ଦେଶ- ବିଦେଶ

ଓ୍ବାକଫ୍ ସଂଶୋଧନ ବିଲକୁ ଜେପିସିର ମଂଜୁରୀ, ଖୁବଶୀଘ୍ର ସଂସଦରେ ଆଗତ ହେବ

ନୂଆଦିଲ୍ଲୀ : ସଂସଦର ଯୁଗ୍ମ କମିଟି (ଜେପିସି) ସୋମବାର ଓ୍ଵାକଫ୍ ବିଲରେ ହୋଇଥିବା ପରିବର୍ତ୍ତନକୁ ଅନୁମୋଦନ କରିଛି। ସୋମବାର ବସିଥିବା ଚୂଡ଼ାନ୍ତ ବୈଠକରେ ସମସ୍ତ ୪୪ଟି ସଂଶୋଧନ ଉପରେ ଆଲୋଚନା ହୋଇଥିବା ଜେପିସି ସଭାପତି ଜଗଦମ୍ବିକା ପାଲ କହିଛନ୍ତି। ସେଥିମଧ୍ୟରୁ ଏନଡିଏ ସାଂସଦଙ୍କ ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବିରୋଧୀ ଦଳ ସଦସ୍ୟମାନେ ମଧ୍ୟ କିଛି ପ୍ରସ୍ତାବ ଦେଇଥିଲେ, କିନ୍ତୁ ମତଦାନ ସମୟରେ ତାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ୱାକଫ୍ (ସଂଶୋଧନ) ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି ବଜେଟ୍ ଅଧିବେଶନରେ ଏହାର ରିପୋର୍ଟ ଦାଖଲ କରିବ। ସଂସଦର ଶୀତକାଳୀନ ଅଧିବେଶନ ସମୟରେ କମିଟିର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଓ୍ଵାକଫ୍ ସମ୍ପତ୍ତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ଦିଷ୍ଟ ଓ୍ଵାକ୍ଫ ଆକ୍ଟ ୧୯୯୫କୁ ଅବ୍ୟବସ୍ଥା, ଦୁର୍ନୀତି ଓ ଜବରଦଖଲ ଭଳି ପ୍ରସଙ୍ଗରେ ସମାଲୋଚନା କରାଯାଇଛି।

ବୈଠକ ପରେ ଜେପିସି ସଭାପତି ଜଗଦମ୍ବିକା ପାଲ କହିଛନ୍ତି ଯେ କମିଟି ଦ୍ୱାରା ଗୃହୀତ ସଂଶୋଧନ ଆଇନକୁ ଅଧିକ ଉନ୍ନତ ଏବଂ ପ୍ରଭାବଶାଳୀ କରିବ। ତେବେ ବିରୋଧୀ ସାଂସଦମାନେ ବୈଠକର କାର୍ଯ୍ୟକୁ ନିନ୍ଦା କରିବା ସହ ପାଲ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି।

ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ ଏହି ପର୍ଯ୍ୟାୟ ବୈଠକ ହାସ୍ୟାସ୍ପଦ ଥିଲା। ଆମକଥା ଶୁଣାଗଲା ନାହିଁ। ପାଲ ଏକଛତ୍ରବାଦୀ ଢଙ୍ଗରେ କାର୍ଯ୍ୟ କରିଛନ୍ତି। ଏହାର ଜବାବରେ ପାଲ କହିଛନ୍ତି ଯେ ସମଗ୍ର ପ୍ରକ୍ରିୟା ଗଣତାନ୍ତ୍ରିକ ଏବଂ ସଂଖ୍ୟାଗରିଷ୍ଠଙ୍କ ମତାମତକୁ ପ୍ରାଥମିକତା ଦିଆଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button