ମନୋରଞ୍ଜନ

ନେହାଙ୍କ ପରିବେଶ ଅନୁକୂଳ ଜୀବନଶୈଳୀ – Kalinga News

[ad_1]

ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଅତ୍ୟାଧୁନିକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକର ବହୁଳ ବ୍ୟବହାର ଯୋଗୁଁ ପ୍ରକୃତି ଉପରେ ମାନବ ଜାତିର ଅତ୍ୟାଚାର ବଢ଼ିଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ନିଜ ଗୋଡ଼ରେ କୁରାଢ଼ି ଚୋଟ ମାରିବା ସହିତ ସମାନ। କାରଣ ଆମମାନଙ୍କ ଦ୍ବାରା କୃତ ପ୍ରଦୂଷିତ ପରିବେଶ ଯୋଗୁଁ ଆମେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ତେବେ ବିଳମ୍ବରେ ହେଉ ପଛକେ, ପରିବେଶ ପ୍ରଦୂଷଣର କୁପରିଣାମକୁ ହୃଦୟଙ୍ଗମ କଲା ପରେ ପରିବେଶର ସୁରକ୍ଷା ପାଇଁ ବିଭିନ୍ନ କ୍ଷେତ୍ରରେ, ବିଭିନ୍ନ ଉପାୟରେ ଏବଂ ବିଭିନ୍ନ ସ୍ତରରେ ଯଥା ସମ୍ଭବ ପଦକ୍ଷେପ ନେବା ପାଇଁ ଆମେ ବାଧ୍ୟ ହୋଇଛନ୍ତି। ଏହି କ୍ରମରେ ବଲିଉଡ୍‌ ନାୟିକା ନେହା ଧୁପିଆ ଆପଣେଇଥିବା ଜୀବନଶୈଳୀ ଓ ବାର୍ତ୍ତା ପ୍ରଶଂସନୀୟ ନିଶ୍ଚୟ। ଦୈନନ୍ଦିନ ଜୀବନରେ ସମାନ୍ୟତମ ଜଳ ଅପଚୟକୁ ସେ ବରଦାସ୍ତ କରପାରନ୍ତିନି। ଜଳର ସଂରକ୍ଷଣ, ଜଳର ସୃଷ୍ଟି ସହ ସମାନ ବୋଲି ସେ କହନ୍ତି। ପିଲାମାନେ ମଜାରେ ପାଣି ପାଇପ୍‌ ଧରି ଖେଳୁଥିବା ବେଳେ ସେ ପାଣି ଟ୍ୟାପ୍‌କୁ ବନ୍ଦ କରିଦିଅନ୍ତି ଏବଂ ସେମାନଙ୍କୁ ସେଥିରୁ ନିବୃତ୍ତ ହେବାକୁ ବୁଝାଇ ଦିଅନ୍ତି। ବାହାରକୁ କୁଆଡ଼େ ଗଲା ବେଳେ ରାସ୍ତାକଡ଼ରେ କୌଣସି ନଳରୁ ଅବିରତ ପାଣି ଝରୁଥିବାର ଦେଖିଲେ ସେ ଗାଡ଼ିରୁ ଓହ୍ଲାଇ ତାହାକୁ ବନ୍ଦ କରିବାକୁ ଭୁଲିନଥା’ନ୍ତି। ଘରେ ସ୍ନାନଶୌଚଠାରୁ ଆରମ୍ଭ କରି ସଫାସୁତର କରିବା ଯାଏ ପ୍ରତ୍ୟେକ କାମରେ ସେ ଜଳର ମିତବ୍ୟୟିତାକୁ ଯଥାସାଧ୍ୟ ପାଳନ କରିଥା’ନ୍ତି।

ଏପରିକି ସେ ଦାନ୍ତ ଘଷିଲା ସମୟ ତକ ପାଣି ଟ୍ୟାପ୍‌କୁ ପୂରା ଖୋଲା ନରଖି ମଝିରେ ମଝିରେ ବନ୍ଦ କରିଦେଇଥା’ନ୍ତି। ଏଥି ସହିତ ସ୍ବାମୀ ଅଙ୍ଗଦ ବେଦିଙ୍କୁ ମଧ୍ୟ ଏପରି କରିବାକୁ ସେ ପ୍ରବର୍ତ୍ତାଇଥା’ନ୍ତି। ୟେ ତ ଗଲା ତାଙ୍କର ଜଳ ସଂରକ୍ଷଣ ଚିନ୍ତା। ଏଥି ସହିତ ପ୍ଲାଷ୍ଟିକ୍‌ର ବ୍ୟବହାରକୁ କମାଇବା ପାଇଁ ସେ ଏକାଧିକ ବାର ବ୍ୟବହାରକ୍ଷମ ପ୍ଲାଷ୍ଟିକ୍‌ ବ୍ୟବହାରକୁ ପସନ୍ଦ କରିଥା’ନ୍ତି। ସେହିପରି ଗାଡ଼ିମୋଟର ଧୂଆଁ ଜନିତ ବାୟୁ ପ୍ରଦୂଷଣକୁ ଯତ୍‌କିଞ୍ଚିତ୍‌ ହ୍ରାସ କରିବା ପାଇଁ ସେ ସହର ଭିତରେ ଅଳ୍ପ ବାଟ ଯିବା ଆସିବା କରିବା ଲାଗି ଏକ ଇ-ବାଇକ୍‌ର ସାହାଯ୍ୟ ନେଉଛନ୍ତି। ତାଙ୍କର ଏହି ଉଦ୍ୟମ ସେତୁବନ୍ଧ ନିର୍ମାଣରେ ଗୁଣ୍ଡୁଚି ମୂଷାର ଭୂମିକା ବୋଲି ସେ କହନ୍ତି। ତେବେ ତାଙ୍କ ପରି ଆମେ ସମସ୍ତେ ସଚେତନ ହୋଇପାରିଲେ ଭବିଷ୍ୟତରେ ଏକ ଉତ୍ତମ ପରିବେଶକୁ ସ୍ବାଗତ କରିପାରିବା। ସୂଚନାଯୋଗ୍ୟ, ୧୯୮୦ ଅଗଷ୍ଟ ୨୭ରେ କୋଚିରେ ଏକ ପଞ୍ଜାବୀ ପରିବାରରେ ଜନ୍ମିତ ନେହା ୨୦୦୨ରେ ‘ଫେମିନା ଭାରତ ସୁନ୍ଦରୀ’ ମୁକୁଟ ହାସଲ କରି ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୨୦୦୩ରେ ସେ ହିନ୍ଦୀ ଫିଲ୍ମ ‘କୟାମତ୍‌: ସିଟି ଅଣ୍ଡର’ ମାଧ୍ୟମରେ ବଲିଉଡ୍‌ରେ ପାଦ ଥାପିଥିଲେ। ନେହା ଷାଠିଏରୁ ଅଧିକ ବିଭିନ୍ନ ଭାଷାର ଚଳଚ୍ଚିତ୍ର ଓ ଦଶରୁ ଅଧିକ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ଶେଷ ହିନ୍ଦୀ ଫିଲ୍ମ ହେଉଛି ୨୦୨୨ରେ ମୁକ୍ତିଲାଭ କରିଥିବା ‘ଏ ଥର୍ସଡେ’। ସେହିପରି ଟିଭିରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ୨୦୨୧ରେ ‘ବିଗ୍‌ ବସ୍‌ ୧୫’ରେ ଜଣେ ଅତିଥି ଭାବରେ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button