ରାଜନୀତି

କଡ଼ ଲେଉଟାଉଛି ଆଠମଲ୍ଲିକ ବିଜେପି ରାଜନୀତି: ଅନ୍ଧାରରେ ଭାଗୀରଥିଙ୍କ ଭାଗ୍ୟ – Kalinga News

[ad_1]

ସଂଜୀବଙ୍କ କାନ୍ଧରେ ସଂଗଠନ ଦାୟିତ୍ବ, ସମ୍ବଲପୁର ସାଂସଦଙ୍କ ଫଟୋ ରଖିଲାନି ଜିଲ୍ଲା ବିଜେପି

ପତିତପାବନ ସାହୁ

ଅନୁଗୁଳ: ପାଖାପାଖି ଦେଢ଼ ଦଶନ୍ଧି ଧରି ଆଠମଲ୍ଲିକରେ ବିଜେପିର ଗଡ଼ ଜଗିଥିବା ଭାଗୀରଥି ପ୍ରଧାନଙ୍କ ଉପରେ ବୋଧେ ଦଳ ଆଉ ଭରସା କରିପାରୁନି। ବିଧାନସଭା ନିର୍ବାଚନରେ ଲଗାତାର ୩ ଥର ହାରିବା ପରେ ତାଙ୍କୁ ଆଉ ଟିକେଟ ନ ଦେବାକୁ ଦଳ ସମ୍ଭବତଃ ନିଷ୍ପତ୍ତି ନେଇ ସାରିଛି। ଦଳ ପକ୍ଷରୁ ବିଭିନ୍ନ ଗଣମାଧ୍ୟମରେ ଦିଆଯାଇଥିବା ନୂଆବର୍ଷ ବିଜ୍ଞାପନରୁ ଏହାର ଆଭାସ ମିଳିଛି। ଏହି ବିଜ୍ଞାପନରେ ଗତଥର ଲଢ଼ିଥିବା ନେତାଙ୍କ ଫଟୋ ରହିଥିଲେ ମଧ୍ୟ ‌କେବଳ ଭାଗୀରଥିଙ୍କ ଫଟୋ ଗ‌ାଏବ ହୋଇଯାଇଛି। ତାଙ୍କ ବଦଳରେ ସଂଜୀବ ସାହୁଙ୍କ ଫଟୋ ରଖିଛି ବିଜେପି। ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଆଠମଲ୍ଲିକ ବିଧାନସଭା ଆସନରେ ଭାଗୀରଥି ପ୍ରଧାନଙ୍କ ଉପରେ ଭରସା କରିଥିଲା ବିଜେପି। ବିଜେଡିର ଗଡ଼ ଥିବା ଏହି ଆସନରେ ଭାଗୀରଥି ୨୦୦୯ ବିଧାନସଭା ନିର୍ବାଚନରେ ଲଢ଼ିଥିଲେ ମଧ୍ୟ ବିଜେଡି ଓ କଂଗ୍ରେସ ସହ ପ୍ରତିଦ୍ବନ୍ଦ୍ବିତା କରି ପାରି ନଥିଲେ। ସେତେବେଳେ ମାତ୍ର ୧୨, ୬୭୪ ଖଣ୍ଡ ଭୋଟ୍‌ ପାଇଥିଲେ। ୨୦୧୪ ନିର୍ବାଚନରେ ୧୦ ହଜାର ଅଧିକ ଭୋଟ ପାଇଥିଲେ ମଧ୍ୟ ତୃତୀୟ ସ୍ଥାନରେ ରହିବାକୁ ବାଧ୍ୟ ହୋଇଥିଲେ। ୨୦୧୯ରେ ଦଳ ପୁଣି ଭାଗୀରଥିଙ୍କୁ ଟିକେଟ ଦେଇଥିଲା। ବିଜେଡି ନୂଆ ଚେହେରା ଦେଇଥିବାରୁ ଲଢ଼େଇ ଜୋରଦାର ହେବ‌ ବୋଲି ଅନୁମାନ କରାଯାଉଥିଲା। ବିଜେପିର ଭୋଟ୍‌ ହାର ବଢ଼ି ୩୯,୦୭୦ ରେ ପହଞ୍ଚିଥିଲା। ତେବେ ବିଜେଡି ୪୭,୧୮୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା। ପ୍ରଥମ ଥର ପାଇଁ ଦ୍ବିତୀୟ ସ୍ଥାନକୁ ଉଠିଥିଲା ବିଜେପି।

ଗତ ୩ଟି ନିର୍ବାଚନରେ କଂଗ୍ରେସ ଓ ବିଜେଡି ସେମାନଙ୍କ ପ୍ରାର୍ଥୀ ବଦଳାଇଥିଲାବେଳେ ବିଜେପି କିନ୍ତୁ ଭାଗୀରଥିଙ୍କୁ ଟିକେଟ ଦେଇଥିଲା। ହେଲେ ଏ ଭିତରେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ଦଳ ବି ତାଙ୍କୁ ସାଙ୍ଗଠନିକ ଦାୟିତ୍ବ ଦେଇଛି। ଭାଗୀରଥି ଏକପ୍ରକାର ନିଷ୍କ୍ରିୟ ହୋଇଯାଇଥିଲାବେଳେ ଗତ ପୌର ଓ ପଞ୍ଚାୟତ ନିର୍ବାଚନ ସଂଜୀବଙ୍କ ନେତୃତ୍ବରେ ଲଢ଼ିଥିଲା ବିଜେପି। ଦଳୀୟ ସମାବେଶରେ ବି ସେ ନେତୃତ୍ବ ନେଉଥିଲେ। ତେଣୁ ଆସନ୍ତା ନିର୍ବାଚନରେ ବିଜେପି ଟିକେଟ ସଂଜୀବଙ୍କୁ ମିଳିବ ବୋଲି ଅନୁମାନ କରାଯାଉଥିଲା। ଆଉ ଇତିମଧ୍ୟରେ ଗଣମାଧ୍ୟମରେ ପ୍ରକାଶିତ ଦଳୀୟ ବିଜ୍ଞାପନ ଏହାକୁ ସ୍ପଷ୍ଟ କରି ଦେଇଛି। ଏହି ବିଜ୍ଞାପନରେ ଦଳର କେନ୍ଦ୍ର ଓ ରାଜ୍ୟ ନେତୃତ୍ବଙ୍କ ଫଟୋ ସହିତ ଅନୁଗୁଳ ଜିଲ୍ଲାର ନେତାଙ୍କ ଫଟୋ ରହିଛି। ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନ, ଅନୁଗୁଳର ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେରର ପୂର୍ବତନ ପ୍ରାର୍ଥୀ କାଳନ୍ଦୀ ସାମଲ, ପାଳଲହଡ଼ାର ପୂର୍ବତନ ପ୍ରାର୍ଥୀ ‌ଅଶୋକ ମହାନ୍ତି ଓ ଛେଣ୍ଡିପଦାର ପୂର୍ବତନ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ଫଟୋ ରହିଛି। କିନ୍ତୁ ଆଠମଲ୍ଲିକର ପୂର୍ବତନ ବିଧାୟକ ପ୍ରାର୍ଥୀ ଭାଗୀରଥି ପ୍ରଧାନଙ୍କ ବଦଳରେ ସଂଜୀବ ସାହୁଙ୍କ ଫଟୋ ଲାଗିଛି।

ସେହିପରି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଫଟୋ ନାହିଁ। ଅନୁଗୁଳ ଜିଲ୍ଲାର ଦୁଇଟି ବିଧାନସଭା ଆସନ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ରହିଥିଲେ ମଧ୍ୟ ତାଙ୍କ ଫଟୋ ହଟେଇ ଦିଆଯାଇଥିବା ନୂଆ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏଥିନେଇ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଡିଲେଶ୍ବର ପ୍ରଧାନ କହିଛନ୍ତି ଯେ ସଂଜୀବ ସାହୁଙ୍କୁ ଏବେ ସଂଗଠନ ଦାୟିତ୍ବ ଦିଆଯାଇଛି। ଭାଗୀରଥି ପ୍ରଧାନ ମଧ୍ୟ ଦଳ ଲାଗି କାମ କରୁଛନ୍ତି। ନିର୍ବାଚନ ସମୟରେ ଟିକେଟ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button