ଓଡ଼ିଶାର ଗାଁ ଓ ଆଦିବାସୀ ଅଞ୍ଚଳରେ ପହଞ୍ଚୁ ଉଦ୍ୟୋଗୀତା: ରାଜ୍ୟପାଳ

ଭୁବନେଶ୍ୱର, ୧୨ ଅଗଷ୍ଟ: ଓଡ଼ିଶାର ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳକୁ ଉଦ୍ୟୋଗୀତାର ପରିସର ବଢ଼ାଇବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି। ସମାବେଶୀ ବିକାଶ ପାଇଁ ଯୁବକ-ଯୁବତୀ, ମହିଳା, କାରିଗର ଓ ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କ ପାଇଁ ରାଜ୍ୟର ସବୁ ଅଞ୍ଚଳରେ ସୁଯୋଗ ସୃଷ୍ଟି ହେବା ଆବଶ୍ୟକ ବୋଲି ସେ କହିଛନ୍ତି।ବୁଧବାର ଭୁବନେଶ୍ୱରରେ ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ୍ ଆଣ୍ଡ ମିଡିୟମ୍ ଏଣ୍ଟରପ୍ରାଇଜେସ୍ (OASME)ର ୪୧ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ-୨୦୨୬ରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି।
ରାଜ୍ୟପାଳ କହିଛନ୍ତି, “ବିକାଶକୁ କେବଳ ଶିଳ୍ପର ଆକାର କିମ୍ବା ନିବେଶର ପରିମାଣରେ ମାପିବା ଉଚିତ ନୁହେଁ। ଲୋକଙ୍କ ପାଇଁ କେତେ ସୁଯୋଗ ସୃଷ୍ଟି କରିପାରୁଛୁ, ତାହା ହିଁ ବିକାଶର ପ୍ରକୃତ ମାପଦଣ୍ଡ।” ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟ ହାସଲ ପାଇଁ ଉଦ୍ୟୋଗୀତାକୁ ରାଜ୍ୟର ପ୍ରତ୍ୟେକ କୋଣରେ ପହଞ୍ଚାଇବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। MSME କ୍ଷେତ୍ରକୁ ଲୋକଙ୍କ ଆକାଂକ୍ଷାକୁ ବାସ୍ତବ ରୂପ ଦେବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଛନ୍ତି, ଏହା କେବଳ ଅର୍ଥନୀତିର ଏକ ଅଂଶ ନୁହେଁ; ବରଂ ରୋଜଗାର, ଜୀବିକା ଓ ଆର୍ଥିକ ସୁଯୋଗ ସୃଷ୍ଟିର ଏକ ପ୍ରମୁଖ ଉତ୍ସ। ବଡ଼ ସହର ବାହାରେ ଛୋଟ ସହର, ଗାଁ, ଆଦିବାସୀ ଅଞ୍ଚଳ ଓ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଉଦ୍ୟୋଗୀତାର ବିକାଶ ହେବା ଆବଶ୍ୟକ।
ସେ କହିଛନ୍ତି, MSME କ୍ଷେତ୍ର ଓଡ଼ିଶାର ପାରମ୍ପରିକ ଦକ୍ଷତାକୁ ଆଧୁନିକ ଆକାଂକ୍ଷା ସହ ଯୋଡ଼ିବାରେ ସେତୁ ଭଳି କାର୍ଯ୍ୟ କରୁଛି। କାରିଗରଙ୍କୁ ବିଶ୍ୱ ବଜାର ସହ ଯୋଡ଼ିବା, କୃଷିଜାତ ଉତ୍ପାଦକୁ ମୂଲ୍ୟଯୁକ୍ତ ଶିଳ୍ପ ସହ ସଂଯୋଗ କରିବା ଏବଂ ସ୍ଥାନୀୟ ଦକ୍ଷତାକୁ ଆଧୁନିକ ପ୍ରଯୁକ୍ତି ସହ ଯୋଡ଼ିବାରେ MSMEର ଗୁରୁତ୍ୱ ରହିଛି।
ଓଡ଼ିଶାର MSME ପରିବେଶକୁ ସୁଦୃଢ଼ କରିବା ଦିଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି। MSME ପାଇଁ ସୁଧ ଫେରସ୍ତ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ସହାୟତା, MSME କ୍ଲଷ୍ଟର ଏବଂ ଉଦ୍ୟୋଗୀତା ଓ ପ୍ରଯୁକ୍ତି ଗ୍ରହଣକୁ ପ୍ରୋତ୍ସାହନ ଭଳି ପଦକ୍ଷେପର ସେ ଉଲ୍ଲେଖ କରିଛନ୍ତି।
ସରକାରୀ ସହାୟତା ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇ ଜିଲ୍ଲାସ୍ତରରେ ସୁବିଧା କେନ୍ଦ୍ର, ସଚେତନତା, ହ୍ୟାଣ୍ଡହୋଲ୍ଡିଂ ଓ ସ୍ଥାନୀୟ ଉଦ୍ୟୋଗୀତା କେନ୍ଦ୍ରକୁ ସୁଦୃଢ଼ କରିବାକୁ ସେ ସରକାର, ଆର୍ଥିକ ସଂସ୍ଥା ଓ ଶିଳ୍ପ ସଂଘଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଉଦ୍ୟୋଗୀମାନଙ୍କୁ ସହଜରେ ଋଣ, ପ୍ରଯୁକ୍ତି, ପ୍ରଶିକ୍ଷଣ ଓ ବଜାର ସୁବିଧା ମିଳିବା ଆବଶ୍ୟକ ବୋଲି ସେ କହିଛନ୍ତି। ଜାତୀୟସ୍ତରରେ ଉଦ୍ୟୋଗୀତା, ଉତ୍ପାଦନ ଓ ଆତ୍ମନିର୍ଭରତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଉଥିବା ଗୁରୁତ୍ୱକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଛନ୍ତି। PMEGP, MUDRA, CGTMSE, Startup India, Stand-Up India, PM Vishwakarma, RAMP ଓ MSME Champions ଭଳି ବିଭିନ୍ନ ଯୋଜନାର ସୁଯୋଗ ନେବାକୁ ସେ ଆହ୍ୱାନ ଦେଇଛନ୍ତି।
OASMEର କ୍ଲଷ୍ଟର ବିକାଶ, ସାଧାରଣ ଭିତ୍ତିଭୂମି, ପ୍ରଯୁକ୍ତି ଗ୍ରହଣ, ଦକ୍ଷତା ବିକାଶ, ବଜାର ସଂଯୋଗ, ଶିଳ୍ପ ପ୍ରଦର୍ଶନୀ ଓ କ୍ରେତା-ବିକ୍ରେତା ସମ୍ମିଳନୀ ଆୟୋଜନ ଭଳି କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଓଡ଼ିଶାର ଦୁର୍ଗମ ଅଞ୍ଚଳରେ MSME ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ସ୍ଥାନୀୟ ଶିଳ୍ପ ପରିବେଶ, କ୍ଲଷ୍ଟର, ଯୋଗାଯୋଗ ବ୍ୟବସ୍ଥା, ଦକ୍ଷତା, ଅର୍ଥ ଓ ବଜାର ସଂଯୋଗକୁ ମଜବୁତ କରିବାକୁ ରାଜ୍ୟପାଳ କହିଛନ୍ତି। ଆଧୁନିକ ମେସିନ୍, ଡିଜିଟାଲ ଟୁଲ୍, କୃତ୍ରିମ ବୁଦ୍ଧିମତ୍ତା, ଅକ୍ଷୟ ଶକ୍ତି, ଗୁଣବତ୍ତା ପ୍ରମାଣପତ୍ର ଓ ବର୍ଜ୍ୟବସ୍ତୁ ହ୍ରାସ ଭଳି ପଦକ୍ଷେପ ଗ୍ରହଣ କରି MSMEଗୁଡ଼ିକୁ ଅଧିକ ଉତ୍ପାଦନକ୍ଷମ ଓ ସ୍ଥାୟୀ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଷ୍ଟାର୍ଟଅପ୍, ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଓ ପ୍ରତିଷ୍ଠିତ MSME ମଧ୍ୟରେ ଅଧିକ ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି। ଏହା ମାଧ୍ୟମରେ ସ୍ଥାନୀୟ ପ୍ରତିଭା ଓ ଚିନ୍ତାଧାରାକୁ ବିଶ୍ୱସ୍ତରୀୟ ଉତ୍ପାଦରେ ପରିଣତ କରାଯାଇପାରିବ।
ପଶ୍ଚିମ ଏସିଆର ଭୂ-ରାଜନୈତିକ ତଣାପୋଡ଼ ଏବଂ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ଭାରତର ନିର୍ଭରଶୀଳତା ପ୍ରସଙ୍ଗ ଉଠାଇ ରାଜ୍ୟପାଳ ସ୍ଥାୟୀ ଯାତାୟାତ ବ୍ୟବସ୍ଥା ଓ ବୈଦ୍ୟୁତିକ ଯାନ ବ୍ୟବହାର ଦିଗରେ ଆଗେଇବାକୁ MSMEଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଏହା ଆମଦାନୀକୃତ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ସହ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ତାଙ୍କ ସରକାରୀ କାରକେଡ୍ରେ ମଧ୍ୟ ବୈଦ୍ୟୁତିକ ଯାନ ବ୍ୟବହାର ଆରମ୍ଭ ହୋଇଥିବା ସେ ସୂଚନା ଦେଇଥିଲେ। ଏଥିସହ ଛାତ ଉପରେ ସୋଲାର ପ୍ୟାନେଲ୍ ସ୍ଥାପନ କରି ସ୍ୱଚ୍ଛ ଶକ୍ତି ଉତ୍ପାଦନ ପାଇଁ ସେ ଆହ୍ୱାନ ଦେଇଛନ୍ତି।
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଗୃହ ଓ I&PR ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, MSME ବିଭାଗର କମିଶନର-କମ୍-ସଚିବ ରଶ୍ମିତା ପଣ୍ଡା, Chief Corporate Stratagist ପାର୍ଥ ପଟ୍ଟନାୟକ , NALCOର CMD ବିଜେନ୍ଦ୍ର ପ୍ରତାପ ସିଂହ ଏବଂ OASMEର ସେକ୍ରେଟାରୀ ଜେନେରାଲ୍ (ମାନଦ) ସାତ୍ତ୍ୱିକ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। OASME ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।




