ମହାସମାରୋହରେ ତେରୁଆଁ ଗାଁରେ ସରିଲା ମାଆ ତାରିଣୀଙ୍କ ବିଶ୍ୱ ଶାନ୍ତି ମହାଯଜ୍ଞ

ନଡ଼ିଆ ରାଣୀ ମାଆ ତାରିଣୀଙ୍କ ମହିମା ଅପାର । ସିନ୍ଦୁର ମୁହିଁ ସେ ଦୁଃଖ ହାରିଣୀ । କରୁଣାମୟୀ ସେ ମାଆ ତାରିଣୀ । ତାଙ୍କ ଶରଣରେ ସବୁ ଦୁଃଖ ଦୂର ହୁଏ । ଭକ୍ତର ମନବାଞ୍ଛା ପୂରଣ କରନ୍ତି ମାଆ । ଏହି ପରିପେକ୍ଷୀରେ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଳକ୍ ଅନ୍ତର୍ଗତ ହରିୟନ୍ତା ପଂଚାୟତର ବିଲ ତେରୁଆଁ ଗ୍ରାମଠାରେ ମାଆ ତାରିଣୀଙ୍କ ୧୫ତମ ବିଶ୍ୱ ଶାନ୍ତି ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଉତ୍ସବର ପ୍ରାରମ୍ଭରେ ଏକ ବିରାଟ କଳସ ଶୋଭାଯାତ୍ରାରେ ଭକ୍ତ ମାନେ ଡଗରା ସାହି ନଦୀ କୂଳରୁ ଜଳ ଅଣାଯାଇଥିଲା । ଏହାପରେ ମାଆ ତାରିଣୀଙ୍କ ନିକଟରେ ପ୍ରଥମେ ଅଙ୍କୁରାରୋପଣ ଏବଂ ଅଖଣ୍ଡ ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପରେ, ସୂର୍ଯ୍ୟ ପୂଜା, ଗୋ ପୂଜା, ମଣ୍ଡଳାଦି ପୂଜା ସମାପନ ହୋଇଥିଲା ।
ଏହି ବିଶ୍ୱ ଶାନ୍ତି ମହାଯଜ୍ଞ ଅବସରରେ ମାଆଙ୍କ ନିକଟରେ ଏକ ବିରାଟ ଯଜ୍ଞ ଅନୁଷ୍ଠିତ ହେବା ସହିତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ବିଲତେରୁଆଁ ପୂଜା କମିଟି ପକ୍ଷରୁ କରାଯାଇଥିଲା । ଏହି ଉତ୍ସବରେ ଅଂଚଳର ପ୍ରାୟ ପାଞ୍ଚ ହଜାରୁ ଅଧିକ ଶ୍ରଦ୍ଧାଳୁ ମାନେ ଯୋଗ ଦାନ କରିବା ସହିତ ମାଆ ତାରିଣୀଙ୍କ ଆଶିଷ ଲାଭ କରିଥିବା ଦେଖିବାକୁ ମିଳିଥିଲା ।



