ମନୋରଞ୍ଜନ

ଚବିଶରେ ରହିବେ ଚର୍ଚ୍ଚାରେ – Kalinga News

[ad_1]

୨୦୨୪ରେ ଓଲିଉଡ୍‌ରେ କେତେକ କଳାକାର, ନିର୍ଦ୍ଦେଶକ ଓ ସିନେ ବ୍ୟକ୍ତିତ୍ବ ଚର୍ଚ୍ଚାରେ ରହିପାରନ୍ତି। କିଏ, କାହିଁକି ଚର୍ଚ୍ଚାରେ ରହିବେ, ତାକୁ ନେଇ ଶିବ ଶଙ୍କର ଓଝାଙ୍କ ଆକଳନ।

ବାବୁସାନ୍ ଓ ତୃପ୍ତି:
ଓଲିଉଡ୍‌ରେ ଲୋକପ୍ରିୟ ନାୟକ ବାବୁସାନ୍ ଓ ତାଙ୍କ ପତ୍ନୀ ତୃପ୍ତି ଶତପଥୀ ବର୍ଷ ୨୦୨୪ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛନ୍ତି। ଏବର୍ଷ ବାବୁସାନ୍‌ଙ୍କ ଯେଉଁ ସିନେମାର ଟାଇଟଲ୍ ଘୋଷଣା କରାଯାଇଛି, ତାହା ହେଲା ‘ପାବାର୍’। ଉଲ୍ଲେଖଯୋଗ୍ୟ, ଏହି ସିନେମାର ପ୍ରଯୋଜିକା ହେଉଛନ୍ତି ତୃପ୍ତି ଶତପଥୀ। ଗତବର୍ଷ ତୃପ୍ତିଙ୍କୁ ସ୍ବାମୀ ବାବୁସାନ୍‌ଙ୍କ ସହିତ ଅନେକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା। ‘ପାବାର୍’ ସିନେମାର ଶୁଭାରମ୍ଭ ବେଳେ ମଧ୍ୟ ‘ଉଗ୍ରତାରା’ ମନ୍ଦିରରେ ବାବୁସାନ୍ ଓ ତୃପ୍ତି ଏକତ୍ର ନଜର ଆସିଥିଲେ। ତୃପ୍ତି ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଥିବାରୁ ଚର୍ଚ୍ଚାରେ ରହିବେ। ତାଙ୍କ ପ୍ରଯୋଜିତ ପ୍ରଥମ ସିନେମା ‘ପାବାର୍’କୁ କିଭଳି ଦର୍ଶକୀୟ ସମର୍ଥନ ମିଳୁଛି, ତା’ ଉପରେ ରହିଛି ସମସ୍ତଙ୍କ ନଜର। ବାବୁସାନ୍ ‘ଦମନ’ ଓ ‘ମାଲ୍ୟଗିରି’ ପରି ସିରିଅସ୍ ଫିଲ୍ମ ପରେ ପୁଣି ନିଜର ପୁରୁଣା କମେଡି ଟ୍ରାକ୍‌କୁ ଫେରିଥିବା ହେତୁ ଏହାକୁ ନେଇ ପ୍ରଶଂସକମାନେ ଉତ୍ସୁକ ହେବା ସ୍ବାଭାବିକ। ‘ପାବାର୍’ ଏକ ରାଜନୈତିକ କମେଡି ସିନେମା। ‘ପାବାର୍’ରେ ଦର୍ଶକମାନେ ପୁଣି ବାବୁସାନ୍‌ଙ୍କୁ ପସନ୍ଦ କରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା। ସେହିପରି, ୨୦୨୪ରେ ବାବୁସାନ୍‌ଙ୍କ ଆକ୍ସନ୍ ଫିଲ୍ମ ‘ଅନ୍ତର୍ଯ୍ୟାମୀ’ ପରଦାକୁ ଆସୁଥିବା କାରଣରୁ ମଧ୍ୟ ସେ ଚର୍ଚ୍ଚାରେ ରହିବେ। ଖାଲି ସେତିକି ନୁହେଁ, ଏବର୍ଷ ତାଙ୍କର ପୂର୍ବ ଫିଲ୍ମ ‘ମାଲ୍ୟଗିରି’ର ସିକ୍ବେଲ୍ ଆସିପାରେ ବୋଲି କୁହାଯାଉଛି।

 

ସବ୍ୟସାଚୀ ଓ ଅର୍ଚ୍ଚିତା:
୨୦୨୩ରେ ‘ପୁଷ୍କରା’ ସିନେମା ପାଇଁ ଢେର୍ ଚର୍ଚ୍ଚାରେ ଥିଲେ ସବ୍ୟସାଚୀ। ଏବର୍ଷ ଏହି ସିନେମା ଲାଗି ତାଙ୍କୁ ଅନେକ ପୁରସ୍କାର ମିଳିପାରେ ବୋଲି ସମୀକ୍ଷକଙ୍କ ମତ। ଏଦୃଷ୍ଟିରୁ ସେ ଚର୍ଚ୍ଚାରେ ରହିବେ। ଏହାଛଡ଼ା, ୨୦୨୪ରେ ତାଙ୍କର କେଉଁ ସବୁ ସିନେମା ଆସିବ, ତାକୁ ଦର୍ଶକମାନେ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ଲୋକପ୍ରିୟ ନାୟିକା ଅର୍ଚ୍ଚିତାଙ୍କର ୨୦୨୩ରେ କୌଣସି ଓଡ଼ିଆ ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ନ ଥିଲା। ୨୦୨୪ରେ ସେ ବଡ଼ ପରଦା ପାଇଁ ଉଦ୍ଦିଷ୍ଟ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିପାରନ୍ତି। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇସାରିଛି।

ହରିହର ମହାପାତ୍ର:
୨୦୨୪ରେ ଚର୍ଚ୍ଚାରେ ରହିବେ ଲୋକପ୍ରିୟ ଅଭିନେତା ତଥା କାହାଣୀକାର ହରିହର ମହାପାତ୍ର ଓରଫ ହରି। ହରିଙ୍କ ସମ୍ବେଦନଶୀଳ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଛବି ‘ରୁମ୍‌କୁ ଝୁମାନା’ ଓ ‘ଧୋ’ରେ ବାବୁ ଧୋ’ ବେଶ୍ ଚର୍ଚ୍ଚିତ ହୋଇଥିଲା। ଏବର୍ଷ ପୁଣି ଏକ ଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ସେ ନିର୍ମାଣ କରୁଛନ୍ତି ‘ଭଗିଆ ଭାରିଯା’। ଏହି ଫିଲ୍ମ ଜରିଆରେ ହରି ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ପ୍ରବେଶ କରିଛନ୍ତି। ଏମାନଙ୍କ ବ୍ୟତୀତ ଆଉ କେତେକ ସିନେ ବ୍ୟକ୍ତିତ୍ବ ବି ଏବର୍ଷ ଆକସ୍ମିକ ଭାବେ ଚର୍ଚ୍ଚାକୁ ଆସିପାରନ୍ତି।

ଅନୁଭବ ଓ ବର୍ଷା:
ଓଡ଼ିଆ ସିନେ ଜଗତର ଆଗଧାଡ଼ିର ନାୟକ ଅନୁଭବ ଓ ନାୟିକା ବର୍ଷା ପ୍ରିୟଦର୍ଶିନୀ ଗତବର୍ଷ ଭଳି ଏବର୍ଷ ମଧ୍ୟ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିବେ।
ଏହାଛଡ଼ା କେନ୍ଦ୍ରାପଡ଼ାରୁ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ଅନୁଭବ ମହାନ୍ତି ୨୦୨୪ରେ ସାଧାରଣ ନିର୍ବାଚନରେ ପୁଣି ପ୍ରାର୍ଥୀ ହେଉଛନ୍ତି କି ନା, ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଏଣେ ଅନୁଭବଙ୍କ ନୂଆ ସିନେମା ‘ଚାରିଧାମ’ ଏବର୍ଷ ବଡ଼ ପରଦାକୁ ଆସିବ। ଏହି ଫିଲ୍ମଟିକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ସେ ଅନ୍ୟ କେଉଁ ସିନେମାରେ ଅଭିନୟ କରିବେ, ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେଣେ ରିଲିଜ୍ ଅପେକ୍ଷାରେ ରହିଛି ବର୍ଷାଙ୍କ ସିନେମା ‘ବସ୍‌’। ଏହାକୁ ଦର୍ଶକ କେମିତି ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ରହିଲା।

ଅନୁପମ ପଟ୍ଟନାୟକ: ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ୨୦୨୪ରେ ଚର୍ଚ୍ଚାରେ ରହିବେ। ଏବର୍ଷ ତାଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘ତ୍ରିକନ୍ୟା’ ମୁକ୍ତିଲାଭ କରିବ। ଏହି ଫିଲ୍ମକୁ ନେଇ ଉଭୟ ଦର୍ଶକ ଓ ସମୀକ୍ଷକ ଆଶାବାଦୀ ଅଛନ୍ତି। ଏଥିରେ ଅଭିନେତା ମନୋଜ ମିଶ୍ର ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସହିତ କାମ କରିଛନ୍ତି। ‘ତ୍ରିକନ୍ୟା’ରେ ପୁଣି ଏକ ସମ୍ବେଦନଶୀଳ ସାମାଜିକ ପ୍ରସଙ୍ଗକୁ ଗୁରୁତ୍ବ ଦେଇଛନ୍ତି ନିର୍ଦ୍ଦେଶକ।

ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା: ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଦମନ’ର ସଫଳ ନିର୍ଦ୍ଦେଶକ ଯୋଡ଼ି ବିଶାଳ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ୨୦୨୪ରେ ଚର୍ଚ୍ଚାରେ ରହିପାରନ୍ତି। କାରଣ, ଗତବର୍ଷ ଦୁହେଁ ଏକ ନୂଆ ସିନେମା କରିବା ପାଇଁ ଯୋଜନା କରିଥିଲେ, ହୁଏତ ଏବର୍ଷ ତାହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିପାରେ। ‘ଦମନ’ ପରେ ଯେହେତୁ ଉଭୟେ ପୁଣି ଏକ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି, ସେ ଦୃଷ୍ଟିରୁ ଦୁହେଁ ଚର୍ଚ୍ଚାରେ ରହିବା ସ୍ବାଭାବିକ।

ଶଙ୍କର ତ୍ରିପାଠୀ: ୨୦୨୩ରେ ଯାହାଙ୍କ ରଚିତ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ସର୍ବାଧିକ ଚର୍ଚ୍ଚିତ ହୋଇଥିଲା, ସେ ହେଲେ କାହାଣୀକାର ତଥା ସଂଳାପକାର ଶଙ୍କର ତ୍ରିପାଠୀ। ତାଙ୍କ ରଚିତ ଉପନ୍ୟାସ ‘ନାଦବିନ୍ଦୁ’ର କାହାଣୀକୁ ଆଧାର କରି ଉକ୍ତ ଛବି ନିର୍ମିତ ହୋଇଥିଲା। ସେଥିରେ ସଂଳାପ ମଧ୍ୟ ସେ ନିଜେ ଲେଖିଥିଲେ। ଏବର୍ଷ ତାଙ୍କ ରଚିତ ଏକ ନାଟକର ସିନେରୂପାନ୍ତର ଦର୍ଶକମାନେ ବଡ଼ ପରଦାରେ ଦେଖିବାକୁ ପାଇବେ। ଏଠାରେ ଯେଉଁ ସିନେମା କଥା କୁହାଯାଉଛି, ତାହା ହେଲା ‘ଶ୍ରୀଜଗନ୍ନାଥଙ୍କ ନବକଳେବର’। ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକଙ୍କ ଅପେକ୍ଷା ଅଧିକ ଚର୍ଚ୍ଚାରେ ରହିବେ କାହାଣୀକାର ଓ ସଂଳାପ ଲେଖକ ଶଙ୍କର ତ୍ରିପାଠୀ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button