ରାଜ୍ୟ

ପୁଣି ଜାଡ଼ରେ ଥରିବେ ନିରାଶ୍ରୟ

ରାଉରକେଲା: ଇସ୍ପାତ ସହରରେ ଶୀତ ଧସେଇ ପଶିଲାଣି। ଆଗାମୀ ଦିନରେ ଏହା ଆହୁରି ବଢ଼ିବାନେଇ ଆକଳନ କରାଯାଉଛି। ଏଣୁ ପ୍ରତିବର୍ଷଭଳି ଏଥର ମଧ୍ୟ ସହରର ବାସହୀନ କଲବଲ ହେବା ଜଳଜଳ ହୋଇ ଦିଶୁଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ୪ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି।
ରାଉରକେଲା ସରକାରୀ ଡାକ୍ତରଖାନା, ପାୱାର ହାଉସ୍‌ ରୋଡ୍‌, ପ୍ଲାଣ୍ଟ୍‌ସାଇଟ୍‌ ଓ ନୂଆ ବସଷ୍ଟାଣ୍ଡ୍‌ରେ ଥିବା ଏହି ଆଶ୍ରୟସ୍ଥଳୀ କିନ୍ତୁ କାମରେ ଆସୁନି। ଏକାଧିକ ଅବହେଳା ଯୋଗୁଁ ବାସହୀନ ଏଠାକୁ ଯିବାକୁ ପସନ୍ଦ କରୁନାହାନ୍ତି। ଯେଉଁ ସବୁ ଅବହେଳା ଯୋଗୁଁ ଆଶ୍ରୟସ୍ଥଳୀର ଲକ୍ଷ୍ୟ ସାଧିତ ହୋଇପାରୁନି, ତାକୁ ସୁଧାରିବାରେ କିନ୍ତୁ କର୍ତ୍ତୃପକ୍ଷଙ୍କ ପ୍ରୟାସ ଶୂନ।
କେବଳ ଆର୍‌ଏମ୍‌ସି କର୍ତ୍ତୃପକ୍ଷଙ୍କ ଚିରାଚରିତ ଅବହେଳା ହିଁ, ଆଶ୍ରୟସ୍ଥଳୀରୁ ବାସହୀନଙ୍କୁ ଦୁରେଇ ରଖୁଛି। ସହରର ନୂଆ ବସଷ୍ଟାଣ୍ଡ୍‌ ହେଉ ଅବା ରେଳ ଷ୍ଟେସନ, ପୁଣି ମୁଖ୍ୟମାର୍ଗର ଦୋକାନ, ବଜାର ଅଞ୍ଚଳ ଫୁଟ୍‌ପାଥ୍‌ରେ ବାସହୀନ ରାତ୍ରୀଯାପନ କରୁଥିବା ଦେଖିବାକୁ ମିଳୁଛି। ବର୍ଷସାରା ସେମାନେ ଏଭଳି ଅସୁରକ୍ଷିତ ସ୍ଥାନ ତଥା ପରିବେଶରେ ରାତି ବିତାଉଛନ୍ତି।
ସରକାରୀ ଡାକ୍ତରଖାନା, ପାୱାର ହାଉସ୍‌ ରୋଡ୍‌, ପ୍ଲାଣ୍ଟ୍‌ସାଇଟ୍‌ ଓ ନୂଆ ବସଷ୍ଟାଣ୍ଡ୍‌ରେ ଥିବା ଆଶ୍ରୟସ୍ଥଳୀକୁ ନ ଆସିବା ପଛରେ ଏକାଧିକ କାରଣ ରହିଛି। ଆଶ୍ରୟସ୍ଥଳୀ ଖୋଲା ରହିବାର ସମୟସୀମା ଅନ୍ୟତମ ବାଧକଭାବେ ଉଭା ହୋଇଛି। ପ୍ରାୟତଃ, ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀ ତଥା ରିକ୍ସା ଚାଳକ, ଜରି/ବୋତଲ ଗୋଟାଳି ଆଦିଙ୍କ କାମ ଶେଷହେବାର ନିର୍ଦ୍ଦିଷ୍ଟ ସମୟ ରହୁନି।
ପେଟପାଟଣା ପାଇଁ ରିକ୍ସାଚାଳକ ତଥା ବୁଲାବିକାଳି, ଜରିଗୋଟାଳି ରାତି ୧୧/୧୨ ଟା ଯାଏ କାର୍ଯ୍ୟରତ। ସେମାନେ ଦିନକର କାମ ସାରି ଫେରିବାବେଳକୁ ଆଶ୍ରୟସ୍ଥଳୀ ବନ୍ଦ ହୋଇଯାଉଛି। ଯେଉଁ କେତେଜଣ ବାସହୀନ ଆଶ୍ରୟସ୍ଥଳୀକୁ ଯାଉଛନ୍ତି, ସେମାନେ ଚୋରିର ଶିକାର ହେଉଥିବା ଅଭିଯୋଗ କରୁଛନ୍ତି। ଆଶ୍ରୟସ୍ଥଳୀର ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ନିୟମିତ ବ୍ୟବଧାନରେ ଚୋରି ହେଉଥିବାର ନଜିର ରହିଛି।
ଅଧିକ ପଢ଼ନ୍ତୁ: ସ୍ୱଚ୍ଛତା ଅଭିଯାନରେ ଚଳିତ ବର୍ଷ ୧୭ ଲକ୍ଷ କାର୍ଯ୍ୟକ୍ରମ ଆୟୋଜନ: କେନ୍ଦ୍ରମନ୍ତ୍ରୀ
ଏମିତିକି ସେଠାରେ ପରିମଳ ବ୍ୟବସ୍ଥାକୁ ଉଚିତ ଦୃଷ୍ଟି ଦିଆଯାଉନଥିବାର ବି ଅଭିଯୋଗ ହୁଏ। ଝାଡ଼ଖଣ୍ଡର ପନିପରିବା ବିକାଳି ତଥା ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀ ଆଶ୍ରୟସ୍ଥଳୀକୁ ନଯାଇ ରେଳ ଷ୍ଟେସନ ବାରଣ୍ଡାରେ ଶୋଇଥାନ୍ତି। ଅପରପକ୍ଷରେ ଅଧିକାଂଶ ରିକ୍ସାଚାଳକ ସେମାନଙ୍କ ଗାଡ଼ି ଓ ଜିନିଷପତ୍ର ଛାଡ଼ିବାକୁ ଅନିଚ୍ଛା ପ୍ରକାଶକରି ଆସୁନାହାନ୍ତି। ଆଶ୍ରୟସ୍ଥଳୀରେ ସେମାନେ ତମାଖୁ, ସିଗାରେଟ୍ ତଥା ଅନ୍ୟାନ୍ୟ ପ୍ରତିଷେଧକ ନିଶାଦ୍ରବ୍ୟ ବ୍ୟବହାର ଉପରେ କଡ଼ା ପ୍ରତିବନ୍ଧକ ରହିଛି। ଏଣୁ ସେମାନେ ଆଶ୍ରୟସ୍ଥଳୀରେ ରହିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।
ବିଡ଼ମ୍ବନା ଏହା ଯେ ସହରର ଅଧିକାଂଶ ବାସହୀନ ଲୋକ ଏହି ଆଶ୍ରୟସ୍ଥଳୀ ବିଷୟରେ ଅବଗତ ନୁହନ୍ତି। ଜୀବିକା ଅନ୍ୱେଷଣ ପାଇଁ ସହରକୁ ଆସୁଥିବା ଗରିବ ଲୋକଙ୍କ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା। ପର୍ଯ୍ୟାପ୍ତ ପ୍ରଚାରପ୍ରସାରର ଅଭାବ, ମଧ୍ୟ ଅନ୍ୟତମ କାରଣ। ଆଶ୍ରୟ ଗୃହଗୁଡ଼ିକର ଉପଯୁକ୍ତ ତତ୍ତ୍ୱାବଧାନ ଓ ପରିଚାଳନାରେ ଅବହେଳା ଦେଖିବାକୁ ମିଳୁଛି। ଫଳରେ ବାସହୀନ ଫୁଟ୍‌ପାଥ, ରାସ୍ତାକଡ଼ରେ ଶୋଇବାକୁ ବାଧ୍ୟ ହେଉଛନ୍ତି। କେବେ କେବେ ବାସହୀନଙ୍କୁ ଉଦ୍ଧାରକରି ଆଶ୍ରୟସ୍ଥଳୀକୁ ଅଣାଯାଉଛି। କିନ୍ତୁ ଏଠାରେ ଲାଗିରହିଥିବା ସମସ୍ୟାର ସ୍ଥାୟୀ ସମାଧାନ କରାଯାଉନଥିବାରୁ ସ୍ଥିତିରେ ସୁଧାର ଆସୁନି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button