ଘରେ ପଶି ସୈଫ୍ ଅଲ୍ଲୀ ଖାନ୍ଙ୍କୁ ଛୁରାମାଡ଼: ମେରୁଦଣ୍ଡ, ବେକ ଓ ହାତରେ ଗଭୀର କ୍ଷତ
ମୁମ୍ବାଇ: ଜାନୁଆରି ୧୬ ସକାଳେ ସୈଫ୍ ଅଲ୍ଲୀ ଖାନ୍ଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ୬ ଥର ଛୁରାମାଡ଼ କରିଛି। ଗୁରୁବାର ରାତି ପ୍ରାୟ ସାଢ଼େ ୨ଟା ବେଳେ ଏହି କାଣ୍ଡ ଘଟିଛି। ଅଭିନେତାଙ୍କୁ ତୁରନ୍ତ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଖାନ୍ ବିପଦମୁକ୍ତ ଅଛନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଆଜି ସକାଳେ ଲୀଲାବତୀ ହସ୍ପିଟାଲର ସିଓଓ ଡାକ୍ତର ନୀରଜ ଉତ୍ତମାନୀ କହିଛନ୍ତି ଯେ ସୈଫ୍ଙ୍କର ପ୍ଲାଷ୍ଟିକ୍ ସର୍ଜରି ସହ ଅଢ଼େଇ ଘଣ୍ଟାର ନ୍ୟୁରୋସର୍ଜରୀ କରାଯାଇଥିଲା। ଗୁରୁବାର ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଖାନଙ୍କ ମେରୁଦଣ୍ଡରେ ଛୁରାମାଡ଼ ହୋଇଥିଲା ଏବଂ ସେମାନେ ଲିକ୍ ହୋଇଥିବା ମେରୁଦଣ୍ଡର ତରଳ ପଦାର୍ଥକୁ ଉପଚାର କରିଛନ୍ତି।
ମେରୁଦଣ୍ଡ, ବେକ ଓ ହାତରେ ଗଭୀର କ୍ଷତ
ଲୀଳାବତୀ ହସ୍ପିଟାଲରେ ଅସ୍ତ୍ରୋପଚାର, ବିପଦମୁକ୍ତ
ଖାନଙ୍କ ହାତ ଓ ବେକରେ ଦୁଇଟି ଗଭୀର କ୍ଷତ ରହିଛି, ଯାହାକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି। ତେବେ ଅଭିନେତା ବର୍ତ୍ତମାନ ସମ୍ପୂର୍ଣ୍ଣ ବିପଦମୁକ୍ତ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି। ମୁମ୍ବାଇ କ୍ରାଇମବ୍ରାଞ୍ଚ ଓ ସ୍ଥାନୀୟ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି। ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ଆକ୍ରମଣ ପଛରେ ଥିବା ଜଣେ ସନ୍ଦିଗ୍ଧକୁ ଗିରଫ କରିଛି ଏବଂ ଫେରାର ହୋଇଯାଇଥିବା ଆକ୍ରମଣକାରୀର ଫଟୋ ଜାରି କରିଛି। କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ସୈଫ୍ ଅଲ୍ଲୀ ଖାନ୍ ଶୋଇଥିବା ବେଳେ ଅଜଣା ବ୍ୟକ୍ତି ଜଣକ ନିକଟବର୍ତ୍ତୀ କୋଠାରୁ କାନ୍ଥ ଡେଇଁ ଘର ଭିତରକୁ ପ୍ରବେଶ କରିଥିଲା। ସେ ଘରେ ପଶିବା ପରେ ତା’ ସହ ଅଭିନେତାଙ୍କର ଧସ୍ତାଧସ୍ତି ହୋଇଥିଲା। ପରେ ଦୁର୍ବୃତ୍ତ ଜଣକ ଖାନଙ୍କୁ ୬ ଥର ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସୈଫ୍ ଅଲ୍ଲୀ ଖାନଙ୍କ ଘରେ କାମ କରୁଥିବା ୩ ଜଣ କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି।