ରାଜ୍ୟ

କଟକ ଗଣଦୁଷ୍କର୍ମ ଘଟଣା: ମିଳିବ କଡ଼ା ଦଣ୍ଡ, ମନ୍ତ୍ରୀ ଦେଲେ ଦୃଢ଼ୋକ୍ତି

 କଟକରେ ଜଣେ କଲେଜ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ବୟଫ୍ରେଣ୍ଡ ସହ ସମସ୍ତ ଛଅ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ରହିଛି। ପ୍ରଥମେ ଯେଉଁ କାଫେରେ ଗଣଦୁଷ୍କର୍ମ ଶିକାର ହୋଇଥିଲେ ସେହି କାଫେ ମାଲିକଙ୍କୁ ଗିରଫ କରାଯାଇଛି।

କାଫେ ସିଲ୍ କରିବା ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିସିପି। ପୋକ୍ସୋ ସମେତ ଆଇଟି ଆକ୍ଟ, ଏସି.ଏସ୍‌ଟି ଦଫାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ମହିଳାଙ୍କ ପ୍ରତି ହିଂସାକୁ କଠୋର ଭାବେ ଦମନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

କଟକ ଗଣଦୁଷ୍କର୍ମ ଘଟଣାକୁ ନେଇ ଆଇନ ମନ୍ତ୍ରୀ କହିଛନ୍ତି, ମହିଳା ହିଂସା କ୍ଷେତ୍ରରେ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ସ୍ପଷ୍ଟ।ମହିଳାଙ୍କ ପ୍ରତି ହିଂସାକୁ କଠୋର ଭାବେ ଦମନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କଟକ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି। କୌଣସି ଟାଳଟୁଳ ହେବନି, ଦୋଷୀକୁ ଦଣ୍ଡିତ ପାଇଁ ସବୁ ପଦକ୍ଷେପ ନିଆଯିବ। ୨୦୩୬ ସୁଦ୍ଧା ଓଡ଼ିଶା ଦେଶରେ ମହିଳା ବିରୋଧୀ ଅପରାଧ ମୁକ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନା ଥାଉକି, କଟକରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଉଠାଇ ବ୍ଲାକମେଲ କରିବା ସହ ବାରମ୍ବାର ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାରେ ବୟଫ୍ରେଣ୍ଡ ସହ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ। ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ବାରଙ୍ଗ ଥାନା ଅଞ୍ଚଳର। ଅନ୍ୟ ୪ ଜଣ ବାଦାମବାଡ଼ି ଓ ପୁରୀଘାଟ ଥାନା ଅଞ୍ଚଳର। ସମସ୍ତଙ୍କର ବୟସ ୧୯ରୁ ୨୪ ବର୍ଷ ମଧ୍ୟରେ ହେବ।

ତଦନ୍ତରୁ ଜଣାପଡିଛି ଯେ, କାଳୀ ଭସାଣି ଦେଖାଇବା ପାଇଁ ଛାତ୍ରୀଙ୍କୁ ଡାକିଥିଲା ତାଙ୍କ ପୁରୁଷ ବନ୍ଧୁ। ଭୋଜିଭାତ ଖାଇବା ପାଇଁ ଛାତ୍ରୀଙ୍କୁ ପୁରୁଷ ବନ୍ଧୁ ଜଣକ ତାର ଏକ ସାଙ୍ଗର ସାଇବର କ୍ୟାଫେକୁ ନେଇଥିଲା। ସେଠାରେ ଛାତ୍ରୀଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହ କୌଶଳକ୍ରମେ ସେହି ଦୃଶ୍ୟକୁ ମୋବାଇଲ୍‌ରେ ରେକର୍ଡିଂ ବି କରିଥିଲା। ପରେ ସେହି ଭିଡିଓକୁ ଦେଖାଇ ବ୍ଲାକ୍‌ମେଲ୍‌ କରି ପୁରୁଷ ବନ୍ଧୁର ଅନ୍ୟ ୫ ଜଣ ସାଙ୍ଗ ବି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ। ଏତେ ବଡ଼ ଅଘଟଣ ପରେ ବି ପୀଡ଼ିତା ନ ଡରି ପୁଲିସରେ ଅଭିଯୋଗ କରିବାରୁ ସମସ୍ତ ୬ ଅଭିଯୁକ୍ତ ଗିରଫ ହୋଇଛନ୍ତି। ପୁରୁଷ ବନ୍ଧୁଙ୍କ ସମେତ ୪ଜଣ ଅଭିଯୁକ୍ତ କଟକ ସହରର ଗୋଟେ କଲେଜର ଛାତ୍ର ଓ ପୀଡ଼ିତାଙ୍କ ସହପାଠୀ ବୋଲି ଜଣାପଡ଼ିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button