ବୀରମିତ୍ରପୁର ସୀମାନ୍ତରୁ ଗଞ୍ଜେଇ ଜବତ, ଜଣେ ଗିରଫ
ବୀରମିତ୍ରପୁର: ବୀରମିତ୍ରପୁର ସୀମାନ୍ତ ଝାଡ଼ଖଣ୍ଡର ବାଉଁଶଯୋର ପୁଲିସ ଫାଣ୍ଡି ଆନ୍ତର୍ଗତ ଖମନଡାଣରେ ପୁଲିସ ଏକ ଘରୋଇ ବସ୍ରୁ ପ୍ରାୟ ସାଢ଼େ ୪ କେଜି ଗଞ୍ଜେଇ ଜବତ କରିଥିବାବେଳେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି।
ଗିରଫ ଯୁବକ ହେଉଛନ୍ତି ବିହାର ରାଜ୍ୟର ଡାଲଟନଗଞ୍ଜ ଜିଲ୍ଲା ଅନ୍ତର୍ଗତ ଉଟାରି ରୋଡ୍ ଥାନା ଅଞ୍ଚଳର ମଞ୍ଜିତ ବୈଠା(୫୧)। ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ବାଉଁଶଯୋର ପୁଲିସ ଫାଣ୍ଡିର ଖମନଡାଣ ନିକଟରେ ଅନ୍ତଃରାଜ୍ୟ ଚେକ୍ପୋଷ୍ଟ କରାଯାଇଛି। ଏହି ରାସ୍ତାଦେଇ ଯାତାୟତ କରୁଥିବା ଯାନବାହନକୁ ପୁଲିସ ପକ୍ଷରୁ ଯାଞ୍ଚ କରାଯାଉଛି।
ପୁଲିସ ପକ୍ଷରୁ ରାଉରକେଲାରୁ ବିହାର ରାଜ୍ୟର ଡାଲଟନଗଞ୍ଜ ଯାଉଥିବା ଏକ ଘରାଇ ବସ୍ ନଂ ଓଡି ୧୬ ଜେ ୩୬୭୭କୁ ବାଉଁଶଯୋର ଫାଣ୍ଡି ଅଧିକାରୀ ମିର୍ଜା ଓରାମ, ଏସ୍ଆଇ ବିଦ୍ୟାସାଗର ଚୌରସିଆ ପ୍ରମୁଖ ପୁଲିସଦଳ ସହ ଯାଞ୍ଚ କରୁଥିବାବେଳେ ଏକ ବ୍ୟାଗ୍ରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ବ୍ୟାଗ୍ ମାଲିକ ମଞ୍ଜିତ ବୈଠାଙ୍କୁ ପୁଲିସ ଗିରଫ କରିଥିଲା।
ବ୍ୟାଗ୍ରୁ ୪ କେଜି ୫୬୪ ଗ୍ରାମ୍ ଗଞ୍ଜେଇ ଜବତ ହୋଇଥିଲା। ଆଜି ଘଟଣା ସମ୍ପର୍କରେ ସିମଡେଗା ପୁଲିସ ଉପଖଣ୍ଡ ଅଧିକାରୀ ବୈଜୁ ଓରାମ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ବାଉଁଶଯୋର ପୁଲିସ ଗତ ଏକମାସ ଭିତରେ ୯ଟି ବସ୍ରୁ ୧୨୫.୩୬ କେଜି ଗଞ୍ଜେଇ ଜବତ କରିବା ସହ ୧୨ ଜଣ ଅଭିଯୁକ୍ତକୁ ଗିରଫ କରିଛି।