ପ୍ରଭାତ ତ୍ରିପାଠୀଙ୍କ ୭୧ତମ ଜୟନ୍ତୀ ପାଳିତ: ‘ପରିବର୍ତ୍ତନ ହେବାରୁ ଆଜି ମୁକ୍ତସ୍ବର ଶୁଭୁଛି’

ଭୁବନେଶ୍ବର: ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ୭୧ତମ ଜନ୍ମଜୟନ୍ତୀ ରେଡକ୍ରସ ଭବନରେ ପାଳିତ ହୋଇଯାଇଛି। ଯଜ୍ଞେଶ୍ବର ବାବୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ଏକାଠି ହୋଇଥିଲେ। ଜଣେ ସମାଜସେବୀ, ସମବାୟବିତ୍ ଓ ଶ୍ରମିକ ନେତାଭାବେ ପ୍ରଭାତ ବାବୁଙ୍କ ପରିଚୟ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ପୂର୍ବତନ ବିଧାୟକ ଅମର ଶତପଥୀ କହିଥିଲେ ଯେ ଜୁନ୍ ୪ ତାରିଖ ପୂର୍ବରୁ ଏଭଳି ଏକ ମଞ୍ଚରେ ଏକାଠି ହେବା ହୁଏତ ସମ୍ଭବ ହୋଇ ନ ଥାନ୍ତା। ପରିବର୍ତ୍ତନ ଧାରାରେ ଓଡ଼ିଶା ଚାଲିବାରୁ ଆମେମାନେ ଏକାଠି ହୋଇ ମୁକ୍ତ ସ୍ବର କହିପାରୁଛୁ। ଏହି ଅବସରରେ ଶ୍ରୀ ଶତପଥୀ ଜରୁରିକାଳୀନ ପରିସ୍ଥିତିର ସ୍ମୃତିଚାରଣ କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଲେ, ଛାତ୍ର ଜୀବନରୁ ପ୍ରଭାତ ବାବୁ ସହ ସଂପର୍କ ରହିଛି। ଜରୁରୀ ପରିସ୍ଥିତରେ କାରାବରଣ କରିବାଠାରୁ ଆଜି ପର୍ଯ୍ୟନ୍ତ ତାଙ୍କର ଲୋକସଂପର୍କ ବଜାୟ ରହିଛି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ପ୍ରଭାତ ବାବୁ ୭୧ବର୍ଷରେ ପଦାର୍ପଣ କରିଥିଲେ ହେଁ ତାଙ୍କଠାରେ ୧୭ବର୍ଷର ଯୁବକ ସୁଲଭ ଚଞ୍ଚଳତା ଅଛି। ଈଶ୍ବରଙ୍କ ଆଶୀର୍ବାଦ ନ ଥିଲେ ଏହା ସମ୍ଭବ ହୋଇ ନ ଥାନ୍ତା। ୬୦ବର୍ଷ ପରେ ନୂଆ ଏକ ଜୀବନରେ ପାଦ ଦେବା ଭଳି ମନେ କରିବା ଉଚିତ୍। ସବୁବେଳେ ଯୋଗ୍ୟତା ଅନୁସାରେ ଉପହାର ମିଳେନାହିଁ।
ଅତୀତରେ ଯାହା ହୋଇପାରିନାହିଁ ସେ ବିଷୟରେ ଚିନ୍ତା ନ କରି ଆଗକୁ କ’ଣ ହେବାକୁ ଅଛି ତାହା ଉପରେ ଅଧିକ ଚିନ୍ତା କରିବା ଦରକାର। ଟି-ଟ୍ବେଣ୍ଟି ଖେଳାଳି ଯେପରି ଅଳ୍ପ ବଲ୍ରେ ଅଧିକ ରନ୍ କରିବାକୁ ଚେଷ୍ଟା କରେ ସେଭଳି ପ୍ରଭାତ ବାବୁ ନିଜର ଅବଶିଷ୍ଟ ଜୀବନରେ ଅଧିକରୁ ଅଧିକ ଚଳଚଞ୍ଚଳ ରହି ଲୋକମାନଙ୍କ ସେବା କରିବା ଜାରି ରଖନ୍ତୁ। ଆଜିର ଓଡ଼ିଶାର ନେତୃତ୍ବର ସଙ୍କଟ ସବୁକ୍ଷେତ୍ରରେ ଦେଖାଦେଇଛି। ନେତୃତ୍ବ କିଭଳି ସବୁ କ୍ଷେତ୍ରରେ ତିଆରି ହୋଇପାରିବ ସେଥିପାଇଁ ଦୃଢ଼ ସଂକଳ୍ପ ନିଅନ୍ତୁ। ମାଟି ମନସ୍କ ହୋଇ କାର୍ଯ୍ୟ କଲେ ପାର୍ଟିଗୁଡ଼ିକ ଆପେ ଆପେ ସୁଧୁରିଯିବେ। କାରଣ ଆଜିକାଲି ପାର୍ଟିଗୁଡ଼ିକ କ୍ରୀତଦାସମାନଙ୍କୁ ନେଇ ସଂଗଠନ କରିବାକୁ ଚାହୁଛନ୍ତି। କୌଣସି ଜାତି, ପାର୍ଟି କିମ୍ବା ସଂଗଠନ କ୍ରୀତାଦାସମାନଙ୍କୁ ନେଇ ହୋଇପାରେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ।
ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଲେ, ମୋର ରାଜନୈତିକ ଜୀବନର ଅନ୍ତୁଡ଼ିଶାଳ ହେଉଛି ପ୍ରଭାତ ବାବୁଙ୍କ ଭୁବନେଶ୍ବର କ୍ବାର୍ଟର୍ସ। ସବୁ ରାଜନୈତିକ ସୀମାରେଖା ଡେଇଁ ସବୁବେଳେ ତାଙ୍କ ସହ ପରାମର୍ଶ କରେ ଓ ତାଙ୍କର ରାଜନୈତିକ ଶୁଭେଚ୍ଛୁଭାବେ କାମ କରିଥାଏ ବୋଲି ଶ୍ରୀ ଜଗଦ୍ଦେବ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ ତ୍ରିପାଠୀ, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ, ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ସୁଶାନ୍ତ ରାଉତ, ଫିସ୍ଫେଡ୍ର ପୂର୍ବତନ ଅଧ୍ୟକ୍ଷ ଅସୀତ ପଟ୍ଟନାୟକ, ବରିଷ୍ଠ ନେତା ଯଜ୍ଞେଶ୍ବର ବାବୁ, ଦେବୀ ପୃଷ୍ଟି, ଶ୍ରଦ୍ଧାଞ୍ଜଳି ରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଡମପଡ଼ା ବ୍ଲକ୍ ଅଧ୍ୟକ୍ଷ ପ୍ରଣବ ପଟେଲ ସଭା ପରିଚାଳନା କରିଥିବା ବେଳେ ରବି ସାମଲ ଧନ୍ୟବାଦ ଦେଇଥିଲେ।