ଫୋନ୍ରେ ସ୍ୱାମୀ-ସ୍ତ୍ରୀ କରୁଥିଲେ ଝଗଡ଼ା, ‘OK’ କହିଦେଲେ ଷ୍ଟେସନ୍ ମାଷ୍ଟର, ରେଳବାଇର ହେଲା ୩ କୋଟି କ୍ଷତି

ନୂଆଦିଲ୍ଲୀ ୦୯।୧୧: ସ୍ବାମୀ-ସ୍ତ୍ରୀଙ୍କ ଝଗଡା ଏକ ସାଧାରଣ କଥା । କିନ୍ତୁ ଏଥିପାଇଁ ରେଳବାଇର ହୋଇଗଲା କୋଟିକୋଟିର କ୍ଷତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଏହା ଏକ ସତ ଘଟଣା । ଟ୍ରେନ୍ ଚଳାଇବା ସମୟରେ ସ୍ୱାମୀ-ସ୍ତ୍ରୀଙ୍କର ହେଉଥିଲା ଝଗଡା । ଝଗଡ଼ା ବେଳେ ସ୍ବାମୀ କହିଦେଲେ ‘ଓକେଟ । ବନ୍ଦ ରୁଟ୍ରେ ଚାଲିଗଲା ଟ୍ରେନ୍ ।
ଫଳରେ ରେଳବାଇର କ୍ଷତି ହେଲା ୩ କୋଟି ଟଙ୍କା । ତେବେ କଥା ଏତିକିରେ ଅଟକିନଥିଲା । ରେଳବାଇ ବ୍ୟକ୍ତିଙ୍କୁ ସସ୍ପେଣ୍ଡ କରିଥିଲା ।
ରେଳବାଇରେ ଥିଲେ ଷ୍ଟେସନ୍ ମାଷ୍ଟର୍ । ବ୍ୟକ୍ତି ଜଣକ ଡ୍ୟୁଟିରେ ଥିବାବେଳେ ଫୋନ୍ରେ ତାଙ୍କ ପତ୍ନୀଙ୍କ ସହ ଆରମ୍ଭ ହୋଇଗଲା ଝଗଡ଼ା । ଗୋଟିଏ ହାତରେ ମୋବାଇଲ, ଅନ୍ୟ ହାତରେ ଅଫିସ୍ ଫୋନ୍ । ଉଭୟ ପକ୍ଷ ସହ କଥାବାର୍ତ୍ତା ଚାଲିଥିଲା । ଅଫିସ୍ ଫୋନ୍କୁ ହୋଲ୍ଡରେ ରଖି ଷ୍ଟେସନ୍ ମାଷ୍ଟରଙ୍କୁ ପତ୍ନୀ କହିଲେ- ଅଫିସ୍ରୁ ଘରକୁ ଆସ, ତା’ପରେ କଥା ହେବି । ସ୍ୱାମୀ କହିଲେ ‘ଓକେ’ ।
ସେପଟେ, ଅଫିସ୍ ଫୋନ୍ରେ ଲାଇନ୍ରେ ଥିବା ଅନ୍ୟ ଷ୍ଟେସନ୍ ମାଷ୍ଟର୍ ‘ଓକେ’ ଶୁଣିବା ମାତ୍ରେ ଟ୍ରେନ୍ ଛାଡ଼ିବାକୁ ସଙ୍କେତ ଦେଲେ । ଆଉ ଏହା ପରେ ବନ୍ଦ ରୁଟ୍ରେ ଚାଲିଗଲା ଟ୍ରେନ୍ । ଫଳରେ ରେଳବାଇର ହୋଇଥିଲା ୩ କୋଟି ଟଙ୍କାର କ୍ଷତି । ଏହାପରେ ଫୋନ୍ରେ ଝଗଡ଼ା କରୁଥିବା ଷ୍ଟେସନ୍ ମାଷ୍ଟରଙ୍କୁ ରେଳବାଇ ସସ୍ପେଣ୍ଡ କଲା ।
ଖବର ଅନୁଯାୟୀ, ବିଶାଖାପଟ୍ନମ ବାସିନ୍ଦା ଏହି ଷ୍ଟେସନ୍ ମାଷ୍ଟର ୨୦୧୧ ମସିହାରେ ଭିଲାଈ ସ୍ଥିତ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ବିବାହ ପରେ ପ୍ରୀତିଭୋଜନ ସମୟରେ ତାଙ୍କ ପତ୍ନୀ ଖୁସି ନ ଥିଲେ । ପରେ ତାଙ୍କ ସହ କଥା ହେବାରୁ ଜଣାପଡ଼ିଲା, ଇଞ୍ଜିନିୟରିଂ କଲେଜର ଜଣେ ଲାଇବ୍ରେରିଆନ୍ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଅଛି ।
ଷ୍ଟେସନ୍ ମାଷ୍ଟର ଏ ବିଷୟରେ ଶ୍ୱଶୁରଙ୍କୁ ଜଣାଇଲେ । କିନ୍ତୁ ଶ୍ୱଶୁର ତାଙ୍କୁ ବୁଝାଇଲେ ଯେ ଭବିଷ୍ୟତରେ ଝିଅ ଏଭଳି କାମ କରିବ ନାହିଁ । ଶ୍ୱଶୁରଙ୍କ କଥା ମାନି ସବୁକିଛି ଭୁଲିବାକୁ ସେ ପତ୍ନୀଙ୍କୁ କହିଲେ । କିନ୍ତୁ ସେମିତି କିଛି ହେଲା ନାହିଁ । ସ୍ଥିତି ଏମିତି ହେଲା ଯେ ସ୍ୱାମୀଙ୍କ ସାମ୍ନାରେ ସେ ପ୍ରେମିକଙ୍କ ସହ କଥା ହେଲେ । ଏହାକୁ ନେଇ ବିବାଦ ବଢ଼ିବାକୁ ଲାଗିଲା ।
ଦିନେ ରାତିରେ ସ୍ୱାମୀ ଡ୍ୟୁଟିରେ ଥିବାବେଳେ ପତ୍ନୀଙ୍କ ଫୋନ୍ ଆସିଲା ଏବଂ ଉଭୟଙ୍କର ଝଗଡ଼ା ହେଲା । ଶେଷରେ ବନ୍ଦ ରୁଟ୍ରେ ଟ୍ରେନ୍ ଚାଲିଗଲା । ଏହି ଘଟଣା ପରେ ପତ୍ନୀଙ୍କ ଉପରେ ମାନସିକ ଉତ୍ପୀଡ଼ନ ଅଭିଯୋଗ ଆଣି ସ୍ୱାମୀ ବିଶାଖାପଟ୍ନମ ପରିବାର କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କଲେ । ସେପଟେ ପତ୍ନୀ ସ୍ୱାମୀ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ କଲେ ।
ଏହାପରେ ବ୍ୟକ୍ତି ଜଣକ ପତ୍ନୀଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ ଛାଡ଼ପତ୍ର । ତେବେ ଏହି ଶୁଣାଣିରେ ହାଇକୋର୍ଟ କହିଲେ, ପତ୍ନୀଙ୍କର ତାଙ୍କ ପ୍ରତି ବ୍ୟବହାର ମାନସିକ କ୍ରୂରତା । ତେଣୁ ସ୍ୱାମୀଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁରି ପ୍ରଦାନ କଲେ ।