ରାଜନୀତି

ବିଜେଡିର ଚିନ୍ତା ବଢ଼ାଉଛନ୍ତି ମହିଳା ଆଶାୟୀ: ପ୍ରତି ନିର୍ବାଚନମଣ୍ଡଳୀରେ ମାଳମାଳ ଆଶାୟୀ – Kalinga News

[ad_1]

କେନ୍ଦୁଝର: ଶାସକ ବିଜେଡି ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଇ ବିଭିନ୍ନ ଯୋଜନା କରିଥିବା ବେଳେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ମାଳମାଳ ମହିଳା ଆଶାୟୀ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡ଼ିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି।
କେନ୍ଦୁଝର ଜିଲ୍ଲାରେ ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ଗୋଟିଏ ଲୋକସଭା ନିର୍ବାଚନମଣ୍ଡଳୀ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ଚନ୍ଦ୍ରାଣୀ ମୁର୍ମୁ ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ବେଳେ ଚମ୍ପୁଆ ଆସନରୁ ମୀନାକ୍ଷୀ ମହାନ୍ତ ବିଧାୟିକା ନିର୍ବାଚିତ ହୋଇଥିଲେ। ଏଥର ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଭାସ ମିଳୁଛି। ଲୋକସଭାଠୁ ଆରମ୍ଭ କରି ଜିଲ୍ଲାର ସର୍ବନିମ୍ନ ଦୁଇଟି ବିଧାନସଭା ଆସନରେ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯିବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଏହି କାରଣରୁ ସବୁ ନିର୍ବାଚନମଣ୍ଡଳୀରେ ଅନେକ ମହିଳା ଆଶାୟୀ ପ୍ରାର୍ଥୀ ହେବା ଦୌଡ଼ରେ ସାମିଲ ହୋଇଛନ୍ତି।

କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀରେ ଗତ ବିଧାନସଭା ନିର୍ବାଚନରେ ମାଧବ ସର୍ଦ୍ଦାର ବିଜେଡି ପ୍ରାର୍ଥୀ ହୋଇଥିଲେ। କିନ୍ତୁ, ଏଥର ଏକାଧିକ ମହିଳା ଆଶାୟୀଙ୍କ ପୋଷ୍ଟର ନିର୍ବାଚନମଣ୍ଡଳୀ ସାରା ଛାଇଯାଇଛି। ପୂର୍ବତନ କେନ୍ଦୁଝର ପୌରପରିଷଦ ଅଧ୍ୟକ୍ଷା ମୀନା ମାଝୀ, କେନ୍ଦୁଝର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ସି, ଆଦିବାସୀ ନେତ୍ରୀ ପାୟ ମାର୍ଣ୍ଡି, ପୂର୍ବତନ ସରପଞ୍ଚ ଜୟନ୍ତୀ ସି, ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କ ପତ୍ନୀ ତଥା ପୂର୍ବତନ ଝୁମ୍ପୁରା ବ୍ଲକର ଅଧ୍ୟକ୍ଷା ପ୍ରତିଭା ମଞ୍ଜରୀ ନାଏକ ପ୍ରମୁଖ ପ୍ରାର୍ଥୀ ହେବା ଦୌଡ଼ରେ ସାମିଲ ହୋଇଛନ୍ତି। କିଏ ଭୋଜିଭାତ ଦେଲାଣି ତ କିଏ ବ୍ୟାନର ଲଗାଇ ନିଜର ମନ କଥା ଜଣାଇବା ସହ ରାଜଧାନୀର ଡେରା ପକାଇଲେଣି। ତେଲକୋଇ ନିର୍ବାଚନମଣ୍ଡଳୀରେ ମଧ୍ୟ ଏକାଧିକ ମହିଳା ଆଶାୟୀ ନିଜସ୍ବ ଢଙ୍ଗରେ ଉଦ୍ୟମ ଆରମ୍ଭ କରିଛନ୍ତି। ହରିନ୍ଦନପୁର ବ୍ଲକ୍‌ ଅଧ୍ୟକ୍ଷା ସୁନେଲୀ ନ‌ାଏକ, ପୂର୍ବତନ ତେଲକୋଇ ବ୍ଲକ ଅଧ୍ୟକ୍ଷା ସତ୍ୟଭାମା ସିଂହ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନଣନ୍ଦ ମଞ୍ଜୁବାଳା ମୁଣ୍ଡା ପ୍ରମୁଖ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡ଼ିଛନ୍ତି। ପାଟଣା ନିର୍ବାଚନମଣ୍ଡଳୀରେ ଏକାଧିକ ଥର ସରପଞ୍ଚ ହୋଇଥିବା ଭାମା ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଖଇର ନାଏକ ଆଶୟୀ ଅଛନ୍ତି।

ସେହିପରି, ଚମ୍ପୁଆ ନିର୍ବାଚନମଣ୍ଡଳୀରେ ବର୍ତ୍ତମାନର ବିଧାୟିକା ମୀନାକ୍ଷୀ ମହାନ୍ତ ପୁଣିଥରେ ଟିକେଟ ପାଇବା ଆଶାରେ ଥିବାବେଳେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ରମଣୀ ନାଏକ ଟିକେଟ ପାଇବାକୁ ଆଶା ରଖିଛନ୍ତି। କିନ୍ତୁ ଏଠାରେ ବିଜେଡି ଯଦି ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଉପରେ ଗତଥର ଭଳି ନିର୍ଭର କରେ, ତା’ହେଲେ ତାଙ୍କ ପରିବାରରୁ କେହି ମହିଳା ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ଏହାସହ ବଡ଼ବିଲ ପୌରପରିଷଦ ଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ଓ ଶିଳ୍ପପତି ଶ୍ରୀନିବାସ ସାହୁଙ୍କ ପରିବାରରୁ କେହି ମହିଳା ପ୍ରାର୍ଥୀ ହାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଘସିପୁରା ନିର୍ବାଚନମଣ୍ଡଳୀରେ ମଧ୍ୟ ଏକାଧିକ ମହିଳା ପ୍ରାର୍ଥୀ ଆଶାୟୀ ଅଛନ୍ତି। ମୁକୁନ୍ଦପୁରପାଟଣା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ, ଜିଲ୍ଲା ପରିଷଦ ସଦସ୍ୟା ମନୋଜମଞ୍ଜରୀ ରାଉତ ଆଶାୟୀ ଅଛନ୍ତି।  ସେହିପରି, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଝାନ୍‌ସୀରାଣୀ ଦାସ, ହାଟଡିହି ବ୍ଲକ ଅଧ୍ୟକ୍ଷ ସାବିତ୍ରୀ ସେଠୀ, ‌ଜିଲ୍ଲା ପରିଷଦ ସଦସ୍ୟ କୌଶଲ୍ୟା ସେଠୀ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଛି। ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀରେ ବହୁ ମହିଳା ଆଶାୟୀ ପ୍ରାର୍ଥୀ ହେବା ଦୌଡ଼ରେ ସାମିଲ ହୋଇଥିବାରୁ ଦଳୀୟ ନେତୃତ୍ବ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button