ଆଜି ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି, ଡର୍ବାନରେ ଖେଳାଯିବ ସିରିଜର ପ୍ରଥମ ମ୍ୟାଚ୍
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ପାଇଁ ଟିମ୍ ଇଣ୍ଡିଆର ୟଙ୍ଗ ବ୍ରିଗେଡ୍ ଫୁଲ୍ ପ୍ରସ୍ତୁତ । ଆଜି ଡର୍ବାନରେ ଖେଳାଯିବ ୪ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲଙ୍କ ଭଳି ଦଳର ବରିଷ୍ଠ ଖେଳାଳିମାନେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜକୁ ସ୍ମରଣୀୟ କରିବାକୁ ଚେଷ୍ଟା କରିବେ ।
ଗତ ଜୁନରେ ହୋଇଥିବା ଟି -20 ବିଶ୍ୱକପ ଫାଇନାଲରେ ଭାରତଠାରୁ ପରାଜୟର ପ୍ରତିଶୋଧ ନେବାକୁ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ପ୍ରସ୍ତୁତ । ଏହି ସିରିଜରେ ସଞ୍ଜୁ ସାମସନ୍ ଏବଂ ଅଭିଷେକ ଶର୍ମାଙ୍କ ପ୍ରଦର୍ଶନ ଉପରେ କ୍ରୀଡ଼ାପ୍ରେମୀଙ୍କ ନଜର ରହିବ । ୱିକେଟ୍ କିପର ବ୍ୟାଟର ସାମସନ୍ ନିକଟରେ ବାଂଲାଦେଶ ବିପକ୍ଷ ଘରୋଇ ଟି -20 ସିରିଜରେ ଗୋଟିଏ ଇନିଂସ ଖେଳିବାର ସୁଯୋଗ ପାଇ ୪୭ଟି ବଲରେ ୧୧୧ ରନ୍ ର ଜବରଦସ୍ତ ଇନିଂସ ଖେଳିଥିଲେ ।
ରୋହିତ ଶର୍ମା ଟି -20 ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ଏବଂ ଏଭଳି ପରିସ୍ଥିତିରେ ସାମସନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ଖେଳି ଏହି ଫର୍ମାଟରେ ଭାରତୀୟ ଟପ୍ ଅର୍ଡରରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବେ । ବର୍ତ୍ତମାନ ସୁଦ୍ଧା ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ମୋଟ୍ ୨୭ଟି ଟି-ଟ୍ବେଣ୍ଟି ଖେଳାଯାଇଛି । ଭାରତ ୧୫ଟି ବିଜୟ ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୧୧ଟିରେ ବାଜି ମାରିଛି । ଗୋଟିଏ ମ୍ୟାଚ୍ ଡ୍ର ରହିଛି ।