ଖେଳ ଖବର

ଗାବାରେ ବର୍ଷା: କେବଳ ୧୩.୨ ଓଭର ଖେଳ

ବ୍ରିସବେନ୍: ଗାବା ଟେଷ୍ଟ୍‌ର ପ୍ରଥମ ଦିନରେ ବର୍ଷା ରାଜୁତି କରିଛି। ଶନିବାର ସକାଳେ ମାତ୍ର ୫.୩ ଓଭର ପରେ ବର୍ଷା ହୋଇ ଅଧଘଣ୍ଟା ପରେ ଛାଡ଼ି ଯାଇଥିଲା। ସ୍ଥାନୀୟ ସମୟ ୧୧ଟା ୧୫ରେ ପୁନର୍ବାର ଖେଳ ଆରମ୍ଭ ହେବା ପରେ କେବଳ ୭.୫ ଓଭରର ଖେଳ ସମ୍ଭବ ହୋଇଥିଲା। ଘଡ଼ଘଡ଼ି ଗର୍ଜନ ସହ ଲଗାଣ ବର୍ଷା ପାଇଁ ଦୁଇଟି ପର୍ଯ୍ୟା‌ୟକୁ ମିଶାଇ ମୋଟ ୧୩.୨ ଓଭର ପରେ ଆଉ ଖେଳ ସମ୍ଭବ ହୋଇ ନଥିଲା। ବାଧ୍ୟହୋଇ ଅମ୍ପାୟାର ପ୍ରଥମ ଦିନ ଖେଳକୁ ସଂପୂର୍ଣ୍ଣ ବାତିଲ କରି ଦେଇଥିଲେ। ପୂର୍ବରୁ ‌ମେଘାଚ୍ଛନ୍ନ ଆକାଶ ଓ କୋହଲା ପାଗରୁ ଫାଇଦା ଉଠାଇବା ଲାଗି ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଉଦ୍ଦେଶ୍ୟ ଥିଲା ପାଗ ଓ ପରିବେଶରୁ ସହଯୋଗ ନେଇ ପ୍ରଥମ ଅଧଘଣ୍ଟା ଭିତରେ ଅଷ୍ଟ୍ରେଲିଆର ଗୋଟିଏ କିମ୍ବା ଦୁଇଟି ୱିକେଟ୍ ଝାଡ଼ିବା। ହେଲେ ଭାରତୀୟ ଦ୍ରୁତ ବୋଲର ମାତ୍ରାଧିକ ସର୍ଟ ପିଚ୍ ବୋଲିଂ କରିବା ଏବଂ ବାରମ୍ବାର ବର୍ଷା ବ୍ୟାଘାତ ପାଇଁ ଏକାଗ୍ରତା ହରାଇବା ଯୋଗୁ ଏହା ସମ୍ଭବ ହୋଇ ନଥିଲା। ଷଷ୍ଠ ଓଭରରୁ ଏବଂ ୧୩.୨ ଓଭର ଭିତରେ ଭାରତୀୟ ବୋଲର ଅବଶ୍ୟ ମାତ୍ର ୮ ରନ୍ ବ୍ୟୟ କରିଥିଲେ। ହେଲେ ୱିକେଟ୍ ନେଇ ପାରି ନଥିଲେ। ଶୃଙ୍ଖଳାର ପ୍ରଥମ ତିନି ମ୍ୟାଚ୍‌ରେ ଏହା କିନ୍ତୁ ଭାରତର ହ୍ୟାଟ୍ରିକ୍ ଟସ୍ ବିଜୟ ଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଦୁଇ ଓପନର ଉସମାନ ଖୱାଜା ଓ ନାଥନ ମ୍ୟାକସ୍ବିନୀ ଦେଖିଚାହିଁ ଖେଳି ଖେଳ ବନ୍ଦ ବେଳକୁ ଅବିଭାଜିତ ପ୍ରଥମ ୱିକେଟ୍‌ରେ ୨୮ ରନ୍ ଯୋଡ଼ିଥିଲେ। ଅଧିକାଂଶ ଷ୍ଟ୍ରାଇକ୍ ନେଇଥିବା ଖୱାଜା ୧୯ (୪୭ ବଲ୍) ଏବଂ ଅପେକ୍ଷାକୃତ ଧିମା ଖେଳିଥିବା ମ୍ୟାକ୍‌ସ୍ବିନୀ ୩୩ ବଲ୍‌ରୁ ୪ ରନ୍ କରି ଅପରାଜିତ ରହିଥିଲେ।

ଜାଡ଼େଜା, ଆକାଶଦୀପଙ୍କୁ ସୁଯୋଗ ଆଡିଲେଡ୍‌ ଟେଷ୍ଟ୍‌ରେ ଶୋଚନୀୟ ପରାଜୟ ବରଣ କରିବା ପରେ ଗାବା ଟେଷ୍ଟ୍‌ ଲାଗି ଭାରତ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଯୁବ ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ସ୍ଥାନରେ ଅକାଶଦୀପ ଏବଂ ଅଫ୍‌ସ୍ପିନର ଆର ଅଶ୍ବିନଙ୍କ ସ୍ଥାନରେ ବାମହାତୀ ସ୍ପିନ୍ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜାଙ୍କୁ ଖେଳାଇଛି। ଜାଡ଼େଜା ଚଳିତ ଗସ୍ତରେ ପ୍ରଥମ ଥର ଲାଗି ଚୂଡାନ୍ତ ଦଳରେ ସାମିଲ ହୋଇଛନ୍ତି। ୫ ମ୍ୟାଚ୍ ବିଶିଷ୍ଠ ବର୍ଡର-ଗାଭାସ୍କର୍ ଶୃଙ୍ଖଳାର ପ୍ରଥମ ତିନି ମ୍ୟାଚ୍‌ରେ ଭାରତ ତିନି ଜଣ ଭିନ୍ନଭିନ୍ନ ସ୍ପିନ୍ ଅଲରାଉଣ୍ଡର୍ ୱାସିଂଟନ୍ ସୁନ୍ଦର (ପର୍ଥ), ଆର ଅଶ୍ବିନ (ଆଡିଲେଡ୍) ଓ ରବୀନ୍ଦ୍ର ଜାଡ଼େଜା (ଗାବା)ଙ୍କୁ ଖେଳାଇଛି। ବ୍ୟାଟିଂ ବାହିନୀ କିନ୍ତୁ ଆଡିଲେଡ୍ ସହ ପୂରା ସମାନ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ସ୍କଟ୍ ବୋଲାଣ୍ଡଙ୍କ ସ୍ଥାନରେ ଜୋସ୍ ହାଜେଲଉଡ୍‌କୁ ଦଳକୁ ଫେରାଇ ଆଣିଛି।

ବିୟର, ତନ୍ଦୁର ଚିକେନ ଓ ପ୍ରତୀକ୍ଷାରେ କଟିଲା ସମୟ
ବ୍ରିସବେନ୍ ଟେଷ୍ଟ୍‌ର ପ୍ରଥମ ଦିନ ଖେଳ ଦେଖିବାକୁ ଗାବା ଷ୍ଟାଡିୟମ୍‌ରେ ୩୦,୧୪୫ ଦର୍ଶକ ରୁଣ୍ଡ ହୋଇଥିଲେ। ହେଲେ ଶନିବାର ମାତ୍ର ୮୦ଟି ବଲ୍ ବୋଲିଂ ସମ୍ଭବ ହୋଇଥିଲା। ଏଣୁ ଭାରତୀୟ ଓ ଅଷ୍ଟ୍ରେଲୀୟ ପ୍ରଶଂସକମାନେ ବିୟର ପିଇ ଏବଂ ତନ୍ଦୁର ଚିକେନ ଖାଇ ଖେଳ ଆରମ୍ଭକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଅଧିନାୟକ ରୋହିତ ଶର୍ମା ଦୀର୍ଘ ସମୟ ଡ୍ରେସିଂ ରୁମ୍‌ରେ ବସି ବର୍ଷା ଛାଡ଼ିବା ଅପେକ୍ଷାରେ ରହିଥିଲେ। ପରେ ସେ ଢେର ସମୟ ସୀମା ରେଖା ପାଖରେ ମଧ୍ୟ ବସି ରହିଥିଲେ। ବର୍ଷା ଛାଡ଼ିବାର ନା ଗନ୍ଧ ଧରି ନଥିଲା। ଏଣୁ ସମସ୍ତେ ନିରାଶ ହୋଇଥିଲେ। କେତେଶ ଦର୍ଶକ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଚିଡ଼ାଉଥିବା ଦେଖିବାକୁ ମିଳିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button