ବାଲାଷ୍ଟିକ୍ ମିସାଇଲ୍ ମିନଟମ୍ୟାନ୍-୩ର ପରୀକ୍ଷଣ କରିବାକୁ ଯାଉଛି ଆମେରିକା
ନୂଆଦିଲ୍ଳୀ: ନଭେମ୍ବର ୬ ରୁ ୧୦ ତାରିଖ । ବିଶ୍ୱ ଦେଖିବ ଆମେରିକାର ପରମାଣୁ ଶକ୍ତି । ଆମେରିକା ସହ ଶତ୍ରୁତା କରି ବସିଥିବା ରାଷ୍ଟ୍ର ଋଷ, ଚୀନ୍, ଓ ଉତ୍ତରକୋରିଆ ଭଳି ଶତ୍ରୁ ରାଷ୍ଟ୍ରଙ୍କୁ ନିଜର ଶକ୍ତି ଦେଖାଇବାକୁ ଯାଉଛି ଆମେରିକା । ନଭେମ୍ବର ୬ରୁ ୧୦ତାରିଖ ଭିତରେ ଆମେରିକା ତାର ଖତରନାକ ପରମାଣୁ ବାଲାଷ୍ଟିକ୍ ମିସାଇଲ୍ ମିନଟମ୍ୟାନ୍-୩ର ପରୀକ୍ଷଣ କରିବାକୁ ଯାଉଛି ।
ଏହି ମିସାଇଲର ଘଣ୍ଟା ପ୍ରତି ବେଗ ରହିଛି ୨୮ ହଜାର କିମି ।
ଗତ କିଛିଦିନ ତଳେ ଉତ୍ତରକୋରିଆ, ଋଷ, ଚୀନ୍ ମିସାଇଲ୍ ପରୀକ୍ଷଣ କରିଛନ୍ତି । ଆଉ ଏହାକୁ ଦେଖିବା ପରେ ଆମେରିକା ଏହି ମିସାଇଲ୍ ପରୀକ୍ଷଣ ଦ୍ୱାରା ଏହି ତିନି ଶତ୍ରୁ ରାଷ୍ଟ୍ରକୁ ନିଜର ଶକ୍ତି ଦେଖାଇବାକୁ ଯାଉଛି । ଆମେରିକାର ଏହି ମିସାଇଲର ପରୀକ୍ଷଣ ନିହାତି ଭାବେ ଋଷ ଓ ଚୀନର ଚିନ୍ତା ବଢାଇଦେବ । ଏହି ମିସାଇଲର ରେଞ୍ଜ୍ ୧୦ହଜାର କିମି ରହିଥିବା ବେଳେ ଏହା ୧୧୦୦ କିମି ଉଚ୍ଚତାକୁ ଛୁଇଁବାର କ୍ଷମତା ରଖୁଛି ।
କେବଳ ଏତିକି ନୁହେଁ, ଏହି ମିସାଇଲର ବେଗ ହିଁ ଏହାକୁ ଅଧିକ ଘାତକ ବନାଇଥାଏ । ଏହା ଘଣ୍ଟାପ୍ରତି ୨୮,୨୦୦ କିଲୋମିଟର ବେଗରେ ଶତ୍ରୁଆଡକୁ ମାଡିଆସିଥାଏ । ଏହି ମିସାଇଲର ମାରକ କ୍ଷମତା ଯେମିତି, ତାର ଆକାର ମଧ୍ୟ ସେମିତି । ଏହାର ଆକାର ୬୦ ଫୁଟ୍ ଲମ୍ବା ରହିଛି । ଏହି ମିସାଇଲ୍ ନିହାତି ଭାବେ ଶତ୍ରକୁ ଆତଙ୍କିତ କରିବ ।