ପରିଣତ ବୟସରେ ବି କମୁନି ନିଶିଥଙ୍କ ଗାନ୍ଧୀ ପୂଜା ନିଶା, ଗାନ୍ଧୀ ପୁରୁଷ ଭାବେ ପରିଚୟ ଦେଇଛି ସହର

ପ୍ରତିବର୍ଷ ଅକ୍ଟୋବର ୨ ତାରିଖକୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ । ସମଗ୍ର ଭାରତ ବର୍ଷରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ସରକାରୀ ସ୍ତରରେ ଏହି ଦିବସକୁ ଧୁମଧାମରେ ପାଳନ କରାଯାଏ । କିନ୍ତୁ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଦେଖେଇବୁ ଯିଏ ଦୀର୍ଘ ୫୦ ବର୍ଷ ଧରି କେବଳ ଗାନ୍ଧୀଙ୍କୁ ପୂଜା କରିଆସନ୍ତି । ପ୍ରତ୍ୟେକ ଦିନ ଗାନ୍ଧୀଙ୍କ ପ୍ରତିମୂର୍ତିକୁ ସଫାସୁତୁରା କରିବା ସହିତ ଗାନ୍ଧୀ ବାଣିକୁ ପ୍ରଚାର କରିଥାନ୍ତି ।
ଆମେ କହୁଛୁ ଯାଜପୁର ପୌରପାଳିକା ଅନ୍ତର୍ଗତ ୮ ନମ୍ବର ୱାର୍ଡର ତାରାମଦନ ଗ୍ରାମର ନିବାସୀ ନିଶିଥ କୁମାର ଦାସଙ୍କ କଥା । ଆସନ୍ତୁ ଗାନ୍ଧୀ ଜୟନ୍ତୀ ଅବସରରେ ଦେଖିବା ଆମର ଏହି ସ୍ୱତନ୍ତ୍ର ରିପୋର୍ଟ । ଯାଜପୁର ତାରାମଦନ ଅଞ୍ଚଳର ନିଶିଥ କୁମାର ଦାସ । ବୟସ ୭୦ । କିନ୍ତୁ ଆଜିବି ଏହି ପରିଣତ ବୟସରେ ନିଶିଥଙ୍କ କମିନାହିଁ ଗାନ୍ଧୀ ପୂଜା ନିଶା । ଦୀର୍ଘ ୫୦ ବର୍ଷ ହେଲା ଗାନ୍ଧୀଙ୍କୁ ପୂଜା କରିବା ସହିତ ବିଭିନ୍ନ ସ୍କୁଲକୁ ବୁଲି ସେ ଗାନ୍ଧୀ ବାଣୀ ପ୍ରଚାର କରିଚାଲିଛନ୍ତି ।
ନିଶିଥଙ୍କ ପକେଟରେ ସବୁବେଳେ ରହିଥାଏ ଫୁଲ, କର୍ପୁର, ଧୂପ ଓ ଚକଲେଟ । ଯେଉଠି ଗାନ୍ଧୀଙ୍କ ପ୍ରତିମୂର୍ତି ଦେଖନ୍ତି ସଙ୍ଗେ ସଙ୍ଗେ ଧୁଆ ସଫା କରି ଆରମ୍ଭ କରିଦିଅନ୍ତି ପୂଜା । ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ଗାନ୍ଧି ପୁରୁଷ ଭାବେ ପରିଚୟ ଦେଇଛି ପୁରା ସହର । ଯାଜପୁର ସହରର ଗାନ୍ଧିଛକରେ ଥିବା ଗାନ୍ଧିଙ୍କ ବେକରେ ପଡିଥିବା ଶୁଖିଲା ଫୁଲ ମାଳରେ ପୋକ ସାଲୁ ବାଲୁ ଦେଖି ଦିନେ ତାଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ପ୍ରତିଦିନ ବଢ଼ି ଭୋରୁ ନିଶିଥ ଲାଗିପଡନ୍ତି ସହରରେ ଥିବା ଗାନ୍ଧୀ ମୂର୍ତି ସଫେଇ କାମରେ ।
ସେ ବିଭିନ୍ନ ସ୍କୁଲ ଓ ଛକମାନଙ୍କରେ ରହିଥିବା ଗାନ୍ଧୀ ମୂର୍ତି ଗୁଡିକୁ କେବଳ ସଫାସୁତୁରା କରନ୍ତି ନାହିଁ ବରଂ ନିଜ ଖର୍ଚ୍ଚରେ କିଣିଥିବା ସତେଜ ଫୁଲ ହାର ସେହି ପ୍ରତିମୂର୍ତ୍ତିରେ ଦେଇ ନମସ୍କାର ହୋଇଥାନ୍ତି । ଯେଉଁଥିପାଇଁ ଏବେ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ । ନିଶିଥ ଜଣେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅବସରପ୍ରାପ୍ତ କର୍ମଚାରୀ । ନିଜ ପୁଅ ଅନିଲର ଏକ ସଡକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା । ନିକଟ ଅତୀତରେ ପତ୍ନୀଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି ।
ପତ୍ନୀଙ୍କ ମୃତ୍ୟୁ ହୋଇଥିବା ସମୟରେ ବି ପ୍ରତିଦିନ ଭଳି ଗାନ୍ଧୀଙ୍କ ପୂଜା ସାରି ପତ୍ନୀଙ୍କ ଶେଷକୃତ୍ୟ କରିଥିଲେ ନିଶିଥ । ସେ ମଧ୍ୟ କେତେକ ବିଦ୍ୟାଳୟରେ ନିଜସ୍ୱ ଉଦ୍ୟମରେ ପ୍ରତିଷ୍ଠା କରିଛନ୍ତି ଗାନ୍ଧି ପ୍ରତିମୂର୍ତି । ଏଥିସହିତ ବିଭିନ୍ନ ବିଦ୍ୟାଳୟକୁ ଯାଇ ସେଠାରେ ସ୍ବଚ୍ଛତା ବାର୍ତା ଦେବା ସହ ନିଜେ ସଫେଇ କରିବା ସହିତ ଗାନ୍ଧୀଙ୍କ ବାଣୀକୁ ପ୍ରଚାର କରି ଛୋଟ ଛୋଟ ଛାତ୍ର ଛାତ୍ରୀଙ୍କୁ ଚକୋଲେଟ ଉପହାର ଦେଇଥାନ୍ତି । ଏଭଳି ଜଣେ ନିଆରା ମଣିଷ ଭାବେ ନିଶିଥ ସମଗ୍ର ଜିଲ୍ଲାରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।
ଏପରିକି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ନିଶିଥଙ୍କୁ ଖୋଜାପଡେ । ଜିଲାପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ଗାନ୍ଧୀଙ୍କ ବାଣୀ ପ୍ରଚାର ମଧ୍ୟ କରିଥାନ୍ତି । ଅନ୍ୟପକ୍ଷରେ ଏଭଳି ବ୍ୟକ୍ତିଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା କରିବାକୁ ଦାବି କରିଛନ୍ତି ଯାଜପୁର ର ବୁଦ୍ଧିଜୀବୀ ମହଲ । ଦୀର୍ଘ ବର୍ଷ ହେଲା ନିରନ୍ତର ଭାବେ ଗାନ୍ଧୀଙ୍କୁ ପୂଜା କରି ଆସୁଥିବା ନିଶିଥ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏପରି କାମ କରିବେ ବୋଲି ମଧ୍ୟ ନିଷ୍ପତି ନେଇଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ ।




