ବ୍ୟାଙ୍କର ଝରକା ତାଡ଼ିଲେ, ଲକ୍ଷାଧିକ ଟଙ୍କା ଲୁଟିନେଲେ
ଜଳେଶ୍ୱର,୧୧/୧୧: ଜଳେଶ୍ୱରରେ ମାତିଛନ୍ତି ଲୁଟେରା । ବ୍ୟାଙ୍କକୁ ବି ଛାଡ଼ିଲେନି । ଝରକାକୁ ଗ୍ୟାସ୍ କଟରରେ କାଟିଲେ । ବିଳମ୍ୱିତ ରାତିରେ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଛକରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବ୍ୟାଙ୍କର ଉପର ମହଲାରେ ଥିବା ଝରକାର ଲୁହା ଗ୍ରିଲକୁ ଏକ ଗ୍ୟାସ୍ କଟର ସାହାଯ୍ୟରେ କାଟିଥିଲେ ।
ଗ୍ରିଲ୍କୁ ତାଡ଼ି ବ୍ୟାଙ୍କ ଭିତରକୁ ପଶିଥିଲେ । ବ୍ୟାଙ୍କରେ ପଶି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ତେବେ ସୋମବାର ସକାଳେ ବ୍ୟାଙ୍କର ଝରକା ଭଙ୍ଗା ଯାଇଥିବା ଦେଖିଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ବ୍ୟାଙ୍କର ମ୍ୟାନେଜର ଏବଂ ବାଲିଆପାଳ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।
ତେବେ ୫ ବର୍ଷ ପୂର୍ବରୁ ମଧ୍ୟ ଏହି ବ୍ୟାଙ୍କର ପଛ ପଟେ ଥିବା ସ୍କାଏ ଲାଇଟ ଭାଙ୍ଗି କମ୍ପ୍ୟୁଟର ଏବଂ ବିଭିନ୍ନ ଆସବାବପତ୍ର ଚୋରି କରିଥିଲେ କିଛି ଦୁର୍ବୃତ୍ତ । ଏହି ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାରୁ ପୋଲିସ ପାଟ୍ରୋଲିଂକୁ କଡାକଡି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।