି କ୍ରିକେଟ୍ ଖେଳିଥିଲେ ଅଧିକ ଆଗକୁ ଯାଇପାରିଥାନ୍ତୁ ବୋଲି କହିଥିଲେ ଓଡ଼ିଶା କ୍ରିକେଟର୍ ପଞ୍ଚୁ ପାଣ୍ଡବଙ୍କ ମଧ୍ୟରୁ ଅନ୍ୟତମ ଅଶୋକାନାନ୍ଦ।
ସଂକ୍ଷେପରେ ଅଶୋକାନନ୍ଦ
ଡାହାଣହାତୀ ବ୍ୟାଟର୍ ଏବଂ ବାମହାତୀ ସ୍ପିନର୍ ଭାବେ ଓଡ଼ିଶା ପାଇଁ ୧୯୬୧-୬୨ରୁ ୧୯୭୩-୭୪ ମଧ୍ୟରେ ୨୬ ରଣଜୀ ଟ୍ରଫି ମ୍ୟାଚ୍ ଖେଳିଥିଲେ ଅଶୋକାନନ୍ଦ ଜନୋ। ୫୨ ପାଳିରୁ ୨୧.୨୫ ହାରରେ ୭ ଅର୍ଦ୍ଧଶତକ ସହିତ ୧୦୨୦ ରନ୍ ସଂଗ୍ରହ କରିଥିଲେ। ବେଙ୍ଗଲ୍ ବିପକ୍ଷ (ଇଡେନ୍ ଗାର୍ଡେନ୍ସ, ୧୯୬୪)ରେ ଉଭୟ ପାଳିରେ ଅର୍ଦ୍ଧଶତକ (୬୨ ଓ ୯୫* ରନ୍) ସବୁଠାରୁ ଉଲ୍ଲେଖନୀୟ ଥିଲା। ୧୨ଟି ପ୍ରଥମ ଶ୍ରେଣୀ ୱିକେଟ୍ ମଧ୍ୟ ତାଙ୍କ ନାମରେ ରହିଛି। କୁଚବେହାର ଟ୍ରଫିରେ ଓଡ଼ିଶା ସ୍କୁଲ୍ସ ପାଇଁ ୪ ମ୍ୟାଚ୍ ଏବଂ ରୋହିଙ୍ଗଟନ୍ ବାରିଆ ଟ୍ରଫିରେ ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ୫ଟି ମ୍ୟାଚ୍ ମଧ୍ୟ ଖେଳିଥିଲେ। ୧୯୬୭ରୁ ୧୯୭୩ ମସିହା ମଧ୍ୟରେ ୭ଟି ରଣଜୀ ଟ୍ରଫି ମ୍ୟାଚ୍ରେ ଓଡ଼ିଶାର ନେତୃତ୍ବ ମଧ୍ୟ ନେଇଥିଲେ। ଭେଟେରାନ୍ କ୍ରିକେଟ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଭିସିଏଓ)ର ସଭାପତି ଦାୟିତ୍ବ ତୁଲାଉଥିବା ଅଶୋକାନନ୍ଦ ଷ୍ଟେଟ୍ ବ୍ୟାଙ୍କରୁ ଅବସର ନେଇଛନ୍ତି। ୨୦୧୯ ମସିହାରେ ତାଙ୍କୁ ସହିଦ ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ କମଲ ଗାଙ୍ଗୁଲି ସ୍ମାରକୀ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ୍ ପୁରସ୍କାର ପ୍ରଦାନ କରାଯାଇଥିଲା।
[ad_2]