ଦେଖିଲା ପରେ… ମେଁ ଅଟଲ୍ ହୁଁ – Kalinga News

[ad_1]
ବସନ୍ତରାଜ ସାହୁ
ଭାରତର ଦଶମ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ କାହାଣୀ ଯେ ସିନେମା ଲାଗି ଏକ ଶକ୍ତିଶାଳୀ ଦାବିଦାର ତାହା ସମସ୍ତେ ସ୍ବୀକାର କରିବେ। ତାଙ୍କ ରାଜନୈତିକ ଜୀବନ ସହିତ ଭାରତବର୍ଷ ମଧ୍ୟ ଏକ ବିରାଟ ପରିବର୍ତ୍ତନ ଦେଇ ଗତି କରୁଥିଲା। କବିତା ସହିତ ତାଙ୍କ ଅନ୍ତରଙ୍ଗ ସଂପୃକ୍ତି ଚଳଚ୍ଚିତ୍ର ଦୁନିଆ ଲାଗି ତାଙ୍କୁ ଜଣେ ଆକର୍ଷଣୀୟ ବ୍ୟକ୍ତିତ୍ବ ରୂପେ ଉପସ୍ଥାପିତ କରିଥାଏ। ନିର୍ଦେଶକ ରବି ଯାଦବ ଏହି ଆକର୍ଷଣକୁ ଭିତ୍ତି କରି ଅଟଳଙ୍କ ବାୟୋପିକ୍ଟିଏ ତିଆରି କରିଛନ୍ତି। ଏହାର ସବୁଠାରୁ ଶକ୍ତିଶାଳୀ ଭିତ୍ତି ହେଉଛନ୍ତି ମୂଳ ଚରିତ୍ର ନିଜେ ଏବଂ ସେହି ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ପଙ୍କଜ ତ୍ରିପାଠୀ। ଏହାର ସମୀକ୍ଷା ଲେଖିବା ବେଳେ ଚଳଚ୍ଚିତ୍ରର ରୋମାଞ୍ଚକ ମୋଡ଼ଗୁଡ଼ିକୁ ପ୍ରଘଟ ବା ‘ସ୍ପଏଲ୍’ କରିଦେବାର ଭୟ ନାହିଁ। କାରଣ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ ଓ ରାଜନୀତି ବିଷୟରେ ପ୍ରାୟ ସମସ୍ତେ ଅଳ୍ପବହୁତ ଜାଣନ୍ତି। ଯାହା ଦର୍ଶକଙ୍କୁ ଚକିତ କରିବ ତାହା ହେଉଛି ଜଣେ ପ୍ରଖର ବକ୍ତା ଭାବରେ ବିଶ୍ବପ୍ରସିଦ୍ଧ ବାଜପେୟୀ ଏକଦା ମୁଖସ୍ଥ କରିଥିବା ଭାଷଣର ଗୋଟିଏ ହେଲେ ଶବ୍ଦ ଶ୍ରେଣୀରେ ଉଚ୍ଚାରଣ କରିପାରିନଥିଲେ। ସେହିପରି ସେ କଲେଜ ସମୟରେ ରାଜକୁମାରୀ କୌଲ ନାମ୍ନୀ ସହପାଠୀଙ୍କ ପ୍ରେମରେ ପଡ଼ିଯାଇଥିଲେ। ତେବେ ସେ ପ୍ରେମ କାହାଣୀ ଯେଉଁ ଜଟିଳ ମୋଡ଼ ନେଇଛି ତାହା ବିଷୟରେ ଜାଣିବା ଲାଗି ସିନେମାଟିକୁ ଦେଖିବାକୁ ହେବ।
ଚଳଚ୍ଚିତ୍ରର ପ୍ରଥମାର୍ଦ୍ଧରେ ଅଟଳଙ୍କ ବାଲ୍ୟକାଳରୁ ଆରମ୍ଭ କରି ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ନେତୃତ୍ବ ନେବା ପର୍ଯ୍ୟନ୍ତ କାହାଣୀ ଦେଖା ଯାଇଛି। ମନ୍ଥର ବେଗ ଦର୍ଶକ ମନକୁ ରୋମାଞ୍ଚିତ କରିବାକୁ ବିଫଳ ହୋଇପାରେ। ତେବେ ଅଟଳଙ୍କ ପିତା ଭୂମିକାରେ ପୀୟୂଷ ମିଶ୍ରଙ୍କ ସହିତ ଚିତ୍ରିତ ଦୃଶ୍ୟଗୁଡ଼ିକ ଖୁବ୍ ଜୀବନ୍ତ ଓ ବିଶ୍ବାସଯୋଗ୍ୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମଧ୍ୟାନ୍ତର ପରବର୍ତ୍ତୀ ଦୃଶ୍ୟଟି ସିନେମାକୁ ଭଲପାଉଥିବା ଦର୍ଶକଙ୍କୁ ନିଶ୍ଚୟ ମନ୍ତ୍ରମୁଗ୍ଧ କରିବ। ଦର୍ଶକ ପରଦାରେ ଦେଖେ ଯେ ଠିକ୍ ତା’ ପଛପଟେ ଥିବା ‘ପ୍ରୋଜେକ୍ସନ୍’ ଆଲୁଅ ତା’ ସମ୍ମୁଖ ଭାଗକୁ ଚାଲିଆସିଛି, ସତେ ଯେମିତି ସିନେମା ପରଦାଟି ଏକ ସ୍ମାର୍ଟଫୋନ୍ ଆଉ ସେହି କ୍ଷଣରେ ତାହାର ସେଲ୍ଫି କ୍ୟାମେରାଟି ଅନ୍ ହୋଇଯାଇଛି! ତେବେ ସେଥିରେ ଲାଲକୃଷ୍ଣ ଆଡ଼ଭାନୀ ଓ ବାଜପେୟୀ ବସି ସିନେମା ପରଦା ସହିତ ରାଜନୈତିକ ପରଦାର ସାମଞ୍ଜସ୍ୟ ଓ ପ୍ରଭେଦ ବିଷୟରେ ଆଲୋଚନା କରୁଛନ୍ତି। ଏହା ପରେ ବାଜପେୟୀଙ୍କୁ କେନ୍ଦ୍ରରେ ରଖି ଜନସଂଘ ଦଳର ଗଠନ, ସେଥିରୁ ପୁଣି ଜନତା ପାର୍ଟି ଓ ଶେଷରେ ଭାରତୀୟ ଜନତା ପାର୍ଟିର ଗଠନର କାହାଣୀର ଜୟଗାନ କରାଯାଇଛି। ବାଜପେୟୀଙ୍କ ବହୁବିଧ ସଫଳତାକୁ ଯଥାର୍ଥ ଭାବେ ଏଥିରେ ଚିତ୍ରଣ କରାଯାଇଛି। ପଙ୍କିଳ ରାଜନୀତି ଭିତରେ ନାନା ସମସ୍ୟାର ସମ୍ମୁଖୀନ ହେବା ସତ୍ତ୍ବେ ଅଟଳ ରହିବାର ଗୁଣକୁ ଆହରଣ କରିବା ପାଇଁ ଏହି ସିନେମା ଦର୍ଶକଙ୍କୁ ଶିକ୍ଷା ଦେଇଥାଏ। ‘ମେଁ ଅଟଲ ହୁଁ’ର ସବୁଠାରୁ ଦୁର୍ବଳ ଦିଗ ହେଉଛି ‘ସ୍କ୍ରିନ୍ପ୍ଲେ’ ବା ଚିତ୍ରନାଟ୍ୟ। କାହାଣୀ ରଚନାରୁ ଆରମ୍ଭ କରି ଏହାର ଏଡିଟିଂ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଦୁର୍ବଳତା ରହିଛି। ସିନେମାଟି ଜଣେ ସୁପ୍ରସିଦ୍ଧ ରାଷ୍ଟ୍ରନେତାଙ୍କ ଜୀବନର ଗଭୀରତାକୁ ନ ଯାଇ କେବଳ ଉପରିଭାଗକୁ ସ୍ପର୍ଶ କରିଛି ଯାହା। ବାଜପେୟୀଙ୍କ ଶାସନ କାଳର ଶେଷ ତଥା ଗୁରୁତ୍ବପୂର୍ଣ୍ଣ ଭାଗଟି ଆରମ୍ଭ ହେବା ପୂର୍ବରୁ ୧୯୯୯ରେ ସିନେମାଟି ଶେଷ ହୋଇଯାଇଛି। ସେହିପରି ଏଡିଟିଂ ପରି ବୈଷୟିକ କାର୍ଯ୍ୟକୁ ତରବରିଆ ଭାବେ ଶେଷ କରିଦିଆଯାଇଥିବା ଭଳି ମନେ ହୋଇଥାଏ। କାରଣ ଏକାଧିକ ଦୃଶ୍ୟରେ ଅଭିନେତାମାନଙ୍କ କଥାବାର୍ତ୍ତା ଓ ତା’ର ଧ୍ବନି ମଧ୍ୟରେ ଅମେଳ ସ୍ପଷ୍ଟ ଜଣାପଡୁଛି। ‘ନଟରଙ୍ଗ’ ଓ ‘ନ୍ୟୁଡ୍’ ଭଳି ମରାଠୀ ସିନେମା ପାଇଁ ରବି ଯାଦବ ଖୁବ୍ ପ୍ରଶଂସା ଅର୍ଜନ କରିଥିଲେ। ଏ ସିନେମାଟିକୁ ରବିଙ୍କର ଏକ ନୂଆ ପ୍ରୟୋଗ ରୂପେ ଦେଖାଯାଇପାରେ। ବାଜପେୟୀଙ୍କ ଜୀବନ ତଥା ବର୍ତ୍ତମାନ କେନ୍ଦ୍ରରେ ଶାସନ କରୁଥିବା ବିଜେପି ଦଳର ଇତିହାସ ବାବଦରେ ଜାଣିବାକୁ ଚାହୁଁଥିବା ନୂଆ ପିଢ଼ିର ଦର୍ଶକଙ୍କ ପାଇଁ ଏହା ଏକ ଉତ୍ତମ ଐତିହାସିକ ବୃତ୍ତଚିତ୍ର। ତେବେ ବାଜପେୟୀଙ୍କୁ ଭଲ ପାଉଥିବା ଲୋକମାନଙ୍କୁ ଚଳଚ୍ଚିତ୍ରଟି ନିରାଶ କରିପାରେ। ଏହି ଚଳଚ୍ଚିତ୍ରର ସବୁଠାରୁ ପ୍ରଭାବଶାଳୀ ଭାଗଟି ଆରମ୍ଭ ହୁଏ ସିନେମାଟି ଶେଷ ହେବା ପରେ! ସେଥିରେ ବାଜପେୟୀଙ୍କ ସ୍ବରରେ କବିତା ଆବୃତ୍ତି ଶୁଣି ଦର୍ଶକମାନେ ନିଶ୍ଚୟ ମନ୍ତ୍ରମୁଗ୍ଧ ହୋଇ ପ୍ରେକ୍ଷାଳୟରୁ ଫେରିବେ।
ନିର୍ଦେଶକ: ରବି ଯାଦବ
ମୁଖ୍ୟ ଅଭିନେତା: ପଙ୍କଜ ତ୍ରିପାଠୀ
[ad_2]




