ରାଜ୍ୟ

ଗ୍ୟାସ୍‌ ଚାମ୍ବର୍‌ରେ ଖସି ଶ୍ରମିକଙ୍କ ମୃତ୍ୟୁ: ଠିକାଦାରଙ୍କୁ ଦାୟୀ କଲେ ମୃତକଙ୍କ ପରିବାର

କୁଜଙ୍ଗ: କଟକ-ପାରାଦୀପ ରାଜ୍ୟ ରାଜପଥର କୁଜଙ୍ଗ ଥାନା ତାଳଦଣ୍ଡା ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଯାଇଥିବା ରନ୍ଧନ ଗ୍ୟାସ ଲାଇନ୍‌ର ଏକ ଭଲବ୍‌ ପଏଣ୍ଟ୍‌ ଚାମ୍ବର ମଧ୍ୟକୁ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଜଣକ ହେଉଛନ୍ତି ପରିମଳ ଗାୟନ (୨୨)। ଦୁର୍ଘଟଣା ଘଟିବାର ପ୍ରାୟ ଅଢେଇ ଘଣ୍ଟା ପରେ ତାଙ୍କୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

କଟକ-ପାରାଦୀପ ରାଜ୍ୟ ରାଜପଥ ପାର୍ଶ୍ବ ଦେଇ ପାରାଦୀପରୁ ଜଗତସିଂହପୁର ବିପିସିଏଲ୍‌ର ରନ୍ଧନ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ବିଛା ଯାଇଛି। ଗତ ଏକ ସପ୍ତାହ ଧରି ଏହାର ମରାମତି କାର୍ଯ୍ୟ ଠିକାଦାରଙ୍କ ଦ୍ୱାରା କରାଯାଉଛି। ଏହି କାର୍ଯ୍ୟରେ କୁଜଙ୍ଗ ବ୍ଲକ୍‌ ନୂଆଗଡ଼ ପଞ୍ଚାୟତ ବିଜୟଚାନ୍ଦପୁର ଗ୍ରାମର ଶ୍ରମିକ କିଣା ମଣ୍ଡଳ, ବିଶ୍ବନାଥ ମଣ୍ଡଳ, ଗୁରୁ ଥାନେଦାର, ସୁରଜିତ ପାରାମନ୍ୟା, ବିଜେନ ମିସ୍ତ୍ରି ଓ ପରିମଳ ଗାୟନ ପ୍ରମୁଖ ନିୟୋଜିତ ହୋଇଥିଲେ। ଆଜି ଦିନ ପ୍ରାୟ ୧୧ଟା ସମୟରେ ଶ୍ରମିକ ପରିମଳଙ୍କୁ ଭଲବ୍‌ ପଏଣ୍ଟ୍‌ ଗ୍ୟାସ୍ ଚାମ୍ବର ମଧ୍ୟକୁ ଯାଇ ମରାମତି କାର୍ଯ୍ୟ କରିବାକୁ କହିଥିଲେ ଠିକାଦାର। ମାତ୍ର କୌଣସି ସୁରକ୍ଷା ପୋଷାକ ନଥିବାରୁ ପରିମଳ ଚାମ୍ବରକୁ ଯିବା ଲାଗି ଅରାଜି ହୋଇଥିବା ବେଳେ ଠିକାଦାର ତାଙ୍କୁ କାମ କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି।

ବିନା ସୁରକ୍ଷା ଉପକରଣରେ କାମ କରୁଥିଲେ ୬ ଶ୍ରମିକ
ଠିକାଦାରଙ୍କୁ ଦାୟୀ କଲେ ମୃତକଙ୍କ ପରିବାର

ପରିମଳ ଚାମ୍ବର ମଧ୍ୟକୁ ଯାଇ କାମ କରୁଥିବା ବେଳେ କୌଣସି କାରଣରୁ ଭଲ୍‌ବ୍‌ ପଏଣ୍ଟ ଖୋଲି ଯାଇଥିଲା। ଫଳରେ ଭୀଷଣ ଶବ୍ଦ କରି ଗ୍ୟାସ୍‌ ନିର୍ଗତ ହୋଇଥିଲା। ପରିମଳ ଚାମ୍ବରରେ ଥିବା ସିଡି ଜରିଆରେ ଉପରକୁ ଉଠି ନ ପାରି ଭିତରକୁ ଖସି ପଡ଼ିଥିଲେ। ବାହାରକୁ ଆସିବାକୁ ମାତ୍ର ଗୋଟିଏ ଛୋଟିଆ ବାଟ ରହିଥିଲା। ଗ୍ୟାସ୍‌ର ତୀବ୍ରତା ଯୋଗୁଁ ବାହାରେ ଥିବା ଶ୍ରମିକମାନେ ମଧ୍ୟ ତାଙ୍କୁ ଉଦ୍ଧାର କରିବାକୁ ସମର୍ଥ ହୋଇ ପାରି ନ ଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ କୁଜଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ ନିକଟରେ ମଧ୍ୟ କୌଣସି ଅତ୍ୟାଧୁନିକ ଉଦ୍ଧାର ଉପକରଣ ନ ଥିଲା। ଫଳରେ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା। ଦୁର୍ଘଟଣାର ପ୍ରାୟ ଅଢେଇ ଘଣ୍ଟା ପରେ ଏକ କାଟେଣୀ ନଗି ଓ ଦଉଡ଼ି ସହାୟତାରେ ପରିମଳଙ୍କୁ ଉଦ୍ଧାର କରାଯାଇ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ପରିମଳ ଆଖି ବୁଜି ସାରିଥିଲେ। ଅନ୍ୟପଟେ ଗ୍ୟାସ୍ ଲିକ୍‌କୁ ନିୟନ୍ତ୍ରଣ କରା ନ ଯାଇ ପାରିବାରୁ ୪ ଘଣ୍ଟା ଧରି ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ଏହି ଘଟଣାରେ ମୃତ ଶ୍ରମିକଙ୍କ ଭାଇ ସୁକୁମାର ଗାୟନ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଅଘଟଣ ପାଇଁ ଠିକାଦାରଙ୍କୁ ଦାୟୀ କରିଛନ୍ତି। ଅଭିଯୋଗ ଆଧାରରେ କୁଜଙ୍ଗ ଥାନାରେ ମାମଲା (୫୮୭/୨୪) ରୁଜୁ କରାଯାଇଛି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button