ରାଜ୍ୟ

ପରିଣତ ବୟସରେ ଦଣ୍ଡ କାହିଁକି? ବର୍ଦ୍ଧିତ ଭତ୍ତା ଦେବେ‌ ବୋଲି ଦଉଡ଼ାଉଛନ୍ତି

ରାସୋଳ: ଗତ ଜୁଲାଇରେ ‌ଘୋଷଣା, ଜାନୁଆରିରେ କାର୍ଯ୍ୟକାରୀ। ୨୦ ଦିନ ତଳୁ ବର୍ଦ୍ଧିତ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ମିଳିଲାଣି। ହେଲେ ହିନ୍ଦୋଳ ବ୍ଲକ୍‌ରେ ଏ ଯାଏଁ ତଥ୍ୟ ସଂଗ୍ରହ ସରିନାହିଁ। ପ୍ରାଶାସନିକ ଅପାରଗତା ଓ ସରକାରୀ ନିର୍ଦ୍ଦେଶ ଆଳରେ ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ହଇରାଣ ହେଉଛନ୍ତି। ଲୋକଙ୍କୁ ଅଯଥା ବ୍ଲକ୍‌ କାର୍ଯ୍ୟାଳୟରେ ପୁଣିଥରେ କାଗଜପତ୍ର (ଡକ୍ୟୁମେଣ୍ଟ୍‌) ଦେବାକୁ ସରକାରୀ ଅଧିକାରୀ ବାଧ୍ୟ କରୁଥିବାବେଳେ ଏବେ ବି ଶହ ଶହ ହିତାଧିକାରୀ ଏହି ଯୋଜନାରୁ ବାଦ୍‌ ପଡ଼ିଛନ୍ତି। ତଳିଆ କର୍ମଚାରୀଙ୍କ ଏପରି କାମ ଯୋଗୁଁ ରାଜ୍ୟ ସରକାରଙ୍କ ଉପରେ ଅସ‌‌ନ୍ତୋଷ ଝାଡ଼ିଛନ୍ତି ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ହିତ‌ାଧିକାରୀ।

ସାମାଜିକ ସୁରକ୍ଷା ଯୋଜନାରେ ସହାୟତା ରାଶି ବୃଦ୍ଧି ହୋଇଛି। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍‌ଏସ୍‌ଏପି) ଓ ରାଜ୍ୟ ସରକାରଙ୍କ ନିଜସ୍ବ ମଧୁବାବୁ ପେନସନ୍‌ ‌ଯୋଜନା ହିତାଧିକାରୀ ଏହି ସୁବିଧା ପାଇବେ ବୋଲି ନିଷ୍ପତ୍ତି ହୋଇଛି। ସେହିକ୍ରମରେ ହିନ୍ଦୋଳ ବ୍ଲକ୍‌ରେ ପ୍ରାୟ ୧୮୦୦ ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଇବାକୁ ଯୋଗ୍ୟ ଥିଲେ। କିନ୍ତୁ ପ୍ରାଶାସନିକ ଅପାରଗତା ଯୋଗୁଁ ସେଥିମଧ୍ୟରୁ ଅଧା ହିତାଧିକାରୀ ଏଯାଏଁ ନୂଆ କରି ଲାଗୁ ବର୍ଦ୍ଧିତ ଭତ୍ତା ପାଇନାହାନ୍ତି। ମାତ୍ର ୯୨୩ ଜଣଙ୍କୁ ବ୍ଲକ୍‌ ପ୍ରଶାସନ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରୁଛି। ବାଦ୍‌ ପଡ଼ିଥିବା ହିତାଧିକାରୀ ପୁଣିଥରେ କାଗଜପତ୍ର ଦେଲେ ତାହା ଜିଲ୍ଲା କାର୍ଯ୍ୟାଳୟକୁ ପଠାଯିବ। ସେଠାରୁ ଭତ୍ତା ମଂଜୁର ହେବା ପରେ ସେମାନେ ଏହି ତାଲିକାରେ ସାମିଲ୍‌ ହେବେ ବୋଲି ବିଡିଓ କଲ୍ୟାଣ ସୌରଭ ଦାସ କହିଛନ୍ତି। ଏହାକୁ ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ହିତାଧିକାରୀଙ୍କ କହିବା କଥା, ନିର୍ବାଚନ ପୂର୍ବରୁ ସରକାର ସେମାନଙ୍କୁ ଭତ୍ତା ଦେଉଥିଲେ। ପୂର୍ବ ସରକାର ସମୟରେ ସେମାନେ ୧୨୦୦ ଟଙ୍କା ପାଉଥିଲେ।

ବର୍ଦ୍ଧିତ ଭତ୍ତା ଦେବେ‌ ବୋଲି ଦଉଡ଼ାଉଛନ୍ତି
ବ୍ଲକ୍‌ ପାଖରେ ତଥ୍ୟ, ତଥାପି ମାଗୁଛନ୍ତି କାଗଜପତ୍ର
ଅସୁସ୍ଥ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କୁ ବି ଛାଡ଼ୁନାହାନ୍ତି

ନୂଆ ହିତାଧିକାରୀ ଯୋଡ଼ିବା ବଦଳରେ ଯେଉଁମାନେ ଏହି ହିସାବରେ ଭତ୍ତା ପାଉଥିଲେ ସେମାନଙ୍କୁ କାହିଁକି ବଞ୍ଚିତ କରାଗଲା? ‌ବ୍ଲକ୍‌ ପ୍ରଶାସନ ପାଖରେ ସେମାନଙ୍କର ତଥ୍ୟ ରହିଛି। ପୁଣି ଥରେ ଡକ୍ୟୁମେଣ୍ଟ ଦେବାକୁ କହି କାହିଁକି ପ୍ରହସନ କରୁଛନ୍ତି? ଏପରିକି ଜାନୁଆରି ମାସରେ ଯେଉଁମାନେ ବର୍ଦ୍ଧିତ ଭତ୍ତା ପାଇନାହାନ୍ତି, ସେମାନଙ୍କୁ ଫେବ୍ରୁଆରି ମାସରେ ଆଉ ପିଛିଲା ଭାବେ ମିଳିବ କି ନାହିଁ, ତାହା ମଧ୍ୟ କେହି ସ୍ପଷ୍ଟ କରୁନାହାନ୍ତି। ୧୨୦୦ ଟଙ୍କା ଭତ୍ତା ସ୍ଲାବ୍‌ରେ ସାମିଲ୍‌ ଥିବା ହିତାଧିକାରୀଙ୍କ ମଧ୍ୟରୁ ହିନ୍ଦୋଳ ବ୍ଲକ୍‌ରେ ଆହୁରି ପ୍ରାୟ ୯୦୦ ହି‌ତାଧିକାରୀ ଭତ୍ତା ପାଇବାକୁ ଚାହିଁ ବସିଛନ୍ତି। ଲାଇଫ୍‌ ସାର୍ଟିଫିକେଟ୍‌, ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେବାକୁ ପ୍ରଶାସନ ପକ୍ଷରୁ କୁହାଯିବାରୁ ପୁରୁଣା ହିତାଧିକାରୀ ବ୍ଲକ୍‌ ଅଫିସ୍‌ ଦୌଡ଼ୁଛନ୍ତି। ପରିଣତ ବୟସରେ ଏଭଳି ଦଣ୍ଡ କାହିଁକି ବୋଲି ଅନେକ ପ୍ରଶ୍ନ କରିଛନ୍ତି। ଏପରିକି ଯେଉଁମାନେ ଭତ୍ତା ପାଇଛନ୍ତି, ସେମାନଙ୍କୁ କେଉଁ ଆଧାରରେ ଦିଆଗଲା ବୋଲି ଗାଁ ଗଣ୍ଡାରେ ହିତାଧିକାରୀ ପ୍ରଶ୍ନ ପଚାରି ନୟାନ୍ତ କରୁଛନ୍ତି।

ଅନ୍ୟପଟେ ଏହି ସମସ୍ୟା କେବଳ ହିନ୍ଦୋଳ ବ୍ଲକ୍‌ ନୁହେଁ, ସମଗ୍ର ରାଜ୍ୟର ସମସ୍ୟା ବୋଲି ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ସରକାର ନୂଆ ହିତାଧିକାରୀ ସାମିଲ୍‌ କରିବାକୁ ଚାହିଛନ୍ତି। କିନ୍ତୁ ବିଭାଗୀୟ ଚିଠିରେ ଏ ସମ୍ପର୍କିତ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇନି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ବର୍ଗର ସମସ୍ତ ହିତାଧିକାରୀଙ୍କ ତଥ୍ୟ ମଗାଯାଇଛି। ତେବେ ଯେଉଁମାନେ ଜାନୁଆରି ମାସ‌ର ଭତ୍ତା ପାଇନାହାନ୍ତି, ସେମାନେ ଫେବ୍ରୁଆରି ମାସରେ ୨ ମାସର ଭତ୍ତା ପାଇବେ କି ନାହିଁ, ସରକାର ସ୍ପଷ୍ଟ କଲେ ଜଣାପଡ଼ିବ ବୋଲି ସେ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button