ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତାକୁ ନା, ଖୁବ ଶୀଘ୍ର ଗାଇଡଲାଇନ୍

ଯାତ୍ରା ମଞ୍ଚରେ ମନୋରଞ୍ଜନ ଆଳରେ ଆଉ ହେବନି ଅଶ୍ଳୀଳତା ପ୍ରଦର୍ଶନ । ଖୁବଶୀଘ୍ର ଆସିବାକୁ ଯାଉଛି ଏହା ସମ୍ପର୍କିତ ଏକ ଗାଇଡଲାଇନ୍ । ସରକାର ଏହି ପ୍ରସଙ୍ଗରେ ଚିନ୍ତା କରୁଛନ୍ତି ଓ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ଆଣିବାକୁ ଯାଉଛନ୍ତି । ଏହି ନିର୍ଦ୍ଦେଶାବଳୀ ଅନୁସାରେ ହିଁ ଯାତ୍ରା କମିଟିମାନେ ଆୟୋଜନ କରିବେ ବୋଲି କହିଛନ୍ତି ଉଚ୍ଚଶିକ୍ଷା ତଥା ଭାଷା-ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
କିଛି ଦିନ ହେବ ଯାତ୍ରା ମଞ୍ଚରେ ନୃତ୍ୟ ଓ ବ୍ୟଙ୍ଗ ଆଳରେ ଏକ ଅପସଂସ୍କୃତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଅଶ୍ଳୀଳ ତଥା ଉତ୍ତେଜନାପୂର୍ଣ୍ଣ ନୃତ୍ୟ ପରିବେଷଣ କରାଇ ଅଧିକ ଦର୍ଶକଙ୍କୁ ଏକାଠି କରାଯିବାର ପ୍ରୟାସ ମଧ୍ୟ କରାଯାଉଛି । ଅନ୍ୟପଟେ ଆଇଟମ୍ ଡାନ୍ସରଙ୍କ ଅଶ୍ଳୀଳ ନୃତ୍ୟ ଓ ଲଗାମଛଡା ଉତ୍ତେଜକ ପ୍ରଦର୍ଶନ ଯାତ୍ରାରେ ଅପ୍ରୀତିକର ସ୍ଥିତି ମଧ୍ୟ ସୃଷ୍ଟି କରୁଛି । ନିକଟ ଅତୀତରେ ଏକାଧିକ ସ୍ଥାନରେ ଉତ୍ତେଜନା, ବିଶୃଙ୍ଖଳା ଓ ବିବାଦ ମଧ୍ୟ ସୃଷ୍ଟି ହେବାର ଅନେକ ରହିଛି । ଏହାକୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସଚେତନ ତଥା ସଂସ୍କୃତିପ୍ରେମୀଙ୍କ ଦ୍ୱାରା କଡା ବିରୋଧ ଓ ନିନ୍ଦା ମଧ୍ୟ କରାଯାଉଛି । ତଥାପି ଏକାଧିକ ଯାତ୍ରା ପାର୍ଟି ଓ ଆୟୋଜକ କମିଟି ଏହି ପ୍ରୟାସରୁ କ୍ଷାନ୍ତ ହେଉନାହାନ୍ତି ।
ଯାତ୍ରା ରାଜ୍ୟର ଗ୍ରାମାଞ୍ଚଳର ଏକ ପୁରାତନ ମନୋରଞ୍ଜନର ଲୋକପ୍ରିୟ ମାଧ୍ୟମ । ମାତ୍ର ଅଶ୍ଳୀଳ ପ୍ରଦର୍ଶନ କାରଣରୁ ବର୍ତ୍ତମାନ ସ୍ଥିତିରେ ସପରିବାର ଯାତ୍ରା ଦେଖିବା ସମ୍ଭବ ହେଉନାହିଁ । ବରିଷ୍ଠ ମଞ୍ଚ କଳାପ୍ରେମୀ ଦର୍ଶକ ବର୍ଗ ମଧ୍ୟ ଏହି କାରଣରୁ ଯାତ୍ରା ଦେଖିବା ବନ୍ଦ କରିସାରିଲେଣି । ଏବେ ସରକାର କେଉଁ ପ୍ରକାରର ନିର୍ଦ୍ଦାଶାବଳୀ ଆଣୁଛନ୍ତି ଓ ଫଳରେ ଅଶ୍ଳୀଳତାରେ କେତେ ରୋକ ଲାଗିବ, ତାହା ଉପରେ ସମସ୍ତଙ୍କ ନଜର ।