ଝିଅ ପାଇଁ ଯୋଦ୍ଧା ସାଜିଲେ ଭିନ୍ନକ୍ଷମ ମା’, ରାସ୍ତାରେ ଚଲେଇଲେ ଇ-ରିକ୍ସା

ଯେଉଁଦିନ ଯେତିକି ଯାତ୍ରୀ ମିଳନ୍ତି ତାକୁ ନେଇ ମୁଁ ଖୁସି । ସବୁଦିନ ସମାନ ଯାଏ ନାହିଁ । ଭଗବାନ ଦିନା ନା ଦିନେ ମୋ ଦୁଃଖ ଶୁଣିବେ…ଏହି ବିଶ୍ୱାସରେ ମୁଁ ଚାଲିଛି ।’ ଏକଥା ଆମେ କହୁନୁ ଏ କଥା ଗୋଟିଏ ଅସହାୟ ମା’ର ….ଯିଏ ଶାରିରୀକ ଭାବରେ ଭିନ୍ନକ୍ଷମ । ସେ ଭିନ୍ନକ୍ଷମ ସତ, କିନ୍ତୁ ଜୀବନ ଯୁଦ୍ଧରେ ସେ ଜଣେ ଦିଗବିଜୟୀ ଯୋଦ୍ଧା । ନିଜର ଅସହାୟତା ଦେଖାଇ କାହାର ଦୟା ସାଉଁଟି ନାହାନ୍ତି । ଡରିବାର ନାହିଁ…ଲଢିବାର ଅଛି ଏହା ହେଉଛି ତାଙ୍କ ଜୀବନର ମନ୍ତ୍ର । ସ୍ୱାଭିମାନର ସହ ବଞ୍ଚିବେ ଆଉ ଝିଅକୁ ପାଠ ପଢାଇ ମଣିଷ କରିବେ ଏହି ଲକ୍ଷ୍ୟ ନେଇ ସେ ଜୀବନରେ ଆଗେଇ ଚାଲିଛନ୍ତି । ଆମେ କହୁଛୁ ହରିୟାଣା ଫରିଦାବାଦ ଜିଲ୍ଲାର ହରେକଶ ନଗର କଲୋନୀରେ ରହୁଥିବା ୩୭ ବର୍ଷୀୟ ଭିନ୍ନକ୍ଷମ ସୋନିଆଙ୍କ କଥା ।
ସୋନିଆ ଶାରୀରିକ ଭିନ୍ନକ୍ଷମ । ତାଙ୍କର ଗୋଟିଏ ଗୋଡ ଖରାପ । ସେ ଠିକ ଭାବେ ଛଡା ହୋଇ ପାରନ୍ତି ନାହିଁ କି ଚାଲି ପାରନ୍ତି ନାହିଁ । ସୋନିଆଙ୍କ ବୈବାହିକ ଜୀବନ ଆରମ୍ଭରୁ ଏମିତି ସଂଘର୍ଷମୟ ନ ଥିଲା । ପ୍ରାୟ ୧୫ ବର୍ଷ ତଳେ ସେ ବିବାହ କରିଥିଲେ ଅନିଲ ନାମକ ଜଣେ ଯୁବକଙ୍କୁ । ସ୍ୱାମୀ ପାଠ ପଢି ନ ଥିଲେ । ସଫେଇ କାମ କରୁଥିଲେ । ଯାହା ରୋଜଗାର କରୁଥିଲେ ସେଥିରେ ଘରେ ତେଲ ଲୁଣର ସଂସାର ଚାଲୁଥିଲା । କିଛିଦିନ ପରେ ସ୍ୱାମୀ ମଦ ପିଇବା ଆରମ୍ଭ କଲେ । ତା ପରେ ସୋନିଆଙ୍କ ଜୀବନରେ ଘୋଟିଆସିଲା କଳା ବାଦଲ । ଆରମ୍ଭ ହୋଇଥିଲା ସୋନିଆଙ୍କ ସଂଘର୍ଷ । ଘର ଚଳାଇବା ଆଉ ଝିଅକୁ ମଣିଷ କରିବା ପାଇଁ ରାସ୍ତାକୁ ଓହ୍ଳାଇଲେ ସୋନିଆ । ତାଙ୍କ ଏ ସଂଘର୍ଷର ସାଥୀ ଥିଲା ଇ-ରିକ୍ସା ।
ସୋନିଆ ଯେତେବେଳେ ନିଜ ଇ-ରିକ୍ସା ଧରି ରାସ୍ତାରେ ଯାଆନ୍ତି ତାଙ୍କ ମନରେ ନଥାଏ କେତେ ଦୂର ଯିବାର ଭୟ ଥାଏ ନା ଅସହାୟତାର ଭାବ ଥାଏ । ଗାଡି ଚଲାଇବା ତାଙ୍କ ସଉକ ନୁହେଁ ମଜବୁରୀ । ତଥାପି ତାଙ୍କ ମନରେ ଅଭିଯୋଗ ନାହିଁ କି ଅଭିମାନ ନାହିଁ । ସ୍ୱାମୀ ଯେତେବେଳେ ମଦ ପିଇବା ଆରମ୍ଭ କଲେ ତାଙ୍କ ଜୀବନ ବିପର୍ଯ୍ୟସ୍ତ ହୋଇ ପଡିଲା । ଘରେ ଅଭାବ ଯେତିକି ବଢିଲା, ସ୍ୱାମୀଙ୍କ ପାଚିତୁଣ଼୍ଡ, ମାରଧର ବି ସେତିକି ବଢିଲା । ଶେଷରେ ଘର ଦାୟିତ୍ୱ ସେ ନିଜ ଉପରକୁ ନେଲେ । ଫାଇନାନ୍ସରେ ଏକ ଇ-ରିକ୍ସା ଆଣି ଚଲେଇଲେ । ସକାଳ ୭ ଟାରୁ ଗାଡି ଧରି ସେ ବାହାରି ଆସନ୍ତି , ସଂନ୍ଧ୍ୟା ୭ଟା ଯାଏ ଗାଡି ଚଲାନ୍ତି । ମଝିରେ କିଛି ସମୟ ଘରକୁ ଖାଇବା ପାଇଁ ଆସିଥାନ୍ତି । ଏଥିରୁ ତାଙ୍କୁ ଦିନକୁ ୪୦୦ ରୁ ୫୦୦ ଟଙ୍କା ମିଳି ଯାଇଥାଏ । ଯେଉଁଥିରେ ତାଙ୍କ ଘର ଚଳେ । ୧୩ ବର୍ଷର ଝିଅ ତାଙ୍କର ୮ମ ଶ୍ରେଣୀରେ ପଢୁଛି । ତାକୁ ପାଠ ପଢାଇବେ ମଣିଷ କରିବେ-ଏଇ ଇଚ୍ଛାଶକ୍ତି ହିଁ ତାଙ୍କୁ କାମ କରିବାକୁ ବଳ ଯୋଗାଇଥାଏ ।
ତେବେ ରାଜରାସ୍ତାରେ ଗୋଟିଏ ଇ-ରିକ୍ସା ଚଲାଇବା ସାଧାରଣ କଥା ନୁହେଁ । କାରଣ କାମ କଲାବେଳେ ଅନେକ ପ୍ରତିବନ୍ଧକ ଆସେ । ସୋନିଆଙ୍କ ଜୀବନରେ ମଧ୍ୟ ଅନେକ ପ୍ରତିବନ୍ଧକ ଆସିଛି । କେହି କେହି କୁହନ୍ତି ସ୍ତ୍ରୀ ଲୋକ ହେଇ ଗାଡି କଣ ଚଲଉଛୁ….ଏପରକି ଗାଡି ରଖିବାକୁ ଦିଅନ୍ତି ନାହିଁ । ତଥାପି ସେ ହାର ମାନି ନାହାଁନ୍ତି । ଗାଡି ଚଲାଇବାବେଳେ ଟ୍ରାଫିକ ପୋଲିସ ବହୁତ ସହଯୋଗ କରନ୍ତି ବୋଲି କହନ୍ତି ସୋନିଆ ।
ତେବେ ସୋନିଆଙ୍କ ପାଖରେ ଭିନ୍ନକ୍ଷମ ସାର୍ଟିଫିକେଟ ଅଛି । ହେଲେ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ସେ ପାଉ ନାହାଁନ୍ତି । ଏପରିକି ଭିନ୍ନକ୍ଷମ ପେନସନ ବି ତାଙ୍କୁ ମିଳୁନି । ଏନେଇ ସହାୟତା ଯୋଗାଇ ଦେବା ପାଇଁ ସେ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।




