ଦେଶ- ବିଦେଶ

ରାଜଧାନୀରେ ବାୟୁ ପ୍ରଦୂଷଣ ସଙ୍ଗୀନ୍, ୨୦୦ରୁ ଊର୍ଦ୍ଧ୍ୱ ବିମାନ ସେବା ବିଳମ୍ବ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାନ ସଂଗୀନ ସ୍ଥିତିରେ ପହଞ୍ଚିଛି। ଦିନକୁ ଦିନ ଖରାପ ହୋଇ ଚାଲିଛି ଦିଲ୍ଲୀ ବାୟୁ ଗୁଣବତ୍ତା। ଦିଲ୍ଲୀ ସହରର ବାୟୁ ମାନକ ସୂଚୀ (ଏକ୍ୟୁଆଇ) ୪୨୯ ରହିଥିବା ରେକର୍ଡ କରାଯାଇଛି। ଗତକାଲି ଓ ଆଜି ବାୟୁ ଗୁଣବତ୍ତା ସୂଚକାଙ୍କ ନିମ୍ନସ୍ତରକୁ ଖସି ଆସିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଉଡାଣ ଭରିବାକୁ ଥିବା ବିମାନଗୁଡ଼ିକ ବିଳମ୍ବ ହୋଇଛି।

 

ଫଳରେ ୨୦୦ରୁ ଊର୍ଦ୍ଧ୍ୱ ବିମାନ ସେବା ପ୍ରଭାବିତ ହୋଇଛି। ପାଗକୁ ଦୃଷ୍ଟିରେ ରଖି ଉଡ଼ାଣ ସମୟ ପରିବର୍ତ୍ତନ କରା ଯାଇଥିବା ନେଇ ବିମାନ କମ୍ପାନୀ ପକ୍ଷରୁ ସୂଚନା ଦେଇଛନ୍ତି। ଏକ୍ୟୁଆଇ ଏହି ସ୍ତରରେ ପହଞ୍ଚିଲେ ଏହାକୁ ସଂଗୀନ (ସିଭିୟର) ବୋଲି ବିବେଚନା କରାଯାଇଥାଏ। ଦିଲ୍ଲୀରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ସ୍ଥାପନ କରାଯାଇଥିବା ଥିବା ୩୬ଟି ବାୟୁ ମାନ ଅନୁଧ୍ୟାନକାରୀ ଷ୍ଟେସନ ମଧ୍ୟରୁ ୩୦ଟି ଷ୍ଟେସନରେ ବାୟୁ ମାନକୁ ସିଭିୟର ବୋଲି ଦର୍ଶାଯାଇଛି। ଯାନବାହନ ଚଳାଚଳ ଓ ନଡା ପୋଡି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ବୋଲି କୁହାଯାଇଛି।

ରାଜଧାନୀର ଅନେକ ଅଞ୍ଚଳରେ ୪୫୦ରୁ ଅଧିକ AQI ରେକର୍ଡ ହୋଇଛି। ଆନନ୍ଦ ବିହାର, ଅଶୋକ ବିହାର, ବାୱନା ଦ୍ୱାରକା, ଜାହାଙ୍ଗିରପୁର, ମୁଣ୍ଡକ, ନଜାଫଗଡ଼, ଲାଜପତ ନଗର, ପାଟପରାଗଞ୍ଜ, ପଞ୍ଜାବ ବାଗ, ଆରକେ ପୁରାମ, ରୋହିଣୀ, ବିବେକ ବିହାର ଏବଂ ୱାଜିରପୁରରେ ସକାଳ 6 ଟାରେ ୪୫୦ରୁ ଅଧିକ AQI ରେକର୍ଡ କରାଯାଇଛି, ଯାହା ଖୁବ୍ ଗୁରୁତର। ଆନନ୍ଦ ବିହାରରରେ ସର୍ବାଧିକ ୪୭୩ AQI ରେକର୍ଡ କରାଯାଇଛି। ଚଳିତ ଶୀତ ଋତୁରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଯାହା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇପାରେ। ସ୍ବାସ୍ଥ୍ୟ ଜଟିଳତାରୁ ଦୂରେଇ ରହିବା ଲାଗି ଜନସାଧାରଣଙ୍କୁ ଆବଶ୍ୟକ ସତର୍କତା ଯଥା ମାସ୍କ ପିନ୍ଧିବା, ଅଯଥା ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଦ୍ରୁତ ବେଗରେ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button