ବାଂଲାଦେଶରେ ହିଂସାତ୍ମକ ପ୍ରଦର୍ଶନ, ଓସମାନ ହାଦିଙ୍କ ମୃତ୍ୟୁ ପରେ ରଣକ୍ଷେତ୍ର ପାଲଟିଛି ଢାକା

ବାଂଲାଦେଶ ଅନେକ ସହର ଜଳୁଛି । ଓସମାନ ହାଦିଙ୍କ ମୃତ୍ୟୁ ପରେ ରଣକ୍ଷେତ୍ର ପାଲଟିଛି ଢାକା । ବାଂଲାଦେଶର ଜଣାଶୁଣା ନେତା ତଥା ଇନକିଲାବ ମଞ୍ଚର ପ୍ରବକ୍ତା ଓସମାନ ହାଦିଙ୍କର ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଗତ ୧୨ ଡିସେମ୍ବରରେ ତାଙ୍କୁ ଢାକାରେ ଗୁଳିମାଡ଼ ହୋଇଥିଲା ।
ହାଦିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗତକାଲିଠୁ ସାରା ବାଂଲାଦେଶରେ ହିଂସାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଦର୍ଶନକାରୀମାନେ ଢାକା ବିଶ୍ୱବିଦ୍ୟାଳୟ ଓ ଶାହାବାଗ୍ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇ ହଙ୍ଗାମା କରିଛନ୍ତି । ପ୍ରଦର୍ଶନକାରୀ ଭାରତୀୟ ପ୍ରତିଷ୍ଠାନକୁ ଟାର୍ଗେଟ କରିଛନ୍ତି । ବାଂଲାଦେଶର ପ୍ରମୁଖ ଖବରକାଗଜ ‘ଡେଲି ଷ୍ଟାର’ ଓ ‘ପ୍ରଥମ ଆଲୋ ଅଫିସରେ ନିଆଁ ଲଗାଇ ଦେଇଛନ୍ତି । ଭାରତୀ ବିରୋଧୀ ନାରା ଦେବା ସହ ଚଟଗାଓଁରେ ଥିବା ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟ ଉପରକୁ ଢେଲାମାଡ଼ କରିଛନ୍ତି ପ୍ରଦର୍ଶନକାରୀ ।
ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଢାକା ସହରର ବିଭିନ୍ନ ସ୍ଥାନରେ ସେନା ମୁତୟନ ହୋଇଛନ୍ତି । ସେପଟେ ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଘଟଣାକୁ ଅପୂରଣୀୟ କ୍ଷତି ବୋଲି କହିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପିଲ୍ କରିଛନ୍ତି ।
୨୦୨୪ ବାଂଲାଦେଶ ବିଦ୍ୟାର୍ଥୀ ଆନ୍ଦୋଳନର ଜଣେ ପ୍ରମୁଖ ଚେହେରା ଥିଲେ ଓସମାନ ହାଦି । ଭାରତ ବିରୋଧୀ ଏବଂ ଆୱାମୀ ଲିଗ୍ ବିରୋଧୀ ଆଭିମୁଖ୍ୟ ପାଇଁ ସେ ଜଣାଶୁଣା ଥିଲେ । ହସିନା ସରକାର ପତନ ପଛରେ ହାଦିଙ୍କ ମୁଖ୍ୟ ଭୂମିକା ଥିଲା । ୨୦୨୬ ଫେବୃଆରୀରେ ହେବାକୁ ଥିବା ନିର୍ବାଚନ ପାଇଁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରଚାର କରୁଥିବା ବେଳେ ତାଙ୍କ ଉପରକୁ ଆତତାୟୀମାନେ ଆକ୍ରମଣ କରିଥିଲେ ।




